ହୋଟେଲ,ଟ୍ରାଭେଲ ଶିଳ୍ପକୁ ଉଦ୍ଧାର ପାଇଁ ମାର୍କେଟିଂ ପ୍ଲାନ୍‌ ପ୍ରସ୍ତୁତ ହେଉ, ଦରମା ପାଇଁ ବିନା ସୁଧ‌‌‌ରେ ଆର୍ଥିକ ସହାୟତା ମିଳୁ

୨ ବର୍ଷ ପାଇଁ କର୍ପୋରେଟ ହାଉସ ବୈଠକ ଓଡ଼ିଶାରେ ସୀମିତ ରହୁ

ଭୁବନେଶ୍ବର, : କରୋନା ସଂକ୍ରମଣର ମୁକାବିଲା ପାଇଁ ଲକ୍‌ଡାଉନ୍‌ ଅବଧି ଆହୁରି ବଢ଼ାଇ ଦିଆଯାଇଥିବାରୁ ଆତିଥ୍ୟ ଓ ଟ୍ର‌ାଭେଲ ଶିଳ୍ପକୁ ପୁଣି ଶକ୍ତ ଧକ୍କା ଲାଗିଛି। ଏ ସଂକଟ ମଧ୍ୟରୁ ହୋଟେଲ୍‌ ଓ ଟ୍ରାଭେଲ୍‌ ଶିଳ୍ପକୁ ଉଦ୍ଧାର କରିବା ପାଇଁ ହୋଟେଲ ଓ ରେସ୍ତୋରାଁ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାରୋ) ଟେଲି କନ୍‌ଫରେନ୍ସ ଜରିଆରେ ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବଙ୍କ ସହ ଆଲୋଚନା କରିଛି। ଶ୍ରୀ ଦେବଙ୍କ ସହ ଆଲୋଚନା ଭିତ୍ତିରେ ହାରୋ ଏହି ଶିଳ୍ପକୁ ଉଦ୍ଧାର ପାଇଁ ଏବେଠୁ ମାର୍କେଟିଂ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ନିବେଦନ କରିଛି। ୩ ମାସର ଇଏମ୍‌ଆଇ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଯାହା ଘୋଷଣା କରାଯାଇଛି ତାହା ହୋଟେଲ ଶିଳ୍ପ ପାଇଁ ଯଥେଷ୍ଟ ନୁହେଁ ବୋଲି ଯୁକ୍ତି ବାଢ଼ିଛି ହାରୋ। ଏଥିରେ ପୁଞ୍ଜିନିବେଶ, ସୁଧ ପ୍ରଦାନ, ଋଣ ଓ ଓଭରଡ୍ରାଫ୍ଟ ଆଦି କ୍ଷେତ୍ରରେ ୧ ବର୍ଷ ପର୍ଯ୍ୟନ୍ତ ରୋକ୍‌ ଲଗାଇବା ପାଇଁ ନିବେଦନ କରାଯାଇଛି। ଅତିରିକ୍ତ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ଏହି ଶିଳ୍ପକୁ ସୁଦୃଢ଼ କରିବା ପାଇଁ ୫ ବର୍ଷ ପାଇଁ ବିନା ସୁଧରେ ଋଣ ଯୋଗାଇ ଦିଆଯାଉ। ଅର୍ଥ ବିଭାଗ ଏ ସମ୍ପର୍କରେ ସମସ୍ତ ବ୍ୟାଙ୍କକୁ ଲେଖି ଜଣାଇବାକୁ କୁହାଯାଇଛି। ପରିସ୍ଥିତି ସାଧାରଣ ସ୍ଥିତିକୁ ଫେରିବା ପର୍ଯ୍ୟନ୍ତ ଏସ୍‌ଜିଏସ୍‌ଟି ଛାଡ଼ କରିବା ଏବଂ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏହି ସମାନ ଧାରା ଆପଣାଇବାକୁ ଆଲୋଚନା କରିବା ଉପରେ ଗୁରୁତ୍ବାରୋପ କରିବାକୁ ନିବେଦନ କରାଯାଇଛି।

