ବରଗଡ଼/ବିଜେପୁର/ପଦ୍ମପୁର/ପାଇକମାଳ/ଗାଇସିଲାଟ୍‌ : କମ୍‌ ବର୍ଷା ହୋଇଛି, ଜମି ଟାଙ୍ଗରା ହେଲାଣି, ଫସଲ ମାଟିରେ ମିଶିଲାଣି। ବରଗଡ଼ ଜିଲ୍ଲାର ଚାଷୀମାନେ ଏଭଳି ଅଭିଯୋଗ କରି ଆସୁଛନ୍ତି। ମଲା ଫସଲ ଧରି ଆନ୍ଦୋଳନକୁ ଓହ୍ଲାଉଛନ୍ତି। କିନ୍ତୁ ଚାଷୀଙ୍କ ଦୁଃଖ କାହାରି କାନରେ ବାଜୁନଥିଲା। ହେଲେ ସୋମବାର ବରଗଡ଼ ଜିଲ୍ଲା ଗସ୍ତରେ ଥିବା ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ଏବଂ ତାଙ୍କ ୭ଜଣିଆ ଟିମ୍‌ କ୍ଷେତ୍ର ପରିଦର୍ଶନ ପରେ ସ୍ଥିତି ସାଂଘାତିକ ବୋଲି ହୃଦବୋଧ କରିଛନ୍ତି।

Advertisment

ଜିଲ୍ଲାର ୮ଟି ବ୍ଲକକୁ ଶ୍ରୀ ସେଠୀଙ୍କ ନେତୃତ୍ୱାଧୀନ ଟିମ୍‌ ବୁଲି ଦେଖିଥିଲେ। ରାସ୍ତାରେ ଅଟକି ବିଲକୁ ପଶିଥିଲେ। ବର୍ଷାଭାବ ଯୋଗୁଁ ଉଜୁଡ଼ି ଯାଇଥିବା ଫସଲ ଦେଖିଥିଲେ। ଚାଷୀମାନେ ସେମାନଙ୍କ ଦୂରାବସ୍ଥା ସଂପର୍କରେ ଏହି ଉଚ୍ଚସ୍ତରୀୟ ଟିମ୍‌ର ଦୃଷ୍ଟି ଆକର୍ଷଣ କରିଥିଲେ। କେଉଁଠି ବିଜୁଳି ସେବା ଠପ୍‌ ଥିବାରୁ ଏମ୍‌ଆଇ ପଏଣ୍ଟ ଅଚଳ ତ କେଉଁଠି ଜଳାଶୟରେ ପର୍ଯ୍ୟାପ୍ତ ପାଣି ନଥିବାରୁ ବିଲକୁ ପାଣି ମାଡ଼ୁ ନାହିଁ। ମରୁଡ଼ିର ଏହି ଖୋଲା ଚିତ୍ର ଦେଖି ଟିମ୍‌ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଏହି ଟିମ୍‌ର ଗସ୍ତ ଆରମ୍ଭ ହୋଇଥିଲା ବରଗଡ଼ ବ୍ଲକ ଗୋବିନ୍ଦପୁର ଅଞ୍ଚଳରୁ। ବିଜେପୁରର ମାନପୁର ଓ ବାଉଁଶପୁଲା, ଗାଇସିଲାଟ୍‌ର ଜାମୁଟପାଲି, ପଦ୍ମପୁରର ତେଲମହୁଲ, ଝୁନଗାପାଲି, ପଲସାପାଲି, ସାରଂଗପୁର, ଝାରବନ୍ଧ, ପାଇକମାଳ ବ୍ଲକର ଝିଟିକି ପଞ୍ଚାୟତ, ଅମ୍ବାଭୋନା ପରିଦର୍ଶନ କରିଥିଲେ।

ସବୁଠି ମରୁଡ଼ିର ଉତ୍କଟ ରୂପ ଦେଖିବାକୁ ପାଇଥିଲେ। ଗସ୍ତ ବେଳେ ବିଭିନ୍ନ ସ୍ଥାନରେ ଚାଷୀ ଏବଂ କୃଷକ ସଂଗଠନମାନେ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଦାବିପତ୍ର ପ୍ରଦାନ କରିଥିଲେ। କମିସନର ଶ୍ରୀ ସେଠୀ କହିବା ହେଲା, ଜିଲ୍ଲାର ୮ଟି ବ୍ଲକରେ ମରୁଡ଼ି ସ୍ଥିତି ଉଦ୍‌ବେଗଜନକ। ଧାନ ଚାଷ ପାଇଁ ପର୍ଯ୍ୟାପ୍ତ ହୋଇନାହିଁ। ସ୍ୱାଭାବିକ ବର୍ଷା ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବରଗଡ଼ ବ୍ଲକର ୨ଟି ପଞ୍ଚାୟତ ମଧ୍ୟ ଆଂଶିକ ଶିକାର ହୋଇଛନ୍ତି। ଆସନ୍ତା ୧୫ ତାରିଖ ମଧ୍ୟରେ ଜିଲ୍ଲାପାଳ ମରୁଡ଼ି ଜନିତ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବେ। ୩୦ ତାରିଖ ମଧ୍ୟରେ ଏହି ରିପୋର୍ଟକୁ କେନ୍ଦ୍ରକୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ସେଠୀ ପ୍ରତିଶ୍ରୁତି ଦେଇଛନ୍ତି। ଶେଷରେ ଟିମ୍‌ ପାଇକମାଳ ବ୍ଲକ ଝିଟିକି ପଞ୍ଚାୟତ ଠାରେ ଚାଷ ଜମି ବୁଲି ମରୁଡ଼ି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଚାଷୀ ମାନେ ଦୀର୍ଘ ୩ବର୍ଷ ହେଲା ମରୁଡ଼ି ପରିସ୍ଥିତି ଲାଗି ରହୁଥିବା ଦୃଷ୍ଟି ଆକର୍ଷଣ କରିଥିଲେ।