ଦୁର୍ଗାପୂଜା ଛୁଟି ପୂର୍ବରୁ ସ୍ବତନ୍ତ୍ର ପିଟିଏମ୍‌

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)ରେ ଜାରି ରହିଥିବା ସ୍କୁଲ ରୂପାନ୍ତରୀକରଣ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରିବାକୁ ଗତ ୧୦ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ(ପିଟିଏମ୍‌) ଅନୁଷ୍ଠିତ ହୋଇଥିଲା। ମାତ୍ର ଅଧିକାଂଶ ବିଦ୍ୟାଳୟରେ ଅଭିଭାବକ ନ ଆସିବାରୁ ବୈଠକ ଶତ ପ୍ରତିଶତ ସଫଳ ହୋଇନାହିଁ।

ଏନେଇ ଜଣାପଡ଼ିବା ପରେ ଓସେପା ପକ୍ଷରୁ ଗତକାଲି ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖାଯାଇ ଦୁର୍ଗାପୂଜା ପୂର୍ବରୁ ପିଟିଏମ୍‌ କରିବାକୁ କୁହାଯାଇଛି। ବୈଠକ ହେବାର ୭ଦିନ ପୂର୍ବରୁ ସ୍କୁଲ ପକ୍ଷରୁ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଅବଗତ କରାଯିବ। ଯେଉଁଠାରେ ଆବଶ୍ୟକୀୟ ସଂଖ୍ୟକ ଅଭିଭାବକ ନ ଥିଲେ ସେଠାରେ ଏହି ବୈଠକ କରାଯିବ। ସ୍କୁଲରେ ଥିବା ପିଟିଏମ୍‌ ରେଜିଷ୍ଟରରେ ଅଭିଭାବକଙ୍କ ଉପସ୍ଥାନ ଓ ପ୍ରତି ମିନିଟ୍‌ର ତଥ୍ୟ ଉଲ୍ଲେଖ ରହିବ। ବୈଠକ ଶେଷ ହେବା କ୍ଷଣି ସିଆରସିସିମାନେ ଉପସ୍ଥାନ ରେଜିଷ୍ଟର ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ଏହି ବୈଠକରେ ରୂପାନ୍ତରୀକରଣ କାର୍ଯ୍ୟକ୍ରମର ବିଭିନ୍ନ ବିଷୟବସ୍ତୁ ଯଥା ଏକାଡେମିକ୍‌, ଭିତ୍ତିଭୂମି ବିକାଶ, ସ୍ମାର୍ଟ ବୋର୍ଡରେ କ୍ଲାସରୁମ୍‌ ଶିକ୍ଷା, ଇ-ଲାଇବ୍ରେରି, ସାଇନ୍ସ ଲାବରୋଟାରି, ପାନୀୟ ଜଳ, ସ୍ବଚ୍ଛତା ଆଦି ସ୍ଥାନିତ କରାଯିବ।

ସମ୍ବନ୍ଧିତ ଖବର