ଦିବ୍ୟାଙ୍ଗ’ଙ୍କ ଭବିଷ୍ୟତ ପଥର ତଳେ : ମିଳୁନି ସରକାରୀ ଅନୁମୋଦନ, ପାଣ୍ଠି ଅଭାବରୁ ବନ୍ଦ ହେବାର ଦ୍ୱାରଦେଶରେ ମୟୂରଭଞ୍ଜର ଏକମାତ୍ର ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ

ବାରମ୍ବାର ଅନୁରୋଧ କଲେ ବି ଶୁଣିଲେନି ରାଜ୍ୟ ସରକାର

ବାରିପଦା : ଦିବ୍ୟାଙ୍ଗ’ଙ୍କ ନିମନ୍ତେ ଯୋଜନା ପରେ ଯୋଜନା କରିଚାଲିଛନ୍ତି ରାଜ୍ୟ ସରକାର। ମାତ୍ର ମୟୂରଭଞ୍ଜରେ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କ ଭାଗ୍ୟ ଯେପରି ପଥର ତଳେ ରହିଛି। ଏହି ଦିବ୍ୟାଙ୍ଗମାନଙ୍କ ଉଚ୍ଚଶିକ୍ଷା ନିମନ୍ତେ ବାରିପଦା ଲକ୍ଷ୍ମୀପୋଷିରେ ଥିବା ଏକମାତ୍ର ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପାଣ୍ଠି ଅଭାବରୁ ବନ୍ଦ ହେବାର ଦ୍ୱାରଦେଶରେ ରହିଛି। ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ପରିଚାଳନା ନିମନ୍ତେ ଆବଶ୍ୟକୀୟ ପାଣ୍ଠି ଯୋଗାଇବାରେ ବିଫଳ ହେଉଛି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ। ପୂର୍ବରୁ ଏହା ଜିଲ୍ଲା ଜରୁରୀକାଳୀନ ପାଣ୍ଠିରୁ ପରିଚାଳିତ ହେଉଥିଲା। ମାତ୍ର ଜାମଶୋଳା ଗେଟ୍ ବନ୍ଦହେବା ପରେ ଜିଲ୍ଲା ଜରୁରୀ ପାଣ୍ଠିର ଆୟ କମିଯାଇଛି। ତେଣୁ ବିଦ୍ୟାଳୟ ପରିଚାଳନା ନିମନ୍ତେ ଆବଶ୍ୟକ ପାଣ୍ଠି ନଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି। କିନ୍ତୁ କେହି କର୍ଣ୍ଣପାତ କରିନାହାନ୍ତି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(ଏସଏସପିଡି)କୁ ଏନେଇ ବାରମ୍ବାର ପତ୍ର ଲେଖାଯାଇଛି। ମାତ୍ର କୌଣସି ସୁଫଳ ମିଳିନଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ ସୂଚନା ଦେଇଛନ୍ତି। ଏହି ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟକୁ ସରକାରୀ ଅନୁମୋଦନ ନମିଳିବା ପର୍ଯ୍ୟନ୍ତ ଏଠାରେ ଆଡ୍‌ମିସନ ପ୍ରକ୍ରିୟା ବନ୍ଦ ରହିବ ବୋଲି ଶ୍ରୀ ବିନ୍ଧାଣୀ ସୂଚନା ଦେଇଛନ୍ତି। ଅର୍ଥାତ ରାଜ୍ୟ ସରକାର ନଚାହିଁଲା ପର୍ଯ୍ୟନ୍ତ ଏହି ବିଦ୍ୟାଳୟ ଆଉ କାର୍ଯ୍ୟକରିପାରିବ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ଏନେଇ ଜିଲ୍ଲାରେ ବିରୋଧର ସ୍ୱର ଉଠିଛି। ଦୃଷ୍ଟିହୀନ ଏବଂ ବଧିର ମାନଙ୍କ ପାଇଁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏକମାତ୍ର ବିଦ୍ୟାଳୟ ବନ୍ଦହେବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜିଲ୍ଲାବାସୀ। ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟ ଏକାଧିକ ସମସ୍ୟା ସହିତ ଯୁଝୁଥିଲା। ଶିକ୍ଷକ ଅଭାବ, ପାଣ୍ଠି ଅଭାବ କାରଣରୁ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନ ପ୍ରତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବିମୁଖ ଥିଲେ। ଏବେ ଏକପ୍ରକାର ବନ୍ଦ ହେବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କ ଅବହେଳାର ଚରମ ନିଦର୍ଶନ
ମୟୂରଭଞ୍ଜ ପ୍ରତି ରାଜ୍ୟ ସରକାରଙ୍କର ଅବହେଳାର ଏହା ଆଉ ଏକ ଉଦାହରଣ। ଦିବ୍ୟାଙ୍ଗମାନଙ୍କ ପ୍ରତି ରାଜ୍ୟ ସରକାର କେତେ ସଦୟ ତାହା ଲକ୍ଷ୍ମୀପୋଷିରେ ଥିବା ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ହେବାକୁ ଯାଉଥିବା ପ୍ରମାଣ କରୁଛି। ରାଜ୍ୟ ସରକାରଙ୍କର ଏହି ଅବହେଳାକୁ ଦୃଢ଼ ଜବାବ୍ ଦିଆଯିବ।
କୃଷ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ବିଜେପି ନେତା

ଦୃଷ୍ଟିବାଧିତ ଏବଂ ବଧିର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ପାଣ୍ଠି ଅଭାବରୁ ବନ୍ଦ ହେବାକୁ ଯାଉଥିବା ଖବର ଆମକୁ ବ୍ୟଥିତ କରୁଛି। ସରକାରୀ ବାବୁମାନଙ୍କର କ୍ବାର୍ଟର ବାରମ୍ବାର ସଜଡା ଯାଉଥିବାରେ ବିପୁଳ ଅର୍ଥ ବ୍ୟୟ ହେଉଛି। ମାତ୍ର ଏହିଭଳି ଏକ ସ୍ୱତନ୍ତ୍ର ବିଦ୍ୟାଳୟ ଚଳାଇବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଅର୍ଥ ନାହିଁ। ରାଜ୍ୟ ସରକାର ପକ୍ଷରୁ ମଧ୍ୟ ଏଥିପାଇଁ ଅର୍ଥ ଅନୁମୋଦନ ନହେବା ଦୁଃଖର ବିଷୟ। ଦାୟିତ୍ୱରେ ଥିବା ଜିଲ୍ଲା ପ୍ରଶାସକମାନଙ୍କର ଏହା ଅଦୂରଦର୍ଶିତା ବୋଲି ପ୍ରମାଣିତ ହେଉଛି। ଏପରି ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ।
କଳିଙ୍ଗ କେଶରୀ ଜେନା, ଯୁବସଂଗଠକ

ମୟୂରଭଞ୍ଜ ପ୍ରତି ଅବହେଳା
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଦିବ୍ୟାଙ୍ଗମାନଙ୍କ ଉଚ୍ଚଶିକ୍ଷା ନିମନ୍ତେ ଥିବା ଏକମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟକୁ ଜିଲ୍ଲାପ୍ରଶାସନ ଅର୍ଥ ଅଭାବରୁ ଚଳେଇ ପାରୁନଥିବା ନିହାତି ହାସ୍ୟାସ୍ପଦ। ଏହା ରାଜ୍ୟ ସରକାରଙ୍କର ମୟୂରଭଞ୍ଜ ପ୍ରତି ଉଦାସୀନ ମନୋଭାବର ଆଉ ଏକ ଜ୍ୱଳନ୍ତ ଉଦାହରଣ। ରାଜ୍ୟ ସରକାର ତୁରନ୍ତ ଏହି ବିଦ୍ୟାଳୟର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ନିମନ୍ତେ ଉଚିତ୍ ପଦକ୍ଷେପ ନେବାକୁ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
ଯୋଗେଶ ଅଗ୍ରୱାଲା, କଂଗ୍ରେସ୍ ଯୁବନେତା

ସରକାରୀ କଳ ଓ ରାଜନେତାଙ୍କ ବିଫଳତା
ଲକ୍ଷ୍ମୀପୋଷିସ୍ଥିତ ସ୍ୱତନ୍ତ୍ର ଦୃଷ୍ଟିହୀନ ବଧିର ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ପୂର୍ବରୁ ମଧ୍ୟ ଅବହେଳିତ ହୋଇ ଥିଲା। ଏବେ ବନ୍ଦ ହେବାକୁ ଯାଉଛି। ଏହା ପ୍ରଶାସନିକ କଳର ଚରମ ବିଫଳତା। ଏହାସହିତ ଜିଲ୍ଲାରେ ଥିବା ରାଜନୈତିକ ନେତାଙ୍କର ମଧ୍ୟ ଏହା ବିଫଳତା। ଏହା ବିରୋଧରେ ଆନ୍ଦୋଳନ କରାଯିବ।
ପିଣ୍ଟୁ ମାଇତି, ସଭାପତି, ଭଞ୍ଜସେନା

ସମ୍ବନ୍ଧିତ ଖବର