ଭୁବନେଶ୍ବର: ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍ଏଲ୍ଏ ଲ୍ୟାଡ୍) ପାଇଁ ଏକ ସ୍ବତନ୍ତ୍ର ୱେବ୍ ପୋର୍ଟାଲ ଆଜି ଆରମ୍ଭ ହୋଇଛି। ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବା ସହ ‘ଏମ୍ଏଲ୍ଏ ଲ୍ୟାଡ୍’ ଓ ‘ସିଏମ୍-ଏସ୍.ଏ’ର ସରଳୀକୃତ ଗାଇଡ୍ଲାଇନ୍ ଉନ୍ମୋଚିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ପରିବର୍ତ୍ତିତ ନିର୍ଦ୍ଦେଶାବଳୀ ସ୍ୱଚ୍ଛ, ସରଳ ଓ ସମୟୋପଯୋଗୀ ହୋଇପାରିଛି। ନୂଆ ନିର୍ଦ୍ଦେଶାବଳୀ ପ୍ରଶାସନିକ ପ୍ରକ୍ରିୟାରେ ସରଳତା ଆଣିବା ସହିତ ଜନସାଧାରଣଙ୍କ ପାଇଁ ଅତି ଆବଶ୍ୟକ ଓ ଛୋଟ ଛୋଟ ମୌଳିକ ଭିତ୍ତିଭୂମିକୁ ଶୀଘ୍ର ଓ ସ୍ବଚ୍ଛତାର ସହ ସମ୍ପାଦନ କରିବାରେ ସହାୟକ ହେବ। ନୂଆ ଗାଇଡ୍ଲାଇନରେ ବିଭିନ୍ନ କ୍ଷେତ୍ରକୁ ଧ୍ୟାନ ଦିଆଯିବା ସହ ଅତ୍ୟାବଶ୍ୟକ ପ୍ରକଳ୍ପଗୁଡ଼ିକୁ ଗ୍ରହଣ କରିବାର ବ୍ୟବସ୍ଥା ଥିବା ବେଳେ ଅନାବଶ୍ୟକ ପ୍ରକଳ୍ପଗୁଡିକୁ ବାଦ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହା ସହିତ ପ୍ରକଳ୍ପର ସୁପାରିସ୍ଠାରୁ ଅନୁମୋଦନ ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ (କାର୍ଯ୍ୟାଦେଶ ପର୍ଯ୍ୟନ୍ତ) ସମୟ ଅବଧି ୩୦ ଦିନ ରଖାଯାଇଛି। ସେହିପରି ସିଏମ୍-ଏସ.ଏ ଗାଇଡ୍ଲାଇନର ମଧ୍ୟ ସରଳୀକରଣ କରାଯାଇଛି। ଏହା ଦ୍ୱାରା ପ୍ରକଳ୍ପଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟକାରୀ କରାଯାଇପାରିବ ବୋଲି ସେ କହିଥିଲେ।
ଏହି ନୂଆ ‘ଏମ୍ଏଲ୍ଏ ଲ୍ୟାଡ୍ ୱେବ୍ପୋର୍ଟାଲ’ରେ ବିଧାୟକମାନଙ୍କ ଦ୍ବାରା ପ୍ରକଳ୍ପ ସୁପାରିସ୍, ପ୍ରକଳ୍ପ ଆବଶ୍ୟକତାର ତର୍ଜମା, ଯୋଜନା ଓ ବ୍ୟୟ ଅଟକଳ ପ୍ରସ୍ତୁତି, ପ୍ରକଳ୍ପର ଅନୁମୋଦନ, କାର୍ଯ୍ୟାଦେଶ, ତଦାରଖ, ନିରୀକ୍ଷଣ, ବ୍ୟୟ ଓ କାର୍ଯ୍ୟ ସମ୍ପାଦନ ଆଦି ନିର୍ଦ୍ଧାରିତ ସମୟରେ ସମ୍ପାଦନ କରାଯାଇପାରିବ। ପୋର୍ଟାଲ ମାଧ୍ୟମରେ ବିଧାୟକମାନେ ସେମାନଙ୍କର ନିର୍ବାଚନମଣ୍ଡଳୀରେ ସୁପାରିସ୍ କରିଥିବା ସମସ୍ତ ପ୍ରକଳ୍ପର ବାସ୍ତବ ସ୍ଥିତି ବିଷୟରେ ଅବଗତ ହୋଇପାରିବେ। ଜନସାଧାରଣଙ୍କ ପାଇଁ ଯୋଜନା ସମ୍ୱନ୍ଧୀୟ ସବିଶେଷ ତଥ୍ୟ ଏହି ପୋର୍ଟାଲରେ ଉପଲବ୍ଧ ହେବ। ଏହା ସହିତ ଜନସାଧାରଣ ମଧ୍ୟ ସେମାନଙ୍କ ବିଧାୟକଙ୍କ ଦ୍ୱାରା ସୁପାରିସ୍ କରାଯାଇଥିବା ପ୍ରକଳ୍ପଗୁଡ଼ିକର ତଥ୍ୟ ଏହି ପୋର୍ଟାଲ ଜରିଆରେ ଅବଗତ ହୋଇପାରିବେ।
ସୂଚନାଯୋଗ୍ୟ ଯେ, ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଯୋଜନା ୧୯୯୭-୯୮ରୁ ଆରମ୍ଭ ହୋଇ ଜନସାଧାରଣଙ୍କ ଛୋଟ ଛୋଟ ତଥା ନିତ୍ୟାନ୍ତ ଆବଶ୍ୟକୀୟ ଭିତ୍ତିଭୂମି ଗଠନ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ହୋଇପାରିଛି। ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ଏହି ଅନୁଦାନ ୫ ଲକ୍ଷରୁ ୩ କୋଟି ଟଙ୍କାକୁ ବୃଦ୍ଧି ପାଇ, ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ୫ କୋଟି ଟଙ୍କା ହିସାବରେ ବ୍ୟୟବରାଦ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ଅନୁ ଗର୍ଗ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ। ପୋର୍ଟାଲ୍ଟି ହେଉଛି https://mlalads.odisha.gov.in।