ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୪ ତାରିଖରେ ପୁରୀ ଗସ୍ତରେ ଆସିବେ। ଏହି ଅବସରରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଗୋପବନ୍ଧୁ ଆୟୁର୍ବେଦ ମେଡିକାଲ୍ କଲେଜ ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ। ଏଥିପାଇଁ ଛତିଶାନିଯୋଗର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦର ଗସ୍ତ, ଦର୍ଶନ ବ୍ୟବସ୍ଥା ଆଦି କିଭଳି ଶୃଙ୍ଖଳିତ ରହିବ, ସେ ଉପରେ ବୈଠକରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ବି ଚୂଡ଼ାନ୍ତ ହୋଇଛି। ଗର୍ଭଗୃହରୁ ରାଷ୍ଟ୍ରପତି ମହାପ୍ରଭୁ ଦର୍ଶନ କରିବେ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
୨୪ ତାରିଖ ପୂର୍ବାହ୍ଣ ୧୧ରୁ ଦର୍ଶନ ବନ୍ଦ, ୨୩ ଓ ୨୪ ତାରିଖ ରାତି ୩ରୁ ଦ୍ବାରଫିଟା
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ପୌରୋହିତ୍ୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ନିଯୋଗର ସଭାପତି, ସଂପାଦକ ଓ ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ। ବୈଠକ ପରେ ଡ. ପାଢ଼ୀ କହିଛନ୍ତି, ଅକ୍ଟୋବର ୨୪ ତାରିଖରେ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟାରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଆସିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ନୀତିରେ ଶୃଙ୍ଖଳା ଆଣିବା ପାଇଁ ଅକ୍ଟୋବର ୨୩ ଓ ୨୪ ତାରିଖ ରାତି ୩ଟାରୁ ଦ୍ବାରଫିଟା ନୀତି କରିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି କରିବାକୁ ଚୂଡ଼ାନ୍ତ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ତାରିଖ ପୂର୍ବାହ୍ଣ ୧୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହାର ୧ ଘଣ୍ଟା ଆଗରୁ ଶ୍ରୀମନ୍ଦିର ଶୋଧ କରାଯିବ। ସମସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିରରୁ ବାହାର କରାଯିବ। ପୂର୍ବାହ୍ଣ ୧୧ଟା ଅବା ସାଢ଼େ ୧୧ଟା ପରଠାରୁ ଯେଉଁ ନୀତି ରହିବ, ତାହା ବନ୍ଦ ରହିବ।
ରାଷ୍ଟ୍ରପତି ଦର୍ଶନ ସାରି ଫେରିବା ପରେ ଦର୍ଶନ ସ୍ବାଭାବିକ ହେବା ସହ ପରବର୍ତ୍ତୀ ନୀତି ଆରମ୍ଭ ହେବ। ଗର୍ଭଗୃହରୁ ରାଷ୍ଟ୍ରପତି ଦର୍ଶନ ବେଳେ ଅଣପାଳିଆ ସେବକ ରହିବେନି। କେବଳ ପାଳିଆ ସେବକମାନେ ଭିତରେ ରହିବେ। ବାକି ସେବାୟତ ବାହାରେ ରହିବେ। ପାଳିଆ ସେବକଙ୍କ ପାଇଁ ପାସ୍ ବ୍ୟବସ୍ଥା କରାଯିବ। ଜିଲ୍ଲା ପ୍ରଶାସନ ଏହି ପାସ୍ ବ୍ୟବସ୍ଥା କରିବ। ଅଧିକୃତ କୌଳିକ ପଣ୍ଡା ରାଷ୍ଟ୍ରପତିଙ୍କ ସହ ଶ୍ରୀମନ୍ଦିରକୁ ଯିବେ। କୌଳିକ ପଣ୍ଡାଙ୍କୁ ବି ପାସ୍ ପ୍ରଦାନ କରାଯିବ। ଏଣୁ ଏହି ଦିନ ଶୃଙ୍ଖଳିତ ନୀତିଓ ରାଷ୍ଟ୍ରପତିଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଛତିଶାନିଯୋଗର ସହଯୋଗ ଲୋଡ଼ାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରାଷ୍ଟ୍ରପତିଙ୍କୁ କ’ଣ ଉପହାର ଦିଆଯିବ, କେଉଁ ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତିଙ୍କ ଦାୟିତ୍ବରେ ରହିବେ, ତାହା ବି ଚୂଡ଼ାନ୍ତ ହୋଇଛି ବୋଲି ଡ. ପାଢ଼ୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/jagannath-temple-the-financial-express.jpg)