ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଦେଖା ଦେଇଥିବା ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଡାକ୍ତରୀଦଳ ଗଠନ କରାଯାଇଛି। ପରିସ୍ଥିତି ଉପରେ ନଜର ରଖିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲଯାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।
ଆଜି ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ସ୍ୱାସ୍ଥ୍ୟସେବା ବଜାୟ ନେଇ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ସଂପର୍କରେ ଶ୍ରୀ ଜେନା ସମୀକ୍ଷା କରିଥିଲେ। ବୈଠକ ପରେ ଶ୍ରୀ ଜେନା ଗଣମାଧ୍ୟମକୁ କହିଥିଲେ ଯେ ସାପକାମୁଡ଼ା ଇଞ୍ଜେକସନ୍ ସହିତ ହାଲୋଜେନ୍ ବଟିକା, ଓଆରଏସ୍, ବ୍ଲିଚିଂ, ଆଣ୍ଟି ବାଇଓଟିକ୍ ଓ ଅନ୍ୟାନ୍ୟ ଆବଶ୍ୟକ ଔଷଧ ମହଜୁଦ୍ ରହିଛି। ବିଭିନ୍ନ ଜିଲ୍ଲା ପାଇଁ ନୋଡାଲ ଅଫିସର୍ଙ୍କୁ ଦାୟିତ୍ୱ ଦିଆଯାଇଛି। ବନ୍ୟା ସମୟରେ ଜଳବନ୍ଦୀ ହେଉଥିବା ଲୋକଙ୍କ ପାଖରେ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲାଯିବ ଓ ଭ୍ରାମ୍ୟମାଣ ଚିକିତ୍ସକ ଦଳର ମଧ୍ୟ ବ୍ୟବସ୍ଥା କରାଯାଇଛି। ୧୦୮ ଓ ୧୦୨ ଆମ୍ବୁଲାନ୍ସ, ଆରବିକେଏସ୍ ଗାଡ଼ିଗୁଡ଼ିକୁ ବିଭିନ୍ନ ସ୍ୱାସ୍ଥ୍ୟାନୁଷ୍ଠାନମାନଙ୍କରେ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ବର୍ଷା ଓ ବନ୍ୟା ପାଣି ହ୍ରାସ ପାଇବା ମାତ୍ରକେ ପାନୀୟ ଜଳ ଉତ୍ସଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶୋଧନ କରିବାକୁ ନିର୍ଦେଶ ଦିଆଯାଇଛି।
ସମନ୍ଵିତ ରୋଗ ସର୍ବେକ୍ଷଣ ବ୍ୟବସ୍ଥା ଜରିଆରେ ଦୈନିକ ରିପୋର୍ଟ ସଂଗ୍ରହ କରାଯିବା ସହିତ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। କୌଣସି ସ୍ଥାନରେ ଯେପରି ପତଳା ଝାଡ଼ା ଆଦି ମହାମାରୀ ରୂପ ନ ନିଏ, ସେଥିପ୍ରତି ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ବନ୍ୟା ଅଞ୍ଚଳ ଓ ଅନ୍ୟାନ୍ୟ ଦୁର୍ଗମ ଅଞ୍ଚଳ ଗର୍ଭବତୀ ମହିଳା, ଯେଉଁମାନଙ୍କର ୧୫ଦିନ ମଧ୍ୟରେ ସମ୍ଭାବ୍ୟ ପ୍ରସବ ତାରିଖ ରହିଛି, ସେମାନଙ୍କୁ ନିକଟବର୍ତୀ ସୁରକ୍ଷିତ ମା’ଗୃହକୁ ଆଣି ଯତ୍ନ ନେବାକୁ ଶ୍ରୀ ଜେନା ନିର୍ଦେଶ ଦେଇଛନ୍ତି।
ସଚିବାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ସ୍ୱତନ୍ତ୍ର ସଚିବ ଡା. ବସନ୍ତ ପଣ୍ଡା, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା. ବି.କେ ବ୍ରହ୍ମା, ଅତିରିକ୍ତ ନିର୍ଦେଶକ ଡା. ଶକ୍ତି ପ୍ରସାଦ ପାଢ଼ୀ ଓ ଉପ-ନିର୍ଦେଶକ ଡା. ଅର୍ଘ୍ୟ ପ୍ରଧାନଙ୍କ ସମେତ ବହୁ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/ddo.jpg)