ରାଜ୍ୟର ୨୦୮ ବ୍ଲକ୍‌ରେ ସ୍ବତନ୍ତ୍ର କୁଷ୍ଠ ଚିହ୍ନଟ ଅଭିଯାନ

ଜାନୁଆରି ୧୮ରୁ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ, ପ୍ରତିଦିନ ୩୦ ଘରକୁ ଯାଇ ଚିହ୍ନଟ କରିବେ ଆଶାକର୍ମୀ

ଭୁବନେଶ୍ବର: କରୋନା ପାଇଁ ରାଜ୍ୟରେ କୁଷ୍ଠ ଚିହ୍ନଟ ଅଭିଯାନ ବାଧାପ୍ରାପ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ କୁଷ୍ଠ ଚିହ୍ନଟ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟର ୨୦୮ଟି ବ୍ଲକ୍‌ରେ ସ୍ବତନ୍ତ୍ରଭାବେ ଚିହ୍ନଟ ଅଭିଯାନ କରାଯିବ। ଆସନ୍ତା ଜାନୁଆରି ୧୮ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଏଥିରେ ଆଶାକର୍ମୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ କୁଷ୍ଠ ଚିହ୍ନଟ ଅଭିଯାନ ସଂପୂର୍ଣ୍ଣଭାବେ ବାଧାପ୍ରାପ୍ତ ହୋଇଥିଲା। ଚିହ୍ନଟ କାର୍ଯ୍ୟକ୍ରମ ସମୟରେ ସାମାଜିକ ଦ୍ବରତ୍ବ ବଜାୟ ରଖିବା ସମ୍ଭବ ନ ଥିବାରୁ ନୂତନ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରିବା ସମ୍ଭବପର ନ ଥିଲା। ମାତ୍ର ଏବେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଚିହ୍ନଟ ଅଭିଯାନକୁ ଜୋରଦାର କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। କନ୍ଧମାଳକୁ ବାଦ୍ ଦେଲେ ୨୯ ଜିଲ୍ଲାର ୨୦୮ଟି ବ୍ଲକ୍‌ରେ ଅଭିଯାନ ଚାଲିବ। ଆଶା କର୍ମୀ ପ୍ରତ୍ୟେକ ଦିନ ୩୦ଟି ଘରକୁ ପରିଦର୍ଶନ କରିବା ସହିତ କୌଣସି ବ୍ୟକ୍ତିଙ୍କ ନିକଟରେ କୁଷ୍ଠ ଲକ୍ଷଣ ଥାଏ ତାଙ୍କୁ ଚିହ୍ନଟ କରିବେ। ତେବେ ଏଥିପାଇଁ ଗ୍ରାମାଞ୍ଚଳ ସ୍ତରରେ ମାଇକ୍ରୋପ୍ଲାନ୍ ପ୍ରସ୍ତୁତ କରିବା ଲାଗି କୁହାଯାଇଛି।

୨୦୦୬ ମସିହାରେ ରାଜ୍ୟକୁ କୁଷ୍ଠ ମୁକ୍ତ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ଏହି ଘୋଷଣା କେବଳ କାଗଜପତ୍ର ହୋଇଥିବାରୁ ୨୦୧୪ ମସିହାରେ ପୁନର୍ବାର କୁଷ୍ଠ ରୋଗ ଓଡ଼ିଶାକୁ ଫେରିଥିଲା। ସେହିବର୍ଷ ରାଜ୍ୟରେ ୧୦ହଜାରରୁ ଅଧିକ ଲୋକ କୁଷ୍ଠ ଚିହ୍ନଟ ହୋଇଥିଲେ। ଯାହାକି ସରକାରଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ପରବର୍ତୀ ସମୟରେ ରାଜ୍ୟ ସରକାର କୁଷ୍ଠ ନିରାକରଣ ପାଇଁ ପୁନର୍ବାର ଉଦ୍ୟମ ଆରମ୍ଭ କରିଥିଲେ। ଏହାର ପରବର୍ତୀ ବର୍ଷ ଗୁଡ଼ିକରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ସହିତ ଗ୍ରେଡ୍‌ ଟୁ ଡିଜାବିଲିଟି (ଜିଟୁଡି)ରେ କ୍ରମାଗତ ଭାବେ ହ୍ରାସ ଦେଖିବାକୁ ମିଳିଛି। ୨୦୧୬/୧୭ ମସିହାରେ ରାଜ୍ୟରେ ୧୦,୦୪୫, ୨୦୧୭/୧୮ରେ ୯,୫୭୬, ୨୦୧୮/୧୯ରେ ୧୦,୭୮୬ ଓ ୨୦୧୯/୨୦ରେ ୧୦,୦୭୭ ରୋଗୀ ରାଜ୍ୟରେ ରହିଛନ୍ତି। ସେହିପରି ଜିଟୁଡି ରୋଗୀଙ୍କ ସଂଖ୍ୟା ୨୦୧୫/୧୬ ମସିହାରେ ୧୦ଲକ୍ଷ ଜନସଂଖ୍ୟାରେ ୧୩.୨ ପ୍ରତିଶତ ରହିଥିବା ବେଳେ ୨୦୧୯/୨୦ରେ ଏହା ୪ ପ୍ରତିଶତକୁ ଖସି ଆସିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ, ରାଜ୍ୟରେ କୁଷ୍ଠ ରୋଗ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଲକ୍ଷଣଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲାଗି ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଚଳିତବର୍ଷ କରୋନା ସଂକ୍ରମଣ ଯୋଗୁଁ ଚିହ୍ନଟ ଅଭିଯାନ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଯେଉଁ ସମ୍ବେଦନଶୀଳ ଜିଲ୍ଲାରେ ଅଭିଯାନ ବାଧାପ୍ରାପ୍ତ ହୋଇଛି ସେସବୁ ବ୍ଳକ୍‌ରେ ଅଭିଯାନକୁ ତ୍ବରାନ୍ବିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ଜାନୁଆରି ୧୮ତାରିଖରୁ ଏହି ଅଭିଯାନ ଚାଲିବ। ନିୟମିତ ଟିକାକରଣ ଚାଲୁଥିବା ବୁଧବାର ଓ ରବିବାରକୁ ବାଦ୍ ଦେଲେ ଅନ୍ୟ ଦିନ ଗୁଡ଼ିକରେ ଚିହ୍ନଟ ଅଭିଯାନ କରାଯିବ। ଯେଉଁ କୁଷ୍ଠ ଆକ୍ରାନ୍ତଙ୍କ ୯ମାସ ଧରି ଚିକିତ୍ସା କରା ନ ଯାଏ ସେମାନଙ୍କ କ୍ଷେତ୍ରରେ ଭିନ୍ନକ୍ଷମତା ପରିପ୍ରକାଶ ପାଇଥାଏ। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କୁଷ୍ଠ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଉଛି। ଏହାସହ ଯେଉଁମାନଙ୍କର ପୂର୍ବରୁ କୁଷ୍ଠ ଯୋଗୁଁ ଭିନ୍ନକ୍ଷମ ହୋଇ ଯାଇଥିଲେ ସେମାନଙ୍କୁ ଅସ୍ତ୍ରୋପଚାର କରାଯାଉଥିବା ଅଧିକାରୀ ସୂଚନା ଦେଇଛନ୍ତି।

