ଓଡ଼ିଶାକୁ ଆସିଛି ୨୩୫ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍

୨ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ଯାତ୍ରୀ ଓଡ଼ିଶା ଫେରିଛନ୍ତି

ବିଭିନ୍ନ ରାଜ୍ୟକୁ ପଠାଯାଇଛି ୧୪ଟି ଟ୍ରେନ୍
ପୂର୍ବତଟ ରେଳପଥ ଓ ଆଇଆର୍‌ସିଟିସି ଦ୍ୱାରା ୧୦ ଲକ୍ଷରୁ ଅଧିକ ଖାଦ୍ୟ ବାଣ୍ଟନ

ଭୁବନେଶ୍ୱର : ଲକ୍‌ଡାଉନ୍ ସମୟରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ‘ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌’ ଚଳାଚଳ କରିଛି। ଏହି କ୍ରମରେ ପୂର୍ବତଟ ରେଳପଥ ଜୁନ୍‌ ୧୨ପର୍ଯ୍ୟନ୍ତ ଓଡ଼ିଶାକୁ ୨ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀଙ୍କୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ରେ ପରିବହନ କରିସାରିଛି। ମେ’ ପହିଲାଠାରୁ ଆଜି ଯାଏଁ ୫୫୮ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଏହାର ପରିସୀମା ମଧ୍ୟରେ ଚଳାଚଳ କରିଛି। ସେଥିମଧ୍ୟରୁ ପୂର୍ବତଟ ରେଳପଥ ଦ୍ୱାରା ୨୩୫ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଗ୍ରହଣ କରାଯାଇଛି ଓ ୧୪ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ପଠାଯାଇଛି। ସେଥିମଧ୍ୟରୁ ସମ୍ବଲପୁରରୁ ଗୋଟିଏ, ଭୁବନେଶ୍ୱରରୁ ଦୁଇଟି ଓ ଅନ୍ୟଗୁଡ଼ିକ ବିଶାଖାପାଟଣାରୁ ଅନ୍ତର୍ଭୁକ୍ତ। ଓଡ଼ିଶାକୁ ଆସିଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟରେ ଅଧାଅଧି ଗୁଜରାଟରୁ ଆସିଛି। ଅନ୍ୟ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ, ଦିଲ୍ଲୀ ଓ ମହାରାଷ୍ଟ୍ରରୁ ଆସିଛି। ହାରାହାରି ୩୦୬ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷିତ ଯାତ୍ରା କରିଛି, ଯେଉଁଥିରେ ଖାଦ୍ୟ ପ୍ୟାକେଟ୍‌, ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ବିଭିନ୍ନ ଷ୍ଟେସନ୍‌ରେ ପ୍ରଦାନ କରାଯାଇଛି।

ଯାତ୍ରୀଙ୍କ ଆଗମନ ସମୟରେ ତଥା ଗନ୍ତବ୍ୟସ୍ଥାନକୁ ପଠାଇବା ସମୟରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା ନିମନ୍ତେ ସମସ୍ତ ଷ୍ଟେସନ୍‌ମାନଙ୍କରେ ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ ତାପମାତ୍ରାର ଯାଞ୍ଚ କରାଯାଉଛି। ପେଡାଲ୍ ପରିଚାଳିତ ପଦ୍ଧତି ଦ୍ୱାରା ହାତ ସାନିଟାଇଜେସନ୍‌ର ସୁବିଧା ଯୋଗାଇ ଦିଆଯାଇଛି। କେତେକ ସ୍ଥାନରେ ଟ୍ରେନ୍ ଆଗମନ ପୂର୍ବରୁ ଓ ପ୍ରସ୍ଥାନ ପରେ ସ୍ଥାନୀୟ ପ୍ରଶାସନ ସହାୟତାରେ ସମଗ୍ର ଷ୍ଟେସନ୍ ପରିସରକୁ ସାନିଟାଇଜ୍ କରାଯାଉଛି।

ସମ୍ବନ୍ଧିତ ଖବର