ବାରିପଦା: ଏଠି ବ୍ୟବସାୟ ପାଇଁ ନଗଦ ଟଙ୍କା ନେଣଦେଣ ହୁଏନି। ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା ତ ଦୂରର କଥା, ଏଠାରେ ଆଜି ବି ଚାଲିଛି ମୁଦ୍ରା ପ୍ରଚଳନ ପୂର୍ବର ବଦଳ ବ୍ୟବସ୍ଥା। ଏମିତି ଏକ ବିରଳ ହାଟ ହେଉଛି ମୟୂରଭଞ୍ଜ ଜିଲ୍ଲାର ରଙ୍ଗାମାଟିଆ ସାପ୍ତାହିକ ହାଟ। ଶାମାଖୁଣ୍ଟା ବ୍ଲକ୍ ରଙ୍ଗାମାଟିଆ ପଞ୍ଚାୟତର ଏହି ହାଟ ପ୍ରତି ଶନିବାର ବସେ। ଦିନ ୨ଟାରୁ ରାତି ଯାଏ ଏଠାରେ ଶହଶହ ଗ୍ରାହକଙ୍କ ଭିଡ଼ ଜମେ। ତେବେ ଏହି ହାଟରୁ କିଛି ସାମଗ୍ରୀ କିଣିବା ପାଇଁ ହେଲେ ଲୋକଙ୍କୁ ଟଙ୍କା ପଇସା ଧରି ଆସିବାକୁ ପଡ଼େନି। ବରଂ ଧାନଚାଉଳ ଧରି ହାଟ ସଉଦା କରିବାକୁ ଆସନ୍ତି। ନିଜ ପସନ୍ଦର ସାମଗ୍ରୀ ନିଅନ୍ତି ଓ ବଦଳରେ ଧାନଚାଉଳ ଦିଅନ୍ତି। ପନିପରିବାଠାରୁ ଆରମ୍ଭ କରି ଲୁଗାପଟା ପର୍ଯ୍ୟନ୍ତ ସବୁକିଛି ଏଠି ଉପଲବ୍ଧ ଓ ଏସବୁ କିଣାବିକା ଚାଲେ ସାମଗ୍ରୀ ବଦଳରେ। ସେହିପରି ଧାନଚାଉଳ ଓଜନ କରିବା ପାଇଁ ବି ଏଠାରେ ବିଶେଷ ଚିନ୍ତା କରିବାକୁ ପଡ଼େନି। କେବଳ ହାତରେ ଭାଗ ଭାଗ କରିଦେଲେ ଅନ୍ୟ ଲୋକଟି ବିଶ୍ବାସରେ ନେଇଯାଏ।
ରଙ୍ଗାମାଟିଆ ଗାଁର ରଘୁନାଥ ସିଂ’ କହିଛନ୍ତି, ପିଲାଟି ଦିନରୁ ମୁଁ ଏ ହାଟକୁ ଆସୁଛି। ଏଠାରୁ ସମ ମୂଲ୍ୟର ଜିନିଷ ଦେଇ ନିଜ ଆବଶ୍ୟକ ଜିନିଷ ନେଉଛି। ଏଠାରେ ବ୍ୟବସାୟ କରୁଥିବା ସାଗରିକା ସିଂଙ୍କ କହିବା ଅନୁସାରେ ସବୁ ହାଟ ପାଳିରେ ମୁଁ ପନିପରିବା ଧରି ୨ଟା ବେଳେ ପହଞ୍ଚେ। ସନ୍ଧ୍ୟା ସୁଦ୍ଧା ପନିପରିବା ବଦଳରେ ଧାନଚାଉଳ ନେଇ ଘରକୁ ଯାଏ। ଏଥିସହ ନିଜ ଘର ପାଇଁ କିଛି ନେବାର ଥିଲେ, ପାଇଥିବା ଚାଉଳରୁ ଦୋକାନୀଙ୍କୁ ଦେଇ ନିଜ ପସନ୍ଦର ସାମଗ୍ରୀ ନିଏ। ଏଠାରେ ଆମେ ଲାଭ ଦେଖି ନଥାଉ, ବରଂ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଏକ ଅତୁଟ ବିଶ୍ବାସରେ ହିଁ ଏହି ହାଟ କେଉଁ କାଳରୁ ଚାଲି ଆସିଛି ବୋଲି କହିଛନ୍ତି ସ୍ଥାନୀୟ ବ୍ୟବସାୟୀ ଅକାଳି ଚରଣ ସିଂ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/29/dwbX0oIabnJucumPzK8f.jpg)