ଅଲାରନାଥ ଦର୍ଶନ ପାଇଁ ବ୍ରହ୍ମଗିରିକୁ ଆଜିଠୁ ସ୍ବତନ୍ତ୍ର ‘ମୋ ବସ୍‌’

ଭୁବନେଶ୍ବର: ଚଳିତ ମାସ ରଥଯାତ୍ରାରେ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଯାଉଛି। ତା’ ପୂର୍ବରୁ ବ୍ରହ୍ମଗିରିରେ ଆସନ୍ତାକାଲି(ସୋମବାର) ଠାରୁ ଶ୍ରୀଅଲାରନାଥଙ୍କ ଦର୍ଶନ ଆରମ୍ଭ ହେଉଛି। ଏଥିପାଇଁ ମଧ୍ୟ ପ୍ରବଳ ଭିଡ଼ ହେବ। ଏଣୁ ଏଠାକୁ ଭକ୍ତମାନଙ୍କର ଶୃଙ୍ଖଳିତ ତଥା ନିରାପଦ ଯାତ୍ରାକୁ ନିଶ୍ଚିତ କରିବା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସ୍ୱତନ୍ତ୍ର ‘ମୋ ବସ୍’ ଚଳାଚଳ ପାଇଁ ଯୋଜନା ହୋଇଛି। ଭକ୍ତମାନଙ୍କର ଏହି ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟରେ ଦୁଇଟି ରୁଟ୍‌ରେ ବସ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ରୁଟ୍ ନଂ-୭ରେ ମାଷ୍ଟର କ୍ୟାଣ୍ଟିନ୍‌ରୁ ବ୍ରହ୍ମଗିରି ଓ ରୁଟ୍ ନଂ-୮ରେ ବରମୁଣ୍ଡାରୁ ବ୍ରହ୍ମଗିରିକୁ ‘ମୋ ବସ୍‌’ ଚାଲିବ। ଜୁନ୍ ୫ ବା ସୋମବାର ଠାରୁ ଏହି ସ୍ବତନ୍ତ୍ର ସେବା ଆରମ୍ଭ ହେବ। ଏନେଇ ଅଧିକ ସୂଚନା କ୍ରୁଟ୍‌ର ବିଭିନ୍ନ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ରହିଥିବା କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

ରେଳ ଷ୍ଟେସନରୁ ବ୍ରହ୍ମଗିରି ଯିବାକୁ ଥିବା ୭ ନଂ ରୁଟ୍‌ର ବସ୍‌ ପିପିଲି ବାଇପାସ୍‌, ସାକ୍ଷୀଗୋପାଳ, ବୀରହରେକୃଷ୍ଣପୁର, ମଙ୍ଗଳାଘାଟ, ଗୋରୁଆଳ, ରେବଣା ନୂଆ ଗାଁ, ଶ୍ରୀଅଲାରନାଥ ମନ୍ଦିର ଛକ ଦେଇ ବ୍ରହ୍ମଗିରି ନୂଆ ବସ୍‌ଷ୍ଟାଣ୍ଡରେ ପହଞ୍ଚିବ। ପ୍ରତ୍ୟେକ ଦିନ ସକାଳ ୮ଟା ୨୦ରେ ଗୋଟିଏ ଓ ୪ଟା ୧୦ ମିନିଟ୍‌ରେ ଆଉ ଗୋଟିଏ ବସ୍‌ ଭୁବନେଶ୍ବର ମ‌ାଷ୍ଟରକ୍ୟାଣ୍ଟିନ୍‌ରୁ ଛାଡ଼ିବ। ସେହିଭଳି ରୁଟ୍‌ ନମ୍ବର ୮ର ଗୋଟିଏ ସକାଳ ୭ଟା ଓ ଆଉ ଗୋଟିଏ ଅପରାହ୍ନ ୩ଟାରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବାହାରି ଏହି ରୁଟ୍‌ ଦେଇ ବ୍ରହ୍ମଗିରି ପହଞ୍ଚିବ। ଭକ୍ତମାନେ ଏହାର ସୁଯୋଗ ନେବାକୁ କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର