କଟକର ସ୍ୱତନ୍ତ୍ର ପାର୍ବଣ ପରମ୍ପରା: ମାଛଭୋଗ, ଦହି ପଖାଳ, ସିନ୍ଦୂର ଖେଳ, ପାଇକ ଆଖଡା

କଟକ : ମାଛଭୋଗ, ଦହିପଖାଳ, ସିନ୍ଦୂରଖେଳ, ପାଇକଆଖଡ଼ା, କୁମାରୀପୂଜା ଭଳି ପରମ୍ପରାକୁ ନେଇ କଟକର ପାର୍ବଣ ସ୍ବତନ୍ତ୍ର। ସୁନା, ଚାନ୍ଦିର ମେଢ ସାଙ୍ଗକୁ ଏସବୁ ପୂଜା ପରମ୍ପରା କଟକର ଦଶହରାକୁ ଅଧିକ ଆକର୍ଷଣୀୟ କରିଥାଏ। ଯଦିଓ କରୋନା କଟକଣା ଯୋଗୁଁ କଟକ ଦଶହରା ଦୁଇ ବର୍ଷ ହେଲା ତାର ପୂର୍ବ ଚମକ ହରାଇଛି, କିନ୍ତୁ ଏସବୁ ସ୍ବତନ୍ତ୍ର ପରଂପରା ପ୍ରତୀକାତ୍ମକ ଭାବେ ବିଭିନ୍ନ ପୂଜା ମଣ୍ଡପରେ ପାଳିତ ହେଉଛି।

ମାଛଭୋଗ
କଟକ ଦଶହରାରେ ପୂଜା ମଣ୍ଡପରେ ମା’ଙ୍କ ପାଖରେ ମାଛ‌ଭୋଗ ହେବା ନୀତି ବହୁପ୍ରାଚୀନ କାଳରୁ ଚଳି ଆସିଛି। କଟକ ସହରର ଚାନ୍ଦିନୀଚୌକ ଦୁର୍ଗା ପୂଜାମଣ୍ଡପ, ଅଲିଶାବଜାର ପୂଜାମଣ୍ଡପ, ରାମଗଡ଼ କନିକାଛକ ପୂଜା ମଣ୍ଡପ, ସତୀଚୌରା ଜଗଜ୍ଜନନୀ ପରିବାର ପୂଜାମଣ୍ଡପରେ ମାଙ୍କ ମାଛଭୋଗ ଲାଗି ହୋଇ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଏ। ଚାନ୍ଦିନୀଚୌକରେ ଓ ଅଲିଶାବଜାରେ ନବମୀ ସଂଧ୍ୟାରେ, ରାମଗଡ଼ ପୂଜା ମଣ୍ଡପରେ ଅଷ୍ଟମୀ ରାତିରେ ଓ ଜଗଜ୍ଜନନୀ ପରିବାର ପୂଜାମଣ୍ଡପରେ ନବମୀ ରାତିରେ ମାଛ‌ଭୋଗ ଲାଗି ନୀତି ହୁଏ। ଚାନ୍ଦିନୀଚୌକରେ କେବଳ ୫କ୍ବିଣ୍ଟାଲ ମାଛଭୋଗ କରାଯାଇ ମାଟିଘଡ଼ି ଓ ସରାରେ ସାହି, ବଜାର ଆଦିରେ ବଣ୍ଟନ କରାଯାଏ। ସେହିପରି ରାମଗଡ଼ କନିକାଛକ ପୂଜା ମଣ୍ଡପରେ ଏକ ହଜାର ଲୋକଙ୍କ ପାଇଁ, ଅଲିଶାବଜାର ପୂଜା ମଣ୍ଡପରେ ୩ହଜାରରୁ ଅଧିକ ଲୋକଙ୍କ ପାଇଁ, ଜଗଜ୍ଜନନୀ ପରିବାର ମଣ୍ଡପରେ ୫ଶହ ଲେକାଙ୍କ ମାଛଭୋଗ ହୋଇଥାଏ। କିନ୍ତୁ କରୋନା ପାଇଁ ଗତବର୍ଷ ଠାରୁ ଏଥିରେ ଅଙ୍କୁଶ ଲାଗିଛି। ଏସବୁ ମଣ୍ଡପରେ କେବଳ ବିଧି ରକ୍ଷା ପାଇଁ ଅଳ୍ପ ପରିମାଣର ମାଛ‌ ଭୋଗ ମା’ଙ୍କ ପାଖରେ ଲାଗି ହେଉଛି। ଜଗଜ୍ଜନନୀ ପରିବାର ସଭାପତି ସରୋଜ ସିଂହ କହିବା ଅନୁସାରେ, ମାଛ ଭୋଗ କରାଯାଇ ଶ୍ରଦ୍ଧାଳୁ ଓ କର୍ମକର୍ତ୍ତାଙ୍କ ଘରକୁ ପଠାଇ ଦିଆଯାଉଛି। ଚାନ୍ଦିନୀଚୌକ ପୂଜା କମିଟି ସଂପାଦକ ବିଜୟ କୁମାର ବେହେରା ଓ ରାମଗଡ଼ କନିକା ଛକ ପୂଜା କମିଟି ସଂପାଦକ ଆଇନଜୀବୀ ବିଜୟ କୁମାର ଦାଶ କହିବା ଅନୁସାରେ କେବଳ ନୀତି ପାଇଁ ଅଳ୍ପ କିଛି ମାଛ ଭୋଗ କରାଯାଉଛି।

