କଟକ: ପୁଅ ପାଇଁ ବାପା କିଛି ବି କରିପାରେ । ଆକାଶର ଚାନ୍ଦ ଆଣି ଦେବାର କ୍ଷମତା ବି ଜଣେ ବାପା ପାଖରେ ଥାଏ । ପୁଅକୁ ଏଡୁଟେରୁ ଏଡଟେ କରିବା ପଛରେ ମାଆର ଯେତିକି ପରିଶ୍ରମ ଥାଏ ଜଣେ ବାପାର ବି ପରିଶ୍ରମ ସେତିକି ଥାଏ । ବାପା- ଜଣେ ପିଲା ପାଇଁ ବ୍ରହ୍ମା, ବିଷ୍ଣୁ ପୁଣି ମହେଶ୍ବର । ବାପା ତା ପାଇଁ ଶକ୍ତିମାନ ପୁଣି ସୁପରମ୍ୟାନ୍ । ବାପାଙ୍କୁ ଯାହା କହିଲେ ସେ ପୂରା କରି ଦିଅନ୍ତି, ଆଉ ବାପା ବି ପୁଅକୁ ଭଲରେ ରଖିବାକୁ, ଖୁସିରେ ରଖିବାକୁ ହାଡ଼ଭଙ୍ଗା ପରିଶ୍ରମ କରନ୍ତି । ବାପା-ପୁଅର ଏ ସମ୍ପର୍କ କାହିଁ କେଉଁ କାଳରୁ ରହି ଆସିଥିବା ବେଳେ ଏବେ କଟକରୁ ଆସିଛି ସେମିତି ଏକ କାହାଣୀ । ଯେଉଁଠି କୁନି ପୁଅର ଇଚ୍ଛାକୁ ସମ୍ମାନ ଦେଇ ନିଜ ସାଇକେଲକୁ ବାଇକରେ ବଦଳାଇ ଦେଇଛନ୍ତି ଜଣେ ଗରିବ ବାପା ।
ତେବେ କଟକ ରାଜେନ୍ଦ୍ର ନଗର ଅଞ୍ଚଳର ଶିବ ଶଙ୍କର ସାହୁଙ୍କ ପୁଅ ବାଇକ୍ କିଣିବା ଜିଦ କରିଥିଲା । ପାଖରେ ଟଙ୍କା ନଥିବାରୁ ପୁଅର ଇଚ୍ଛାକୁ ପୂରଣ କରିବା ତାଙ୍କ ପାଇଁ ସମ୍ଭବ ନଥିଲା । ହେଲେ ପୁଅ ବାରମ୍ବାର ଜିଦ କରିବାକୁ ସେ ବାଧ୍ୟ ହୋଇ ନିଜ ସାଇକେଲକୁ ବାଇକର ରୂପ ଦେଇଛନ୍ତି । ଅବଶ୍ୟ ସାଇକେଲ ଭଳି ପେଡାଲ ମାରିଲେ ଏହା ଚାଲୁଛି, ଆଗକୁ ଗଡୁଛି । ମାତ୍ରା ଏହାର ସମ୍ପୂର୍ଣ୍ଣ ଶରୀର ଟି ପୂରା ବାଇକ୍ ଭଳି ଅବିକଳ ଦିଶୁଛି । ଏହି ବାଇକ୍-ସାଇକେଲ ତିଆରି କରିବା ପାଇଁ ଶିବଙ୍କୁ ପାଖାପାଖି ୨ ମାସ ସମୟ ଲାଗିଥିବା ବେଳେ ଏଥିରେ ସେ ୨୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ।
ଶିବଙ୍କ ସାଇକେଲରେ ବାଇକର ଲାଇଟ୍, ମିଟର ବାକ୍ସ, ମଡକାଡ, ତେଲ ଟାଙ୍କି, ସିଟ୍, ସାଇେଲେନସର ପାଇପ୍ ଏବଂ ଡିକି ଅଛି । ଯାହା ସାଇକେଲ ହୋଇଥିଲେ ବି ବାଇକର ଅନୁଭବ ଦେଉଛି ଆଉ ବାପାଙ୍କ ସାଇକେଲରେ ବସି ପୁଅ ବାଇକର ମଜା ନେଉଛି । ବାପା ସିନା ପେଡାଲ ମାରି ସାଇକେଲ୍ ଚଳାଉଛନ୍ତି ହେଲେ ପୁଅ ପଛ ସିଟରେ ବସି ବାପାଙ୍କ ବାଇକରେ ବସିଛି ବୋଲି ଭାବୁଛି । ଆଃ କି ସରଳ ଏ ଜୀବନ, କି ସରଳ ଏ ମନ- ନା ଛଳନା ଅଛି ନା ଅଧିକ କିଛି ପାଇବାର ଆଶା ରହିଛି । ଅଳ୍ପରେ ଖୁସି ହେଇଯିବା ହିଁ ତ ଜୀବନ ।
ତେବେ ସବୁଠାରୁ ବଡ଼ କଥା ହେଉଛି ଶିବଙ୍କ ଏହି ସାଇକେଲ୍ କମ୍ ବାଇକକୁ ଦେଖି ଅନେକ ଥର ପୋଲିସ ହେଲମେଟ ଚେକିଙ୍ଗ୍ ପାଇଁ ଶିବ ଶଙ୍କରଙ୍କୁ ଧରିଛନ୍ତି । ହେଲେ ସାଇଟା ବାଇକ ନୁହେଁ ବରଂ ସାଇକେଲ ବୋଲି ଜାଣିବା ପରେ ସସମ୍ମାନେ ଛାଡି ଦେଇଛନ୍ତି ।
ସେପଟେ ଏହି ନିଆରା କାହାଣୀଟି କଟକ ଖବର ସୋସିଆଲ ମିଡିଆ ପେଜରେ ପୋଷ୍ଟ ହୋଇଥିବା ବେଳେ ଲୋକେ ଏଥିରେ ଭିନ୍ନ ଭିନ୍ନ ମତାମତ ଦେଇଛନ୍ତି । ପୁଅର ଇଚ୍ଛା ପୂରଣ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ କରି ଶିବ ଶଙ୍କର ନିଜ ସାଇକେଲକୁ ବାଇକର ରୂପ ଦେଲେ ଅଥଚ ସେ ସେହି ୨୦ ହଜାର ଟଙ୍କାରେ କେମିତି ଏକ ପୁରୁଣା ବାଇକ୍ ନଆଣିଲେ ବୋଲି ଲୋକେ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି । ତେବେ ଯାହା ବି ହେଉନା କାହିଁକି ପୂରା କାହାଣୀରେ ଜଣେ ବାପାର ପୁଅ ପ୍ରତି ନିରୋଳା ସ୍ନେହ ଓ ନିର୍ଭେଜାଲ ଭଲପାଇବା ବାରି ହୋଇପଡିଛି । ଧନ୍ୟ ସେ ବାପା, ଧନ୍ୟ ସେ ପୁଅ..