ହିନ୍ଦ କୁଷ୍ଠ ନିବାରଣ ସଂଘ, ଓଡ଼ିଶାର ଆଜୀବନ ସଦସ୍ୟ ଦୁର୍ଯ୍ୟୋଧନ ସାହୁ ୨୦୦୬/୦୭ରେ ୫,୬୮୫ କୁଷ୍ଠ ଆକ୍ରାନ୍ତ ଅର୍ଥାତ୍ ପ୍ରତି ୧୦ହଜାର ଲୋକସଂଖ୍ୟାରେ ୦.୮ ଜଣ ଚିହ୍ନଟ ହେଉଥିବା ଦର୍ଶାଇଥିଲେ। ଯାହାଫଳରେ ସରକାର ଓଡ଼ିଶାକୁ କୁଷ୍ଠ ମୁକ୍ତ ‌ବୋଲି ଘୋଷଣା କରିଥିଲେ। ମାତ୍ର ପରବର୍ତୀ ସମୟରେ କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ୨୦୧୩/୧୪ରୁ ପ୍ରତିବର୍ଷ ୧୦ହଜାରରୁ ଅଧିକ ଲୋକ ଚିହ୍ନଟ ହେଉଛନ୍ତି। ଯାହାକି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଧାର୍ଯ୍ୟ ମାନଦଣ୍ଡଠାରୁ ଅଧିକ। ରାଜ୍ୟରେ ଏବେ ୧.୪୭ ହାରରେ ରୋଗୀ ଚିହ୍ନଟ ହୋଉଛନ୍ତି। ଏହି ଧାରା ଜାରି ରହିଥିବା ବେଳେ ଓଡ଼ିଶା ଏବେ ଜନସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛି। ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ ହେଉଥିଲେ ‌ହେଁ, ରୋଗୀଙ୍କ ସଂଖ୍ୟା କମୁନାହିଁ। ‌କୁଷ୍ଠ ରୋଗୀଙ୍କ ପାଇଁ ୪୦୪ ତାଲିମପ୍ରାପ୍ତ କୁଷ୍ଠକର୍ମୀ ପଦବିରୁ ୩୫୦ ଖାଲି ପଡ଼ିଛି। ବିଭିନ୍ନ ଆଳ ଦେଖାଇ ଏହାକୁ ପୂରଣ କରାଯାଉ ନାହିଁ। ୨୦୨୩/୧୪, ୨୦୧୪/୧୫ ଅଧିକ ସମ୍ବେଦନଶୀଳ ଜିଲ୍ଲା ପାଇଁ ୧୮୪ କୁଷ୍ଠକର୍ମୀ ପଦବି କେନ୍ଦ୍ର ସରକାର ମଞ୍ଜୁର କରିବା ସହିତ ଅର୍ଥ ପ୍ରଦାନ କରିଥିଲେ। ମାତ୍ର ଏହାକୁ ପୂରଣ କରାଗଲା ନାହିଁ। କେନ୍ଦ୍ର ସରକାର ୨୦୦୭/୦୮ରେ ଡିଜାବିଲିଟି ପ୍ରିଭେନସନ ଏଣ୍ଡ ମେଡିକାଲ ରିହାବିଲେସନ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମାତ୍ର ରାଜ୍ୟର କୌଣସ ପିଏଚ୍‌ସିରେ ଏହି କ୍ଲିନିକ୍ ନାହିଁ। କାଗଜପତ୍ରରେ ରୋଗୀ ଦେଖା ଚାଲୁଥିବା ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର