ଆଜି ସ୍ବତନ୍ତ୍ର ଓଜେଇଇ ଫଳ

ଭୁବନେଶ୍ବର : ବି.ଟେକ୍‌, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌(ଡିପ୍ଲୋମା), ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌(ବିଏସ୍‌ସି),ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ, ବି.ଫାର୍ମା ଓ ଏମ୍‌.ଫାର୍ମା ପାଠ୍ୟକ୍ରମରେ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ଅନୁଷ୍ଠିତ ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଗୁରୁବାର ପ୍ରକାଶ ପାଇବ। ଅପରାହ୍ନରେ ଓଜେଇଇ ୱେବସାଇଟ୍‌ରେ ଫଳ ଉପଲବ୍ଧ ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି। ଚଳିତବର୍ଷ ସ୍ବତନ୍ତ୍ର ଓଜେଇଇ ପାଇଁ ୧୭ ହଜାର ୭୭୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ ହଜାର ୬୧୯ ଜଣ ପରୀକ୍ଷା ଦେଇଛନ୍ତି। ବି.ଟେକ୍‌ରେ ସର୍ବାଧିକ ପ୍ରାୟ ୬୫୦୦ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌(ଡିପ୍ଲୋମା) ପାଇଁ ୪ ହଜାରରୁ ଅଧିକ, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌(ବିଏସ୍‌ସି)ରେ ୧୧୬, ଏମ୍‌ବିଏରେ ୩ ହଜାରରୁ ଅଧିକ, ଏମ୍‌ସିଏରେ ୬୧୦, ଲାଟେରାଲ ଏଣ୍ଟ୍ରି ଏମ୍‌ସିଏରେ ୨୪୦, ବି. ଫାର୍ମାରେ ୧୧୬୨ ଓ ଏମ୍‌.ଫାର୍ମାରେ ୪୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଜୁଲାଇ ୨୫ରୁ ୨୭ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରୢାଙ୍କକାର୍ଡ ଡାଉନ୍‌ଲୋଡ୍‌ କରିବା ସହ ଅନ୍‌ଲାଇନ୍‌ରେ ଚଏସ୍‌ ଫିଲିଂ କରିପାରିବେ। ଜୁଲାଇ ୩୦ରେ ପ୍ରଥମ ପର୍ଯ୍ୟାୟ ଆଲଟ୍‌ମେଣ୍ଟ କରାଯିବ। ଅଗଷ୍ଟ ୧ ଓ ୨ରେ ନୋଡାଲ୍‌ ସେଣ୍ଟର୍‌ରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୩ ତାରିଖରେ ଚୂଡ଼ାନ୍ତ ଆ‌ଲଟ୍‌ମେଣ୍ଟ ସହ ଛାତ୍ରଛାତ୍ରୀ କଲେଜରେ ରିପୋର୍ଟିଂ କରିପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର