ଭୁବନେଶ୍ବର: ଆଜିର ସମାଜରେ ଯୁବପିଢିଙ୍କୁ ଘାରିଛି ରିଲ୍ସ ନିଶା । ଖାଲି ଯୁବପିଢି କାହିଁକି ପ୍ରାୟ ସମସ୍ତେ ରିଲ୍ସ ନିଶାରେ ନିଶାଗ୍ରସ୍ତ । ସୋସିଆଲ ମିଡ଼ିଆ ବିନା ଜୀବନ ଶୂନ । ଆଉ ଯଦି ରିଲ୍ସ ନଦେଖା ହେଉଛି ତାହାଲେ କଥା ସରିଲା । ରାତିରେ ନିଦ ବି ଆସୁନି । ଖାଇଲା ବେଳେ ରିଲ୍ସ ଦେଖା, ଶୋଇଲା ବେଳେ ରିଲ୍ସ ଦେଖା… ଟିକେ ଯଦି ଫାଙ୍କା ମିଳିଲା ତେବେ ରିଲ୍ସ କିମ୍ବା ସର୍ଟସ ଦେଖି ଦେଉଛନ୍ତି ଲୋକେ । ଖାଲି ରିଲ୍ସ ଦେଖୁ ନାହାନ୍ତି ବରଂ ତିଆରି ବି କରୁଛନ୍ତି ।

Advertisment

ସକାଳ ହେବା ଠାରୁ ରାତି ହେବା ଯାଏଁ କିଛି କିଛି ଅଛନ୍ତି ଯେଉଁମାନେ ଖାଲି ରିଲ୍ସ ଚକରରେ ରହି ସମୟ ନଷ୍ଟ କରୁଛନ୍ତି । ଅବଶ୍ୟ ରିଲ୍ସରୁ କେହି କେହି ମୋଟା ଅଙ୍କର ଟଙ୍କା ବି ପାଉଛନ୍ତି । କିନ୍ତୁ ଏହି ରିଲ୍ସ ଆଳରେ ଯେ ସେମାନେ ସମୟ ନଷ୍ଟ କରୁଛନ୍ତି, ପାରିବାରିକ ସମ୍ପର୍କକୁ ଫିକା କରୁଛନ୍ତି ଜାଣି ପାରୁ ନାହାନ୍ତି । ନିଦ ଭାଙ୍ଗିବା ଠାରୁ ନିଦ ଆସିବା ଯାଏଁ ଯୁବପିଢିଙ୍କୁ ରିଲ୍ସ ନିଶା ଘାରୁଛି । ଶୋଇବା, ଉଠିବା, ଖାଇବା, ପଢିବା, ବୁଲିବା, ପ୍ରେମ କରିବା, ପ୍ରତାରଣାର ଶିକାର ହେବା, ନାଚିବା, ଗାଇବା ଏବଂ ଦିନ ଯାକର ସବୁ କାମକୁ ଏବେ କିଛି ଯୁବପିଢି ଟ୍ରେଣ୍ଡରେ ରହିବାକୁ ରିଲ୍ସ କରି ସୋସିଆଲ ମିଡିଆରେ ଛାଡୁଛନ୍ତି ।

କେହି କେହି ଏହି ରିଲ୍ସକୁ ପାରିବାରିକ ମନୋରଞ୍ଜନ ବୋଲି ଭାବି ବି ସାରିଲେଣି.. ମାନେ ସପରିବାରେ ଏହି ରିଲ୍ସରେ ସାମିଲ ହେଉଛନ୍ତି । ଶାଶୁ, ବୋହୂ, ସ୍ବାମୀ, ପିଲା ସବୁ ମିଳିମିଶି ରିଲ୍ସ କରୁଛନ୍ତି । ସେ କମେଡି ହେଉ କି ଖାଦ୍ୟ ପ୍ରସ୍ତୁତି । ଏବେ ସମସ୍ତେ ରିଲ୍ସ କରି କରୁଛନ୍ତି ମସ୍ତି । ନବବିବାହିତ ଦମ୍ପତ୍ତି ତ ରିଲ୍ସରେ ଛାଇ ଯାଉଛନ୍ତି । ଯଦି ସେଲିବ୍ରିଟି ହେଲେ ତେବେ କଥା ସରିଲା । ବାହାଘରର ସବୁ ରୀତିନୀତି ଠାରୁ ବାହାଘର ପରର କାଇଁ କେତେ ଦିନ ଯାଏଁ ସବୁ କଥାକୁ ନେଇ ରିଲ୍ସ କରୁଥିବା ଦେଖିବାକୁ ମିଳୁଛି ।

କିଛିଙ୍କୁ ଏହି ରିଲ୍ସ ପସନ୍ଦ ଆସୁଥିବା ବେଳେ କିଛିଙ୍କୁ ଏହା ପସନ୍ଦ ନୁହେଁ । ସବୁ କଥାକୁ ସୋସିଆଲ ମିଡିଆରେ ଲୋକଙ୍କୁ ଜଣାଇବା ପସନ୍ଦ ଆସୁନଥିବା ବେଳେ ଘରେ ଏହି ରିଲ୍ସ ନିଶାରେ ଥିବା ବ୍ୟକ୍ତିଙ୍କୁ, ପୁଅ, ଝିଅ, ବୋହୂଙ୍କ ଉପରେ ବିରକ୍ତ ମଧ୍ଯ ହେଉଥିବା ଦେଖିବାକୁ ମିଳୁଛି । ଝିଅ, ବୋହୂ, ପୁଅ ସବୁ ରିଲ୍ସରେ ନାଚୁଥିବା ଦେଖି ବୟସ୍କ ବ୍ୟକ୍ତି ବିରକ୍ତି ପ୍ରକାଶ କରନ୍ତି । ଯାହା ଫଳରେ ପରିବାରରେ ଅଶାନ୍ତି ଦେଖାଦିଏ । ଘରେ ଝଗଡା ସୃଷ୍ଟି ହୁଏ । ସ୍ତ୍ରୀର ରିଲ୍ସ ପାଇଁ ସ୍ବାମୀ ଅସନ୍ତୋଷ ବ୍ୟକ୍ତ କରି ପାଟିତୁଣ୍ଡ ବି କରୁଥିବା ଦେଖିବାକୁ ମିଳେ । ତେବେ ଏହି ରିଲ୍ସ ରୋଗ ଆଗାମୀ ଦିନରେ ଏକ ବଡ ପାରିବାରିକ ବିପଦ ସୃଷ୍ଟି କରିବାର ଆଶଙ୍କ ଥିବାରୁ ଉପମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ରିଲ୍ସରୁ ବିରତି ନିଅ ପରିବାରକୁ ସମୟ ଦିଅର ଆହ୍ବାନ ଦେଇଛନ୍ତି ।

New Project (1)

ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ - ୨୦୦୫ ଏବଂ ଯୌତୁକ ନିଷେଧ ଅଧିନିୟମ - ୧୯୬୧ ବିଷୟରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଏହା ଉପରେ ଗୁରୁତ୍ବ ଦେବା ନେଇ କହିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଲେ ଅପିଲ । ମନ୍ତ୍ରୀ କହିଲେ, ପୂଜା ସମୟରେ ଉପବାସରେ ରହିବା ଭଳି ରିଲସ ଓ ସୋସିଆଲ ମିଡ଼ିଆ, ମୋବାଇଲ ଠାରୁ କିଛି ସମୟ ବିରତି ନିଅନ୍ତୁ ମହିଳା । ଆଜି ଲୋକସେବା ଭବନ କନଭେନସନ ହଲରେ ଯୌତୁକ ଏବଂ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଭଦ୍ରକରୁ ଆସିଥିବା ମହିଳା ସମାଜସେବୀ ସୋଫିଆ ସେଖ୍ କହିଥିଲେ ଆଜିକାଲି ରିଲ୍ସ ସୋସିଆଲ ମିଡ଼ିଆ ଏବଂ ମୋବାଇଲର ଅଧିକ ବ୍ୟବହାର ଯୋଗୁଁ ଘରୋଇ ହିଂସା ବଢୁଛି । ତେଣୁ ଏହା ଉପରେ ଦୃଷ୍ଟି ଦିଆଯିବା ଦରକାର ବୋଲି ସମାଜସେବୀ ସୋଫିଆ କହିଥିଲେ। ଯାହାକୁ ନେଇ ମୋବାଇଲ ଓ ସୋସିଆଲ ମିଡ଼ିଆ ଅଧିକ ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ଅପିଲ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ନଜର ପକାନ୍ତୁ

ଅଧିକ ରିଲ୍ସ ଦେଖିଲେ କଣ ହୁଏ ?

-ରିଲ୍ସ ନିଶା ବ୍ୟକ୍ତିଗତ ଏବଂ ସାମାଜିକ ବିଚ୍ଛିନ୍ନତା ସୃଷ୍ଟି କରେ
- ବ୍ୟକ୍ତି ବ୍ୟକ୍ତି ମଧ୍ଯରେ ଭାବ ଆଦାନପ୍ରଦାନରେ ବାଧା ସୃଷ୍ଟି କରେ
-ପରିବାର କର୍ତ୍ତବ୍ୟ ସମ୍ପାଦନା କରିବାରେ ବାଧା ଆଣେ
-ମଣିଷ ନିଜ ଦାୟିତ୍ବ ତୁଲାଇବାରେ ଅବହେଳା କରେ
-ଘରେ ରହି ବି କାହା ସହ ନଥିଲା ଭଳି ଏକ ସୁଯୋଗ ସୃଷ୍ଟି କରେ
-ନିଜ ଭିତରେ ଅଧିକ ଦ୍ବନ୍ଦ୍ବ ସୃଷ୍ଟି କରେ
-ନକାରାତ୍ମକ ଶକ୍ତି ମନକୁ ମାଡିବସେ
-ମାନସିକ ସ୍ବାସ୍ଥ୍ଯ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥାଏ
-ସାମାଜିକ ଦକ୍ଷତା କମିବାର ଆଶଙ୍କା ଥାଏ

ରିଲ୍ସ ନିଶାକୁ ମୁକୁଳିବେ କେମିତି ?

-ଆପଣ ପ୍ରଥମେ ସୋସିଆଲ ମିଡିଆ ଦେଖିବା ପାଇଁ ସମୟ ସୀମା ସ୍ଥିର କରନ୍ତୁ
-ଦିନକୁ କେତେ ସମୟ ରିଲ୍ସ ଦେଖିବେ, କେଉଁ ସମୟରେ ଦେଖିବେ ସ୍ଥିର କରନ୍ତୁ
-ସୋସିଆଲ ମିଡିଆରୁ ନିୟମିତ ବିରତି ନିଅନ୍ତୁ
-ଧିରେଧିରେ ଏହି ଅଭ୍ୟାସ ବଢାନ୍ତୁ ଏବଂ ଅଧିକ ଅଫଲାଇନ୍ ଜୀବନ ବିତାଇବାକୁ ଚେଷ୍ଟା କରନ୍ତୁ
-ଅନଲାଇନ ନୁହେଁ ଅଫଲାଇନରେ ଭାବ ଆଦାନପ୍ରଦାନ କରିବାକୁ ଚେଷ୍ଟା କରନ୍ତୁ
-ପରିବାର ଲୋକଙ୍କୁ ଏକାଠି କରି ସମୟ ବିତାଇବାକୁ ଯୋଜନା କରନ୍ତୁ
-ଆପଣଙ୍କ ଫୋନର ସ୍କ୍ରିନରେ ସ୍କ୍ରୋଲ୍ କରିବାର ଇଚ୍ଛାକୁ ନିୟନ୍ତ୍ରଣରେ ରଖନ୍ତୁ
-ଦେଖିବେ ଜୀବନ ସୁନ୍ଦର ହେବ ଆଉ ରିଲ୍ସ ନିଶାରୁ ମଣିଷ ମୁକ୍ତି ପାଇବ