କୋଟିଆ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯାଉ: ପିସିସି ସଭାପତି

ସୀମା ରକ୍ଷା କରି ନପାରିଲେ ଇତିହାସ କ୍ଷମା ଦେବନି
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ

ଭୁବନେଶ୍ବର : କୋଟିଆର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରନ୍ତୁ। ଆଜି ସ୍ଥାନୀୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯଦି ସୀମାକୁ ସୁରକ୍ଷିତ ରଖିବାରେ ସରକାର ବିଫଳ ହେବେ ତାହେଲେ ଇତିହାସ କେବେ ବି କ୍ଷମା ଦେବନାହିଁ।

ଗତ ୧୦ ତାରିଖରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ଗୋଟିଏ ଟିମ୍‌ କୋଟିଆ ଅଞ୍ଚଳ ଗସ୍ତ କରି ଫାଟୁ ସୁନେରୀ, ଫଗୁ ସୁନେରୀ ଓ ତଳ ଗଞ୍ଜେଇ ପଦର ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରି ଫେରିଛି। ସେଠାରୁ ଫେରିବା ପରେ କୋଟିଆର ମୂଳ ସମସ୍ୟା ଓ ସମାଧାନ ପାଇଁ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି କି କୋଟିଆରେ ଥିବା ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଅଙ୍ଗନବାଡ଼ି ଚାଲେ ନାହିଁ। ଲୋକମାନେ ରାଜ୍ୟ ସରକାରଙ୍କ ବଣ୍ଟନ ବ୍ୟବସ୍ଥାର ଲାଭ ପାଆନ୍ତି ନାହିଁ। ସେମାନଙ୍କ ପାଇଁ ସରକାର ସ୍ବଚ୍ଛ ପିଇବା ପାଣିର ବ୍ୟବସ୍ଥା କରିନାହାନ୍ତି। ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ସରକାରୀ ସ୍କୁଲରେ ପାଠପଢ଼ା ହୋଇପାରୁନାହିଁ।

ପିସିସି ସଭାପତି କହିଛନ୍ତି ଯେ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ କୋଟିଆ ଯାଆନ୍ତୁ। ‌ସେଠାର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରନ୍ତୁ। ବିକାଶ ପାଇଁ ଗୋଟିଏ ସ୍ବତନ୍ତ୍ର ପ୍ରକଳ୍ପ ଘୋଷଣା କରନ୍ତୁ। ଜଣେ ଅଧିକାରୀଙ୍କୁ ନିଯୁକ୍ତ କରନ୍ତୁ। ତାଙ୍କୁ ତହସିଲଦାର କ୍ଷମତା ଦେଇ ସେ ଅଂଚଳର ଜମି ସମସ୍ୟାର ସମାଧାନ କରନ୍ତୁ। ଲୋକଙ୍କର ଜୀବିକା ନିର୍ବାହ ପାଇଁ କୃଷି ଉପଯୋଗି ଜମି ପ୍ରଦାନ କରନ୍ତୁ ଏବଂ ପାର୍ବତ୍ୟ ଅଂଚଳରୁ ବହିଆସୁଥିବା ଜଳକୁ ସଂଗ୍ରହ କରି ଜମିକୁ ଯୋଗାଇଦେବାର ବ୍ୟବସ୍ଥା କରନ୍ତୁ। ଚାଷ ପାଇଁ ଲୋକମାନଙ୍କୁ ପ୍ରୋତ୍ସାହନ ଦିଆଯାଉ। କୋଟିଆରେ ମକା, ବାଜରା, ଫଳ, ପନିପରିବା, ଅଙ୍ଗୁର, କଦଳୀ ଇତ୍ୟାଦି ବହୁଳ ଭାବରେ ଚାଷ କରାଯାଇ ପାରିବ। ସରକାର ସେମାନଙ୍କର କୃଷିଯାତ ଦ୍ରବ୍ୟକୁ କିଭଳି ଭାବରେ ବଜାରରେ ବିକ୍ରି କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବା ସହିତ ନିଜେ ସରକାର ତାଙ୍କର କୃଷିଜାତ ଦ୍ରବ୍ୟ କିଣନ୍ତୁ।

ଫାଟୁ ସୁନେରୀ ଅଞ୍ଚଳରେ ଲୋକମାନେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ କରି ମଧ୍ୟ ଆଜିକୁ ତିନିବର୍ଷ ହେବ ତାଙ୍କର ପ୍ରାପ୍ୟ ପାଇ ନାହାନ୍ତି । ଆନ୍ଧ୍ର ପ୍ରଦେଶ ସରକାର ଆନ୍ଧ୍ର ବିଦ୍ୟାଳୟରେ ନାମ ଲେଖାଉଥିବା ପିଲାମାନଙ୍କ ମା’ମାନଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଆଜି ଠାରୁ ସୁନିଶ୍ଚିତ ଭାବେ କିଛି ଯୋଜନା ଯଦି ସୀମାବର୍ତ୍ତୀ ଅଞ୍ଚଳରେ ଲାଗୁ କରା ନଯାଏ ତାହେଲେ ଆସନ୍ତା ଦିନରେ ବରଗଡ଼ ଜିଲ୍ଲାର କଛି ଅଞ୍ଚଳ ଛତିଶଗଡ଼ ସରକାର ନେଇଯିବ। ପଶ୍ଚିମବଙ୍ଗ ବାଲେଶ୍ବର ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳକୁ ନେଇଯିବାକୁ ଉଦ୍ୟମ କରିବ। ଗଞ୍ଜାମ, ଗଜପତି ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରର ଦାଦାଗିରି ଅଧିକ ହୋଇପାରେ। ବେଳ ଥାଉ ଥାଉ ମୁଖ୍ୟମନ୍ତ୍ରୀ ଠୋସ୍‌ ପଦକ୍ଷେପ ନେବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି। କୋଟିଆ ଅଞ୍ଚଳ ଗସ୍ତ କରିଥିବା ପ୍ରତନିଧି ଦ​ଳରେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ରମେଶ ଜେନା, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ବହୁ ବରିଷ୍ଠ ଦଳୀୟ ନେତୃବୃନ୍ଦ ସାମିଲ ହୋଇଥିଲେ।

କୋଟିଆ ଅଂଚଳର ଫାଟୁ ସୁନେରୀ, ଫଗୁ ସୁନେରୀ, ତଳ ଗଞ୍ଜେଇ ପଦର ପଂଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀମାନଙ୍କ ସହିତ ଆଲୋଚନା ବେଳେ ସେମାନେ ସମସ୍ତେ ଓଡ଼ିଶାରେ ଏବଂ ଓଡ଼ିଆ ତାଙ୍କର ପରିଚୟ ହେଉ ବୋଲି ଚାହାନ୍ତି। କିନ୍ତୁ ସେମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ପରିସ୍ଥିତ ବହୁ ଖରାପ ଅବସ୍ଥାରେ ଅଛି ।

ସମ୍ବନ୍ଧିତ ଖବର