ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ସ୍ବତନ୍ତ୍ର ଛୁଟି

ଏ ଯାଏ ଚିହ୍ନଟ ହୋଇନାହିଁ ସମ୍ବେଦନଶୀଳ ବୁଥ୍
୩୨୫ ଜଣଙ୍କୁ ପୋଷ୍ଟାଲ ବାଲାଟ୍‌ରେ ଭୋଟ୍‌ ପାଇଁ ଅନୁମତି
ନିର୍ବାଚନମଣ୍ଡଳୀରେ ୩୦ଟି ମଡେଲ, ୫ ପିଙ୍କ୍ ବୁଥ୍

ଭୁବନେଶ୍ବର : ଆସନ୍ତା ୩୧ତାରିଖରେ ହେବାକୁ ଥିବା ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ସ୍ବତନ୍ତ୍ର ଛୁଟି ଘୋଷଣା କରାଯାଇଛି। ସ୍ଥାନୀୟ ଭୋଟରଙ୍କ ପାଇଁ ଏହି ଛୁଟି ଘୋଷଣ‌ା ହୋଇଥିବା ବେଳେ ନିର୍ବାଚନମଣ୍ଡଳୀ ବାହାରେ ରହୁଥିବା ଭୋଟରମାନେ ୩ଦିନ ଛୁଟି ନେଇପାରିବେ। ଭୋଟ ପୂର୍ବଦିନ, ଭୋଟ ଦିନ ଓ ଭୋଟ ପର ଦିନ ସେମା‌ନେ ଛୁଟି ନେଇପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି।

ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନି କହିଥିଲେ ଯେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ୧୧ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ନିର୍ବାଚନମଣ୍ଡଳୀରେ ୨,୧୪,୮୭୮ ଭୋଟର ରହିଛନ୍ତି। ଏଥିରେ ୩୫୨୦ ଭିନ୍ନକ୍ଷମ, ୧୬୨୮ଜଣ ୮୦ବର୍ଷରୁ ଅଧିକ ଓ ୨୧୪ଜଣ ସର୍ଭିସ୍ ଭୋଟର ଅଛନ୍ତି। ୧୩୩ ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି। କରୋନା ଓ ଅନ୍ୟ କାରଣ ପାଇଁ ୫୨୫ଜଣ ପୋଷ୍ଟାଲ ଭୋଟ ଦେବାକୁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୩୨୫ଜଣଙ୍କୁ ଅନୁମତି ଦିଆଯାଇଛି। ଯେଉଁମାନେ ପୋଷ୍ଟାଲ ଭୋଟ ଦେବେ ସେମାନଙ୍କୁ ବୁଥରେ ଭୋଟ ଦେବାକୁ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଚଳିତଥର ୨୭୯ଟି ବୁଥରେ ନିର୍ବାଚନ ହେବ। ଏଥିରେ ୩୦ଟି ମଡେଲ ଓ ୫ଟି ପିଙ୍କ ବୁଥ୍ ରହିଛି। ଏଥିପାଇଁ ଆବଶ୍ୟକ ଇଭିଏମ୍‌ ଓ ଭିଭିପାଟ ମେସିନ୍ ଉପଲବ୍ଧ ରହିଛି।

ସେହିପରି ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ କରାଯିବା ସହିତ ଆବଶ୍ୟକ ପଡ଼ିଲେ ଭିଡ଼ିଓଗ୍ରାଫି ମଧ୍ୟ କରାଯିବ। ଏହାସହ ସ୍ଥାନୀୟ ଅଞ୍ଚଳରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ଥାନାକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଜାରି ରହିଛି। ଆସାମାଜିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ‌ଭୋଟ ହାର ବଢ଼ାଇବାକୁ ‘ମୁଁ ବି ଭୋଟ ଦେବି’ ଅଭିଯାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି। ‌ଭୋଟ ସଂପର୍କିତ ସମସ୍ତ ସୂଚନା ପାଇଁ ଟୋଲ ଫ୍ରି ନମ୍ବର ୧୯୫୦ କାର୍ଯ୍ୟକାରୀ ହୋଇଛି। ତେବେ ଭୋଟର ମାନଙ୍କ ଥର୍ମାଲ ସ୍କାନିଂ କରାଯିବା ସହିତ ସେମାନେ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ଉଚିତ୍। ତେବେ ନିର୍ବାଚନମଣ୍ଡଳ ମଣ୍ଡଳୀରେ ବର୍ତମାନ ସୁଦ୍ଧା କୌଣସି ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇ ନାହିଁ। ଆଗକୁ ଯଦି ଏଭଳି ବୁଥ୍ ଚିହ୍ନଟ କରାଯାଏ ତାହାଲେ ସେହି ବୁଥ୍ ସଂପର୍କରେ ସୂଚନା ଦିଆଯିବ।

ରାଜ୍ୟସଭା ନିର୍ବାଚନ ଉପରେ ଶ୍ରୀ ଲୋହାନି କହିଥିଲେ ଯେ ରାଜ୍ୟସଭାର ୩ଟି ସିଟ୍‌ ପାଇଁ ଯେଉଁ ସାଧାରଣ ନିର୍ବାଚନ ହେବ ତାହାର ବିଜ୍ଞପ୍ତି ୨୪ତାରିଖ ଓ ଗୋଟିଏ ସିଟ୍‌ ପାଇଁ ଉପ-ନିର୍ବାଚନ ପାଇଁ ୨୬ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର