ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍: ବିନା ସୁଧରେ ୫୦ ହଜାର ଟଙ୍କାର ଋଣ

୧୫,୦୦୦ ଲୁମ୍ ପିଟ୍‌କୁ ତିନି ବର୍ଷରେ କଂକ୍ରିଟ କରାଯିବ

ଭୁବନେଶ୍ବର : ରାଜ୍ୟର ବୁଣାକାରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ରେ କଂକ୍ରିଟ ହୋଇ ନ ଥିବା ୧୫,୦୦୦ ଲୁମ୍ ପିଟ୍‌କୁ ପର୍ଯ୍ୟାୟକ୍ରମେ ଆସନ୍ତା ତିନି ବର୍ଷରେ କଂକ୍ରିଟ କରାଯିବ। ପ୍ରତି ଲୁମ୍ ପିଟ୍ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ। ରାଜ୍ୟରେ ଥିବା ୩୧,୩୪୨ଟି ଲୁମ୍ ପିଟ୍ ମଧ୍ୟରୁ ଏପର୍ଯ୍ୟନ୍ତ ୧୫,୦୭୧ଟି ଲୁମ୍ ପିଟ୍‌କୁ କଂକ୍ରିଟ କରାଯାଇସାରିଛି। ଏହି ପ୍ୟାକେଜ୍‌ରେ ବୁଣାକାରମାନେ ଯେପରି ସୁବିଧାରେ ଋଣ ପାଇ ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ବୁଣାକାରମାନଙ୍କୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ। ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି। ବୁଣାକାରମାନେ ସେମାନଙ୍କ ଦକ୍ଷତା ଦ୍ବାରା ଓଡ଼ିଶାର ମହାନ ସାଂସ୍କୃତିକ ପରମ୍ପରାକୁ ହସ୍ତତନ୍ତ ଜରିଆରେ ସାରା ବିଶ୍ବରେ ଉପସ୍ଥାପନ କରିଆସୁଛନ୍ତି। ଓଡ଼ିଶାର ତିଆରି ହସ୍ତତନ୍ତର ମଧ୍ୟ ବିଶେଷ ଚାହିଦା ରହିଛି। କିନ୍ତୁ ମହାମାରୀ କୋଭିଡ ପରିପ୍ରେକ୍ଷୀରେ ଗତ ଦୁଇ ବର୍ଷରେ ହସ୍ତତନ୍ତ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି ଏବଂ ହଜାର ହଜାର ବୁଣାକାରଙ୍କ ରୋଜଗାରରେ ମଧ୍ୟ ହ୍ରାସ ଘଟିଛି। ଏହାକୁ ଦୃଷ୍ଟିରେ ରଖି ବୁଣାକାରମାନଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରାଯାଇଛି।

ସ୍ବତନ୍ତ୍ର ପ୍ୟାକେଜ୍‌ ଅଧୀନରେ ୩୦୦୦ ବୁଣାକାର ପରିବାରକୁ ପ୍ରାଥମିକତା ଭିତ୍ତିରେ ଗୃହ ତଥା ୱାର୍କସେଡ୍ ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ୧୧,୬୯୫ଟି ଗୃହ ତଥା ୱାର୍କସେଡ୍ ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି। ଲୁଗାବୁଣା ଓ କୁଟୀର ଶିଳ୍ପ ଉତ୍ପାଦନ ପ୍ରକ୍ରିୟାରେ ପରିବାରର ସଦସ୍ୟମାନେ ମଧ୍ୟ ସହଯୋଗ କରିଥା’ନ୍ତି। ସେହିପରି ଡିଜାଇନ ପ୍ରସ୍ତୁତି ଏକ ଜଟିଳ ପ୍ରକ୍ରିୟା। ତେଣୁ ବୁଣାକାରମାନଙ୍କ ଆଖି ଉପରେ ଯେପରି ବିଶେଷ ଚାପ ନ ପଡ଼ିବ ଏବଂ ସେମାନେ ଦୀର୍ଘ ସମୟ କାମ କରିପାରିବେ, ସେଥିପାଇଁ ସେମାନଙ୍କୁ ଏହି ଯୋଜନାରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବ। ସେହିପରି ସମସ୍ତ ଯୋଗ୍ୟ ବୁଣାକାର ପରିବାରକୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତିରାଜ ବିଭାଗର ଗାଇଡ୍‌ଲାଇନ୍ ଅନୁସାରେ ଏଥି ପାଇଁ ହିତାଧିକାରୀ ଚୟନ କରାଯିବ। ବୁଣାକାରମାନଙ୍କର ଉତ୍ପାଦିତ ସାମଗ୍ରୀ ରଖିବା ନିମନ୍ତେ ବିଭିନ୍ନ ଗୋଷ୍ଠୀ ଭିତ୍ତିଭୂମି ଯଥା – ସିଏଫ୍‌ସି, ଗୋଦାମ ଓ ବିକ୍ରୟ କେନ୍ଦ୍ର ଆଦି ପଞ୍ଚାୟତିରାଜ ବିଭାଗ ଜରିଆରେ କରାଯିବ।

ସମ୍ବନ୍ଧିତ ଖବର