ସିନ୍ଦୂରଖେଳ
ସହରର ବହୁ ପୂଜା ମଣ୍ଡପରେ ସିନ୍ଦୂର ଖେଳ ପରମ୍ପରା ରହିଛି। ଦଶମୀ ଦିନ ମା’ଙ୍କ ବିସର୍ଜନ ପରେ ସଧବା ମହିଳାମାନେ ମା’ଙ୍କ ସହ ମଣ୍ଡପରେ ସିନ୍ଦୂର ଖେଳ ଖେଳନ୍ତି। କାଜିବଜାର, କାଜିବଜାର ଆଦିପୀଠ, ରାଉସାପାଟଣା, ବିନୋଦବିହାରୀ ବାଲୁବଜାର ଆଦି ଅନେକ ପୂଜା ମଣ୍ଡପରେ ଶତାଧିକ ମହିଳା ସିନ୍ଦୂର ଖେଳରେ ଅଂଶଗ୍ରହଣ କରନ୍ତି। ପୂଜା କମିଟି ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। କିନ୍ତୁ ଏବେ ମଣ୍ଡପରେ ୭ଜଣ ରହିବା, ମହିଳାଙ୍କୁ ଦର୍ଶନ ମନା କଟକଣା ପାଇଁ ୨୦୨୦ ଓ ୨୦୨୧ରେ ଏହି ପରମ୍ପରା ସଂପୂର୍ଣ୍ଣ ବନ୍ଦ ରହିଛି। ଏପରିକି ନୀତି ବି ସଂପାଦିତ ହେଉନାହିଁ।

ଦହିପଖାଳ, ଶାଗଭଜା
ଦଶହରାରେ ଦହିପଖାଳ, ଶାଗଭଜା, ଛଙ୍କା ତରକାରୀ, ‌ଚୋପି ତରକାରୀ ଭୋଗ କରାଯିବାର ସ୍ବତନ୍ତ୍ର ବିଧି ରହିଛି। ସବୁ ମଣ୍ଡପରେ ଦହିପଖାଳ ଭୋଗ ଲାଗି ହୋଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ। କିଛି ମଣ୍ଡପରେ ନବମୀ ତିଥିରେ ତ ଆଉ କିଛି ମଣ୍ଡପରେ ଦଶମୀ ତିଥିରେ ଦହିପଖାଳ ଭୋଗ ଲାଗି ହୁଏ। ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ଦହିପଖାଳ-ଶାଗଭଜା, ଚ‌ୌଧୁରୀବଜାର ପୂଜାମଣ୍ଡପରେ ଦହିପଖାଳ-ଚୋପି ତରକାରୀ କରାଯାଉଥିବା ବେଳେ ଆଉ କିଛି ମଣ୍ଡପରେ କ୍ଷୀରି ଭୋଗ କରାଯାଏ। କିନ୍ତୁ ଏବେ ଏସବୁ କେବଳ ନୀତି ପାଇଁ କରାଯାଉଛି। ଅର୍ଥାତ୍‌ ଅଳ୍ପ ପରିମାଣରେ କେବଳ ମାଙ୍କ ନୀତି ପାଇଁ କରାଯାଉଛି।

ସେହିପରି କଟକ ପାର୍ବଣରେ ଅନେକ ମଣ୍ଡପରେ ପାରମ୍ପରିକ ପାଇକ ଆଖଡା ପ୍ରଦର୍ଶନ କରାଯିବାର ନଜିର ରହିଛି। କିନ୍ତୁ ତାହା ବି ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର