ଭୁବନେଶ୍ବର : ପୂର୍ବ ଭାରତ ଚାଣକ୍ୟ ଆସୋସିଏସନ୍(ଇଆଇପିଏ) ଓ ଭାରତୀୟ ଡାକ, ଓଡ଼ିଶା ସର୍କଲର ମିଳିତ ପ୍ରୟାସରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟଶ୍ରୀ ରାଉତରାୟଙ୍କ ୬୮ତମ ଜନ୍ମଦିବସ ଅବସରରେ ଏକ ସ୍ବତନ୍ତ୍ର ପୋଷ୍ଟାଲ୍‌ କଭର ପିଏମ୍‌ଜି ଅଫିସ ଠାରେ ଉନ୍ମୋଚନ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଯୋଗ ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ସ୍ବର୍ଗତ ରାଉତରାୟ ଛାତ୍ରଙ୍କ ଜୀବନ କାଳରୁ ପୋଷ୍ଟାଲ୍‌ ଷ୍ଟାମ୍ପ୍‌ କଲେକ୍‌ସନ ନିଶା ଥିଲା। ଏପରିକି ସେ ବିଧାୟକ ଓ ମନ୍ତ୍ରୀ ଥିବା ସମୟରେ ବି ଏହି ନିଶା ଜାରି ରଖିଥିଲେ। ଆଜିର ଦିନରେ ଛାତ୍ରଛାତ୍ରୀମାନେ ବି ଏଭଳି ଅଭ୍ୟାସ ପ୍ରତି ଆଗ୍ରହୀ ହେବା ଉଚିତ ବୋଲି ସେ କହିଥିଲେ।

Advertisment

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲ ଶୁଭେନ୍ଦୁ ସ୍ବାଇଁ ସ୍ବର୍ଗତ ରାଉତରାୟଙ୍କ ଇଆଇପିଏ ପ୍ରତି ଥିବା ଭଲ ପାଇବା ବିଷୟରେ ଆଲୋଚନା କରିଥିଲେ। ଇଆଇପିଏ ସଂପାଦକ ଶାନ୍ତି ସୂରୁପ ରଥ ସ୍ବର୍ଗତ ରାଉତରାୟଙ୍କ ଦିଗ୍‌ଦର୍ଶନରେ ହୋଇଥିବା ବିଭିନ୍ନ ପ୍ରଦର୍ଶନୀ ଉପରେ ଆଲୋକପାତ କରିଥିଲେ। ସ୍ପେଶାଲ୍‌ କଭର, ପାଷ୍ଟଫାଇଟ୍ କଭର, କୋଭିଡ୍‌ ଫ୍ରାଙ୍କିଙ୍ଗ୍ କଭର ଏବଂ ପ୍ଲୋରା ଫାଉନା ପୋଷ୍ଟକାର୍ଡ ଆଦି ସ୍ବର୍ଗତ ରାଉତରାୟଙ୍କ ଦିଗ୍‌ଦର୍ଶନରେ ରିଲିଜ୍‌ ହୋଇଛି ବୋଲି ଶ୍ରୀ ରଥ କହିଥିଲେ। କାର୍ଯ୍ୟକ୍ରମରେ ଇଆଇପିଏର ବରିଷ୍ଠ ସଦସ୍ୟ ଅନିଲ ଧୀର ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଦୁର୍ଗାଦତ୍ତ ରାଉତରାୟ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଦେବାଶିଷ ମିତ୍ରା, କାଶୀନାଥ ସାହୁ, ଅଜିତ ଦାଶ, ଅନୁପ ରାଉତ, ଆଦିତ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।