ଏହା ବ୍ୟତୀତ ବାର୍‌ ଲାଇସେନ୍‌ସ ଦେୟ, ଭୂତଳ ଜଳଦେୟ ଏବଂ ବିଦ୍ୟୁତ ଦେୟ (ମିନିମମ ଡିମାଣ୍ଡ କଣ୍ଟ୍ରାକ୍ଟ ରେଟ୍‌)କୁ ୩ ମାସ ପର୍ଯ୍ୟନ୍ତ ଛାଡ଼ କରାଯାଉ ବୋଲି ହାରୋ ନିବେଦନ କରିଛି। ସେହିପରି ପର୍ଯ୍ୟଟନ, ଟ୍ରାଭେଲ୍‌ ଓ ଆତିଥ୍ୟ ଶିଳ୍ପ କ୍ଷେତ୍ରରେ ୧୨ମାସ ପାଇଁ ଜିଏସ୍‌ଟି ଛାଡ଼ ସହ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯେଉଁ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକ ଅନୁ‌ମୋଦନ ପାଇବାକୁ ଯାଉଛି, ସେଥିରେ ‌ବିଭିନ୍ନ ବୈଧାନିକ ଦେୟରେ ୫୦ ପ୍ରତିଶତ ରିହାତି ଦେବାକୁ କୁହାଯାଇଛି। ଟେଲି କନଫରେନ୍ସ ଜରିଆରେ ହୋଇଥିବା ଆଲୋଚନା ମୁତାବକ, ବାର୍‌ ଲାଇସେନ୍‌ସ, ବିଦ୍ୟୁତ୍‌ ଦେୟ ପଇଠ ପାଇଁ ଯେଉଁ ମହଲତ ମଗାଯାଇଛି, ସେ ସଂପର୍କରେ ଆସନ୍ତା ସପ୍ତାହରେ ଜଣାଇ ଦିଆଯିବା ନେଇ ପର୍ଯ୍ୟଟନ ସଚିବ କହିଥିବା ହାରୋର ଅଧ୍ୟକ୍ଷ ଜେ.କେ ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ସରକାର ସମସ୍ତ ହୋଟେଲ୍‌କୁ ସର୍କୁଲାର ଜାରି କରିଛନ୍ତି ଯେ କୌଣସି କର୍ମଚାରୀଙ୍କ ଦରମା କଟାଯିବ ନାହିଁ କି କାଣ୍ଟଛାଣ୍ଟ କରାଯିବ ନାହିଁ। ଅ‌ଧିକାଂଶ ହୋଟେଲ୍‌ଗୁଡ଼ିକ ବନ୍ଦ ହୋଇଯାଇଥିଲେ ବି ସେମାନେ ଏହି ନିୟମରୁ ଛାଡ଼ ପାଇନାହାନ୍ତି। ସରକାର ଏପରି ନିର୍ଦେଶ ଦେଇଥିବା ବେଳେ ଏଥିପାଇଁ ବିନା ସୁଧରେ ୬ମାସ ପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେବାକୁ ହାରୋ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହା ହୋଇପାରିଲେ ହିଁ ଦରମା, ମଜୁରି, ଇଏସ୍‌ଆଇସି ଦିଆଯାଇପାରିବ ବୋଲି ସେ କହିଛନ୍ତି। ୧୦୦ କର୍ମଚାରୀରୁ କମ୍‌ ବିଶିଷ୍ଟ କମ୍ପାନିରେ ଯଦି ୯୦ ପ୍ରତିଶତ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୫ହଜାର ଟଙ୍କା ଥିବ, ତେବେ ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ପକ୍ଷରୁ ଇପିଏଫ୍‌ ଭାରତ ସରକାର ଭରିବେ ବୋଲି କୁହାଯାଇଛି। କିନ୍ତୁ ଏହା ଯୁକ୍ତିଯୁକ୍ତ ନୁହେଁ। ବରଂ ଯେଉଁଠାରେ ଅନ୍ୟୂନ ୫ଶହ କର୍ମଚାରୀ ଏପରି ୧୫ହଜାରରୁ କମ୍‌ ଦରମା ପାଉଥିବେ, ସେଠାରେ ମଧ୍ୟ ଏହି ନିୟମ ଲାଗୁ କରିବା ଉଚିତ ବୋଲି ହାରୋ ଯୁକ୍ତି ବାଢ଼ିଛି।

ଲକ୍‌ଡାଉନ୍‌ ଉଠିବା ପରେ ହୋଟେଲ ଓ ଟ୍ରାଭେଲ ଶିଳ୍ପରେ କିଭଳି ସୁଧାର ଆସିବ, ସେଥିପାଇଁ ଏବେଠୁ ମାର୍କେଟିଂ ପ୍ଲାନ ପ୍ରସ୍ତୁତି ଦିଗରେ ଧ୍ୟାନ ଦେବାକୁ କୁ‌ହାଯାଇଛି। ଓଡ଼ିଶାର କର୍ପୋରେଟ୍ ହାଉସ, ପିଏସ୍‌ୟୁ, ପ୍ରାଇଭେଟ୍‌ ସେକ୍ଟରଗୁଡ଼ିକ କେବଳ ରାଜ୍ୟ ମଧ୍ୟରେ ନିଜର ବୈଠକ, ଆଲୋଚନାଚକ୍ର, ସମ୍ମିଳନୀ, ଡିଲର ସମାବେଶ ଦୁଇ ବର୍ଷ ପାଇଁ ଓଡ଼ିଶା ମଧ୍ୟରେ ଥିବା ହୋଟେଲରେ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏ ଦିଗରେ ରାଜ୍ୟ ପର୍ଯ୍ୟଟନ ବିଭାଗ ବିଜ୍ଞାପନ ସହ ପ୍ରଚାରପ୍ରସାରର ଆବଶ୍ୟକତା ରହିଛି। ଏକ ମଜଭୁତ ପର୍ଯ୍ୟଟନ ନୀତି ପ୍ରଣୟନ ସହ ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି କିପରି ସଜାଡ଼ି ହେବ, ସେ ଦିଗରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଏଥିସହ ହାରୋର ୫/୬ଜଣ ସଦସ୍ୟଙ୍କୁ ନେଇ ଏକ କୋଭିଡ୍‌ ଟାସ୍କଫୋର୍ସ ଗଠନ ଏବଂ ଏହା ଜରିଆରେ ହୋଟେଲ ଓ ଟ୍ରାଭେଲ ଶିଳ୍ପର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା ପାଇଁ ପରିସର ସୃଷ୍ଟି ହେଉ। ଏଥିସହ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନେ କରୋନାରୁ ସୁରକ୍ଷିତ ହୋଇ କାମ କରିବା ପାଇଁ ପର୍ସନାଲ ପ୍ରୋଟେକ୍ସନ ଇକ୍ବିପମେଣ୍ଟସ (ପିପିଇ) ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ଲକ୍‌ଡାଉନ୍‌ ଅବଧି ମଧ୍ୟରେ ବିଭିନ୍ନ ସରକାରୀ ବିଭାଗ ସହ ପର୍ଯ୍ୟଟନ ସଚିବ ଓ ହାରୋର ସଦସ୍ୟ ଉପସ୍ଥିତ ରହି ସମାଧାନର ରାସ୍ତା ବାହାର କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର