ଭୁବନେଶ୍ବର: ମିଲେଟ୍କୁ ନେଇ ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପାଇଁ ଅଣ୍ଟାଭି଼ଡ଼ିଛି ରାଜ୍ୟ କୃଷି ବିଭାଗ। ସ୍ବତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ୨୦୩୬କୁ ଦୃଷ୍ଟିରେ ରଖି ରୋଡ଼୍ ମ୍ୟାପ୍ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ମିଲେଟ୍ର ସ୍ଥାୟୀ ଚାହିଦା, ପ୍ରକାର, ବଜାର ଉପରେ ଗୁରୁତ୍ବ ଦିଆଯିବ। କେବଳ ସେତିକି ନୁହେଁ, ଗବେଷଣା, ଉନ୍ନତମାନର ବିହନ, ଉପଯୁକ୍ତ ମେସିନ୍, ନିବେଶ ଆଦି ଦିଗରେ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବେ। ମିଳିଥିବା ସୂଚନା ଅନୁସାରେ, ମିଲେଟ୍ ଉତ୍ପାଦନ କ୍ଷେତ୍ରରେ ସ୍ବତନ୍ତ୍ର ଶିଳ୍ପ ନୀତି ସହିତ ରପ୍ତାନି ଗାଇଡ଼୍ଲାଇନରେ ଆହୁରି ସ୍ପଷ୍ଟତାର ଆବଶ୍ୟକତା ରହିଛି। ୨୦୧୭ ମସିହାରୁ ଓଡ଼ିଶାରେ ମିଲେଟ୍ ମିସନ ସଫଳତାର ସହିତ କାର୍ଯ୍ୟକାରୀ କରୁଛି ଏବଂ ୨୦୨୩କୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରିଛି ଓଡ଼ିଶା। ଏହାସତ୍ତ୍ବେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଭୁବନେଶ୍ବରରେ ଆୟୋଜିତ ଆନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଚ୍ୟାଲେଞ୍ଜର ସମାଧାନ ନେଇ ଆସନ୍ତା ୧୦ ବର୍ଷ ପାଇଁ ରୋଡ଼୍ ମ୍ୟାପ ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଏବେ କୃଷି ବିଭାଗ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ ପାଢୀ। ଏପଟେ ଜଣାପଡ଼ିଛି ଯେ ବିଭିନ୍ନ ରାଜ୍ୟର ନିଜସ୍ବ ସ୍ବତନ୍ତ୍ର ମିଲେଟ୍ ନୀତି ରହିଥିଲେ ମଧ୍ୟ ଏଥିରେ ସ୍ପଷ୍ଟତା ନାହିଁ। ପାହାଡ଼ିଆ ଏବଂ ସ୍ବଳ୍ପ ଉତ୍ପାଦିତ ଅଞ୍ଚଳରୁ ମିଲେଟ୍ ସଂଗୃହୀତ ହେଉଥିବାରୁ ଏହାକୁ ନେଇ ପ୍ରସ୍ତୁତ ନୀତି ଆହୁରି ଠୋସ୍ ଏବଂ ଦୃଢୀଭୂତ ହେବା ଦରକାର। ଏମିତିରେ ବି କିଛି ବର୍ଷ ହେଲା ସୁଆଁ ଚାଷ ପ୍ରାୟ ୯୦ % ଅଞ୍ଚଳରେ
ହ୍ରାସ ପାଇଛି। ଚାଷ ଏବଂ ବଜାରର ଆବଶ୍ୟକତା ମଧ୍ୟରେ ବଡ଼ ବ୍ୟବଧାନ ରହିଛି। ଏହାକୁ ନେଇ କୃଷି ଗବେଷଣା କରାଯିବା ଉଚିତ୍। ଗାଁରେ କମ୍ ଦାମ ଏବଂ ପର୍ଯ୍ୟାପ୍ତ ମିଲେଟ୍ ମେସିନର ଅଭାବ ରହିଛି। ୨୦୨୩ ମସିହା ସୁଦ୍ଧା ମଧ୍ୟ ମିଲେଟ୍ର ଗୁରୁତ୍ବକୁ ଖାଦ୍ୟ କମ୍ପାନିଗୁଡ଼ିକ ବୁଝି ନାହାନ୍ତି। ସେ ନେଇ କାର୍ଯ୍ୟ କରିବାକୁ ଏବେ ଯୋଜନା ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ, କୁଟୀର, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପରେ ଏହାକୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଡାକ୍ତରଖାନାରେ ମିଲେଟ୍ ଖାଦ୍ୟକୁ ପ୍ରୋତ୍ସାହନ, ମେଡିକାଲ୍ ଷ୍ଟଡ଼ିରେ ଏହାକୁ ନେଇ ଡିଜାଇନ୍, ଐତିହ୍ୟ ପର୍ଯ୍ୟଟନ ଏବଂ କୃଷି ପର୍ଯ୍ୟଟନରେ ମିଲେଟ୍କୁ ସାମିଲ, ମିଲେଟ୍ର ପ୍ରଚାର ପାଇଁ ଆହୁରି ବ୍ଲଗର୍ଙ୍କୁ ସାମିଲ ପାଇଁ ମଧ୍ୟ ବିଭାଗ ଯୋଜନା କରୁଛି। ଏଠାରେ ଉଲ୍ଲେଖଥାଉକି, ୨୦୧୨ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ କରି ପୋଷଣ ଖାଦ୍ୟ ସୁରକ୍ଷା ପାଇଁ ମିଲେଟ୍ ପ୍ରମୋସନ ଆରମ୍ଭ ହୋଇଥିଲା। ପ୍ରଥମ ରାଜ୍ୟ ଭାବରେ କର୍ଣ୍ଣାଟକ ୨୦୧୩ ମସିହାରେ ପିଡିଏସ୍ରେ ଏହାକୁ ସାମିଲ କରିଥିଲା। ୨୦୧୭ ମସିହାରେ ପ୍ରଥମେ ଓଡ଼ିଶା ଏବଂ ୨୦୧୮-୨୩ ମଧ୍ୟରେ ଅନେକ ରାଜ୍ୟ ମିଲେଟ୍ ମିସନ କାର୍ଯ୍ୟକାରୀ କରିଥିଲେ। ୨୦୧୮ ମସିହାରେ ଏହାକୁ ନେଇ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା କରାଯାଇଛି।