ଭୁବନେଶ୍ବର: କଟକସ୍ଥିତ ଯୋଗକାର ହୋଲିଷ୍ଟିକ୍ ୱେଲନେସ୍ କେନ୍ଦ୍ରରେ ପୁରାତନ ପ୍ରଥା ନାଦଯୋଗ ଓ ଧ୍ରୁପଦର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି। ପଣ୍ଡିତ ପୁଷ୍ପରାଜକୋସ୍ତି, ଗୁରୁ ଆଶାମୁକୁଲ ବାରିକ ଓ ଗୁରୁ ମୁକୁନ୍ଦ ଦେବ ସାହୁଙ୍କ ଉପସ୍ଥିତି ଓ ମାର୍ଗଦର୍ଶନରେ ଏହି ସ୍ବତନ୍ତ୍ର ଅଧିବେଶନ ଉତ୍ସର୍ଗୀକୃତ ହୋଇଥିଲା। ନାଦଯୋଗର ସାଧକମାନଙ୍କର ଏହି ସମାବେଶ ଶବ୍ଦ ଓ ଧ୍ୟାନ ମଧ୍ୟରେ ଥିବା ଗଭୀର ସଂପର୍କକୁ ପରିପ୍ରକାଶ କରିଥିଲା। ଏହି ପୁରାତନ ପ୍ରଥାଗୁଡ଼ିକ କିଭଳି ଦାର୍ଶନିକ ଓ ଶାରୀରିକ ଲାଭ ବିଷୟରେ ଅନ୍ତର୍ଦୃଷ୍ଟି ପ୍ରଦାନ କରିବା ସହ ମାନସିକ ଶାନ୍ତି ଓ ସୁସ୍ଥତା ବୃଦ୍ଧି କରିଥାଏ ତାହାକୁ ବିଶେଷଜ୍ଞମାନେ ଏହି ଅଧିବେଶନରେ ସୂଚନା ଦେଇଥିଲେ। ଗୁଣ୍ଡିଚା ଭାଇମାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଧ୍ରୁପଦ ଓ ନାଦଯୋଗର ସୂକ୍ଷ୍ମ ବାଣୀ ଶିଖିବାରେ ଦଶନ୍ଧିରୁ ଅଧିକ ସମୟ ବିତାଇଥିବା ଗୁରୁ ମୁକୁନ୍ଦ ଦେବ ହରି ଓ ଓମ୍ ଉପରେ ତାଙ୍କର ସୂକ୍ଷ୍ମ ପରିବେଷଣ ଓ ଧ୍ରୁପଦର ଗଭୀର ଗୁଣଗୁଡ଼ିକର ସରଳ ବ୍ୟାଖ୍ୟା କରିଥିଲେ। ଯାହାକି ଅଂଶଗ୍ରହଣକାରୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଏହି ଅଧିବେଶନରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ରାସ୍ପେକ୍ଟ ଇଣ୍ଟେଲିଜେନ୍ସ ଇନ୍ସ୍ପେକ୍ସନ୍ ଲିମିଟେଡ୍, ହଂକଂର ପରିଚାଳନା ନିର୍ଦ୍ଦେଶକ ଧନଦାକାନ୍ତ ମିଶ୍ର ଓ ହୋଲିଷ୍ଟିକ୍ ୱେଲନେସ୍ ଓ ନାଦଯୋଗର ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଯୋଗକାରର ସହ ପ୍ରତିଷ୍ଠାତା ଶିରୀଷ ଏହି ଅଧିବେଶନକୁ ପରିଚାଳନା କରିଥିଲେ। ଅନ୍ୟତମ ସହ ପ୍ରତିଷ୍ଠାତା ଡା. କାମାକ୍ଷା ଦାସ ଯୋଗକାର ପ୍ରତିଷ୍ଠା କରିବା ପଛର ଉଦ୍ଦେଶ୍ୟ ସଂପର୍କରେ ମତ ରଖିଥିଲେ। ଅଧିବେଶନଟି ‘ଯୋଗକାର ଦ୍ବାରା ଆହାର’ ଭୋଜନ ସହ ଶେଷ ହୋଇଥିଲା। ଭୋଜନରେ ପରିବେଷିତ ପ୍ରତ୍ୟେକ ଖାଦ୍ୟ ସାମଗ୍ରୀର ବ୍ୟାଖ୍ୟା କରାଯାଇଥିଲା।