ଭୁବନେଶ୍ବର: ସେ ‘ଭାରତ ବନ୍ଦ’ ହେଉ କି ‘ଓଡ଼ିଶା ବନ୍ଦ’ ହେଉ । ଯେବେଯେବେ ଏ ବନ୍ଦ କଥା ଉଠେ ସେବେସେବେ ସାମ୍ନାକୁ ଆସେ ସାଧାରଣ ଲୋକ ଭୋଗୁଥିବା ହଇରାଣ, ହରକତ, ହିନସ୍ତା, ହନ୍ତସନ୍ତର କଥା । ବନ୍ଦ ପାଇଁ ଅଟକି ଯାଏ ଜୀବନ ଜୀବିକା, ରାସ୍ତାଘାଟ, ଦୋକାନ ବଜାର, ଗାଡ଼ି ମଟର । ଗାଁରୁ ସହର ସବୁଠି ଶୁଭେ ପ୍ରତିବାଦର ସ୍ବର, ନାରାବାଜି.. ସାମ୍ନାକୁ ଆସେ ଟାୟାର ଜଳିବାର ଦୃଶ୍ୟ, ଭଙ୍ଗାରୁଜାର ଦୃଶ୍ୟ, ଧସ୍ତାଧସ୍ତି-ମୁହାଁମୁହିଁ ହେବାର ଚିତ୍ର । ଯାହା ଆମେ ମିଡିଆରେ ଦେଖାଉ ଆଉ ଆପଣମାନେ ବି ଦେଖନ୍ତି..
ବନ୍ଦ ପାଇଁ ଅଟକି ଯାଏ ଚକଅଖ, ଗଡେନି ଗାଡି, ମାନ୍ଦା ହୁଏ ବ୍ୟବସାୟ, କ୍ଷତି ସହନ୍ତି ବ୍ୟବସାୟୀ, ଲକ୍ଷେ କି ୨ ଲକ୍ଷ ନୁହେଁ.. କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡେ । ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଯିବାକୁ ହନ୍ତସନ୍ତ ହୁଅନ୍ତି, ରୋଗୀ ମେଡିକାଲରେ ପହଞ୍ଚିବାକୁ ଅଧା ବାଟରେ ହିନସ୍ତା ହୁଅନ୍ତି.. ଏମିତି କେତେ କେତେ କଥା-ବ୍ୟଥା ଓ କାହାଣୀ ସାମ୍ନାକୁ ଆସେ – ତଥାପି ଏ ଦେଶରେ, ଏ ରାଜ୍ୟରେ, ଏ ସମାଜରେ ବନ୍ଦ ଡାକରା ଦିଆଯାଏ, ବନ୍ଦ ପାଳନ ହୁଏ.. ହେଲେ ଏଠି ପ୍ରଶ୍ନ ଉଠେ ସତରେ କଣ ବନ୍ଦ ପାଳନ କଲେ- ଦାବି ପୂରଣ ହୁଏ, ନ୍ୟାୟ ମିଳେ ? ଯେତେବେଳେ ସାଧାରଣ ଲୋକ ଗୋଟେ ପ୍ରସଙ୍ଗରେ ରାଜନୀତି କରୁଥିବା କିଛି ଦଳଙ୍କ ପାଇଁ ହଇରାଣ ହୁଅନ୍ତି ସେତେବେଳେ ଏ ପ୍ରଶ୍ନ ସାଧାରଣରେ ଉଙ୍କିମାରେ..
/filters:format(webp)/sambad/media/media_files/2025/07/17/twin-city-completely-at-a-standstill-opponents-saying-success-common-people-stuck-saying-different-things-2025-07-17-11-27-17.jpg)
ହଁ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳ ବନ୍ଦ ପାଳନ କରିବାର ଅଧିକାର ରହିଛି । ଶୋଇଥିବାର ସରକାରକୁ ଉଠାଇବାକୁ ହେଉ କି ସରକାର ଉପରେ ଚାପ ପକାଇ ପାଇଁ ବିରୋଧୀ ବନ୍ଦ ପାଳନ କରନ୍ତି । ବାଲେଶ୍ବର କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଓଡିଶାରେ ନୂଆ କରି ହୋଇଥିବା ବିଜେପି ସରକାରକୁ ଘେରିବାକୁ ଉଭୟ ବିଜେଡି ଓ କଂଗ୍ରେସ ବଡ ଦଳ ଭାବେ ବନ୍ଦର ବାଟ ବାଛିଥିବା ବେଳେ ଗତକାଲି ବାଲେଶ୍ବର ବନ୍ଦ କରିଥିଲା ବିଜେଡି ଆଉ ଆଜି ସାରା ଓଡିଶା ବନ୍ଦ କରିଛି କଂଗ୍ରେସ ଓ ଅନ୍ୟ ବାମପନ୍ଥୀ ଦଳମାନେ । ଠିକ୍ ଅଛି- ଗୋଟେ ସରକାରଙ୍କୁ ସକ୍ରିୟ କରିବାକୁ ବିରୋଧୀ ‘ବନ୍ଦ’କୁ ବ୍ରହ୍ମାସ୍ତ୍ର ଭାବେ ପ୍ରୟୋଗ କରନ୍ତି । ଆଜି ବିଜେଡି ଓ କଂଗ୍ରେସ ଏହି ବାଟ ବାଛିଛନ୍ତି, ଅତୀତରେ ଯେବେ ଓଡ଼ିଶାରେ ବିଜେଡିର ସରକାର ଥିଲା ସେତେବେଳେ ବି ବର୍ତ୍ତମାନର ସରକାରରେ ଥିବା ବିଜେପି ବିରୋଧୀ ଭାବେ ରାସ୍ତାରେ ଗର୍ଜୁଥିଲା, ବନ୍ଦ ପାଳନ କରୁଥିଲା, ସରକାରକୁ ପଙ୍ଗୁ-ଅପାରଗ ବୋଲି କହୁଥିଲା । ରାଜନୀତିରେ ଏ ପ୍ରକ୍ରିୟା ଚାଲୁଛି ଆଉ ଚାଲୁଥିବ ମଧ୍ୟ..
ହେଲେ ଆପଣ ଯଦି କହିବେ ବନ୍ଦରେ କିଏ ଲାଭବାନ ହୁଏ ଏବଂ କିଏ କ୍ଷତି ସହେ..? ତାହାଲେ ଏ ହରତାଳ, ଧର୍ମଘଟ, ବନ୍ଦରେ ସବୁଠୁ ଯଦି ଅଧିକ କେହି କ୍ଷତି ସହୁଥାନ୍ତି ତାହାଲେ ସେମାନେ ହେଉଛନ୍ତି ସାଧାରଣ ଲୋକେ । ଓଡ଼ିଶା ବନ୍ଦ କରି ହୁଏତ କିଛି ରାଜନୈତିକ ଦଳ ଫାଇଦା ପାଇପାରନ୍ତି । ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ହୁଏତ ସେମାନେ ଏହି ବନ୍ଦ ପାଳନକୁ ଗୁରୁତ୍ବର ସହ ନେଇପାରନ୍ତି । କିନ୍ତୁ ବଞ୍ଚିଥିଲା ବେଳେ ତ ଏହି ରାଜନୈତିକ ଲୋକଙ୍କର ଦେଖା ଦର୍ଶନ ନଥିଲା ନା .. ତେଣୁ ଆଜି ବନ୍ଦ ପାଳନ କରି ସେମାନେ କଣ ଦର୍ଶାଇବାକୁ ଚାହୁଁଛନ୍ତି । ଲୋକଙ୍କୁ ସବୁ ଜଣା- ସେମାନେ ଖାଲି ତୁଚ୍ଛା ରାଜନୀତି ହିଁ କରୁଛନ୍ତି । କିଏ କେତେ ଏହି ପ୍ରସଙ୍ଗରେ ମାଇଲେଜ ନେଇପାରିବ ସେ ପ୍ରତିଯୋଗିତାରେ ମାତିଛନ୍ତି ।
/filters:format(webp)/sambad/media/media_files/2025/07/17/strike-impact-odisha-crashes-truck-lines-on-nh-passengers-stranded-2025-07-17-09-28-28.jpg)
କିନ୍ତୁ ମନେରଖନ୍ତୁ ! କେତେକ ରାଜନୈତିକ ଦଳର ଏହି ହରକତ ପାଇଁ ହିଁ ସାଧାରଣ ଲୋକଟିଏ ସବୁବେଳେ ସମସ୍ୟା ଭୋଗେ । ଥରେ ଭାବିଲେ ଯେତେବେଳେ ଗାଡ଼ି ବନ୍ଦ ହୋଇଯାଏ, ରାସ୍ତା ବନ୍ଦ ହୋଇଯାଏ, ଦୋକାନ ବଜାର ବନ୍ଦ ହୋଇଯାଏ.. ସେତେବେଳେ ସାଧାରଣ ଜୀବନର ଅବସ୍ଥା କେମିତି ହୁଏ । ଜନଜୀବନ କେତେ ପ୍ରଭାବିତ ହୁଏ । କେତେ ହନ୍ତସନ୍ତ ହୁଅନ୍ତି ଲୋକେ, କେମିତି ଅଟକିଯାଏ ଜୀବନ.. କେତେ ସମସ୍ୟା ଭୋଗନ୍ତି ଲୋକେ । ଠିକ୍ ଆଜି ବି ସେଇ ସମାନ ସ୍ଥିତି ଓଡିଶାରେ ଉପୁଜିଛି । ଅଖ-ଚକ ସବୁ ଅଟକି ଯାଇଛି – ରାସ୍ତା ରେଳ, ବସ ସେବା ସବୁ ବନ୍ଦ । କିଏ ବାଟରେ ଅଟକିଛି ତ କିଏ ପୁଣି ଜାମରେ ଫସିଛି । ରୋଗୀ ତ ମେଡିକାଲ ବି ଯାଇ ପାରୁ ନାହାନ୍ତି । ପିଲା ପରୀକ୍ଷା ଦେବାକୁ କାନ୍ଦ କାନ୍ଦ ଆଖିରେ ହଇରାଣ ହୋଇ ଯାଉଛନ୍ତି ।