୨୧ରେ ସ୍ବତନ୍ତ୍ର ଓଜେଇଇ : ପରୀକ୍ଷା ଦେବେ ୧୭,୬୭୯ ଛାତ୍ରଛାତ୍ରୀ

ଭୁବନେଶ୍ବର : ବି.ଟେକ୍‌, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌(ଡିପ୍ଲୋମା), ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌(ବିଏସ୍‌ସି),ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ, ବି.ଫାର୍ମା ଓ ଏମ୍‌.ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୨୧ ତାରିଖରେ ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ଦୁଇଟି ସିଫ୍ଟରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ରାଜ୍ୟର ୨୦ଟି ସହରରେ ୩୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏଥର ୧୭,୬୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବି.ଟେକ୍‌ରେ ସର୍ବାଧିକ ୭,୭୭୧ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌(ଡିପ୍ଲୋମା) ପାଇଁ ୪,୩୧୨, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌(ବିଏସ୍‌ସି)ରେ ୧୨୦, ଏମ୍‌ବିଏରେ ୩,୪୦୪, ଏମ୍‌ସିଏରେ ୬୧୪, ଲାଟେରାଲ ଏଣ୍ଟ୍ରି ଏମ୍‌ସିଏରେ ୨୪୭, ବି.ଫାର୍ମାରେ ୧୧୬୨ ଓ ଏମ୍‌.ଫାର୍ମାରେ ୪୯ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି।

ଦୁଇଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂରେ ବି.ଟେକ୍‌ ଓ ବି. ଫାର୍ମା ପାଠ୍ୟକ୍ରମ ଓ ଅନ୍ୟ ପାଠ୍ୟକ୍ରମଗୁଡ଼ିକ ଲାଗି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂରେ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀମାନେ ‘ojee.nic.in’ ୱେବସାଇଟ୍‌ରୁ ସେମାନଙ୍କ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଜୁଲାଇ ୨୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରୢାଙ୍କକାର୍ଡ ଡାଉନ୍‌ଲୋଡ୍‌ କରିବା ସହ ଅନ୍‌ଲାଇନ୍‌ରେ ଚଏସ୍‌ ଫିଲିଂ କରିପାରିବେ। ଜୁଲାଇ ୩୦ରେ ପ୍ରଥମ ପର୍ଯ୍ୟାୟ ଆଲଟ୍‌ମେଣ୍ଟ କରାଯିବ। ଅଗଷ୍ଟ ୧ ଓ ୨ରେ ନୋଡାଲ୍‌ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୩ ତାରିଖରେ ଚୂଡ଼ାନ୍ତ ଆ‌ଲଟ୍‌ମେଣ୍ଟ ସହ ଛାତ୍ରଛାତ୍ରୀ କଲେଜରେ ରିପୋର୍ଟିଂ କରିପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର