କୁକୁଡ଼ା‌ ଚାଷ ପାଇଁ ସ୍ୱତନ୍ତ୍ର ଯୋଜନା

ପ୍ରାଣୀ ସମ୍ପଦ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି କରାଯାଇପାରିବ

ଭୁବନେଶ୍ବର : କୋଭିଡ୍‌-୧୯ ପରିସ୍ଥିତିରେ ଚାଷୀଙ୍କ ଆୟ ବୃଦ୍ଧି ସହିତ ପୁଷ୍ଟିକର ଖାଦ୍ୟ ଯୋଗାଣ ଦିଗରେ ପ୍ରାଣୀ ସମ୍ପଦ ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଲୋକସେବା ଭବନରେ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଅଧିକରୁ ଅଧିକ ଚାଷୀଙ୍କୁ ପ୍ରାଣୀ ସମ୍ପଦ କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ପ୍ରଚାର, ପ୍ରସାର କାର୍ଯ୍ୟ ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ରାଜ୍ୟରେ ଥିବା ସମସ୍ତ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରକୁ ଜୁଲାଇ ୩୧ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକ‌ରୁ ମିଳିଥିବା ସୂଚନା ଅନୁଯାୟୀ କୋଭିଡ୍‌-୧୯ ପରିସ୍ଥିତିରେ ରାଜ୍ୟ‌ରେ କୁକୁଡ଼ା ଚାଷକୁ ପ୍ରୋତ୍ସାହିତ କରିବା, ମାଂସ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ଲୋକଙ୍କ ରୋଜଗାରର ସୁଯୋଗ ସୃଷ୍ଟି କରିବା ପାଇଁ ବିଭିନ୍ନ ଯୋଜନା ଚାଲୁ କରାଯାଉଛି। ରାଜ୍ୟ ଯୋଜନା ଅନ୍ତର୍ଗତ ଏକ କାର୍ଯ୍ୟକ୍ରମରେ ୬୫୬ ଜଣ ଚାଷୀଙ୍କୁ ଅଣ୍ଡା ଦିଆ କୁକୁଡ଼ା ଚାଷ କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଏହି ଯୋଜନାରେ ହିତାଧିକାରୀଙ୍କୁ ୪୦ ପ୍ରତିଶତ ରିହାତି ଦିଆଯିବାର ବ୍ୟବସ୍ଥା ରହିଛି। ଏହା ମାଧ୍ୟମରେ ରାଜ୍ୟରେ ଦୈନିକ ପ୍ରାୟ ୫ ଲକ୍ଷରୁ ଅଧିକ ଅଣ୍ଡା ଉତ୍ପାଦନ ହୋଇପାରିବ। ସେହିପରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଡିପ୍‌ଲିଟର ପଦ୍ଧତ୍ତିରେ ଅଣ୍ଡାଦିଆ କୁକୁଡ଼ା ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ୧୦୦୨ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ଏହା ମାଧ୍ୟମରେ ୧୦ ହଜାର ୨୦ ଜଣ ହିତାଧିକାରୀ ଉପକୃତ ହେବେ। ଅନ୍ୟ ଏକ ଯୋଜନାରେ ପ୍ରବାସୀ ଶ୍ରମିକ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ରୋଜଗାର ଯୋଗାଇ ଦେବା ନିମନ୍ତେ ବ୍ରଏଲର୍‌ କୁକୁଡ଼ା ପାଳନର ଲକ୍ଷ୍ୟ ରଖାଯାଇଛି। ଏଥିରେ ୧୫୩୫ ଜଣ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ୪୦ ପ୍ରତିଶତ ରିହାତି ଯୋଗାଇ ଦିଆଯିବ। ଏହା ଦ୍ବାରା ବର୍ଷକୁ ୨୭୦୭୫ ମେଟ୍ରିକ୍ ଟନ୍ ଅଧିକ ମାଂସ ଉତ୍ପାଦନ ହୋଇପାରିବ।

chickenpoultry.net

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଆବେଦନ କରିଥିବା ଉଦ୍ୟୋଗୀମାନେ ଯେପରି ଆବଶ୍ୟକ ବ୍ୟାଙ୍କ ଋଣ ପାଇପାରିବେ, ସେଥି ପାଇଁ ନିୟମିତ ତଦାରଖ କରିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଏଥି ନିମନ୍ତେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଓ ଆପିକଲ୍‌ର ପରିଚାଳନା ନିର୍ଦ୍ଦେଶକଙ୍କ ସହିତ ସ୍ବତନ୍ତ୍ର ବୈଠକ କରି ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ। ଏହା ସହ ନିଜ ଘର ଅଗଣାରେ କୁକୁଡ଼ା ପାଳନ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକମାନଙ୍କର ଆୟବୃଦ୍ଧି କରିବାର ବ୍ୟାପକ ସୁଯୋଗ ରହିଥିବାରୁ ଏହାକୁ ଅଧିକ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ।

ବୈଠକରେ ଗାଈଗୋରୁଙ୍କ ଟୀକାକରଣ, ଔଷଧ ଯୋଗାଣ ଏବଂ ପଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକର ଉନ୍ନତୀକରଣ ଆଦି ବିଷୟରେ ସମୀକ୍ଷା କରାଯାଇଥିଲା। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସଚିବ ଆର୍‌ ରଘୁ ପ୍ରସାଦ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର