ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ସେବା, ବୀମା କ୍ଷତିପୂରଣ ପ୍ରସଙ୍ଗ : ସଚିବାଳୟରେ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଆଜି

କେରଳ ବନ୍ୟା ଢାଞ୍ଚା ପ୍ରୟୋଗ କରାଯିବ

ଭୁବନେଶ୍ବର : ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ସେବା ବ୍ୟାହତ ହୋଇପଡ଼ିଛି। ଜୀବନ ଓ ଧନସଂପତ୍ତି ବାବଦ ବୀମା କ୍ଷତିପୂରଣ ପ୍ରଦାନରେ ସମସ୍ୟା ବି ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅପରାହ୍‌ଣରେ ସଚିବାଳୟରେ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି) ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ଅତି ପ୍ରବଳ ବାତ୍ୟା ଫନି ଯୋଗୁଁ ରାଜ୍ୟର ୧୪ଟି ଜିଲ୍ଲା ଊଣାଅଧିକେ ପ୍ରଭାବିତ। ପୁରୀ, ଖୋର୍ଧା, ଭୁବନେଶ୍ବର ଆଦି ସହରାଞ୍ଚଳରେ ନଗଦ ଟଙ୍କା ମିଳିବା ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବିଶେଷ କରି ପୁରୀ ଭଳି କିଛି ସ୍ଥାନରେ ବ୍ୟାଙ୍କ ସେବା ସଂପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି। ସେହିପରି ଉଭୟ ଜୀବନ ଓ ଧନ ସଂପତ୍ତି ବାବଦରେ ବୀମା ଦେୟ ପ୍ରଦାନ ବି ଚିନ୍ତାଜନକ। ଏ ନେଇ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ବାତ୍ୟା ପ୍ରଭାବିତ ରାଜ୍ୟମାନଙ୍କରେ ବୀମା ସେବା ପ୍ରଦାନ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି), ଓରିଏଣ୍ଟାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍‌, ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍‌, ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନି ଲିମିଟେଡ୍‌, ୟୁନାଇଟେଡ୍‌ ଇନ୍‌ସ୍ୟୁରାନ୍ସ ଆଦି ସଂସ୍ଥାକୁ ନିର୍ଦେଶନାମା ଜାରି କରିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ବୀମା ଯୋଜନା ଯଥା: ପିଏମ୍‌ଜିଜିବିୱାଇ, ପିଏମ୍‌ଏସ୍‌ବିୱାଇ ଓ ପିଏମ୍‌ଏଫ୍‌ବିୱାଇ କାର୍ଯ୍ୟକାରୀ କରିବାକୁ କୁହାଯାଉଛି।

ଜଣେ ମୃତ ବ୍ୟକ୍ତିଙ୍କ ଆତ୍ମୀୟ ବା ଉତ୍ତରାଧିକାରୀଙ୍କୁ ବୀମା କ୍ଷତିପୂରଣ ପ୍ରଦାନ ସମୟରେ ବେଳେ ମୃତ୍ୟ ପ୍ରମାଣପତ୍ର ମିଳିବାରେ ସମସ୍ୟା ଉପୁଜିଲେ, ୨୦୧୮ କେରଳ ବନ୍ୟା ମଡେଲ୍‌ ବା ଢାଞ୍ଚା ଆପଣାଇବାକୁ ନିର୍ଦେଶ ଦେଇଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ। ‌ଏଟିଏମ୍‌, ବ୍ୟାଙ୍କ ସେବା କିପରି ସ୍ବାଭାବିକ ହୋଇପାରିବ ସେ ନେଇ ମଧ୍ୟ ସ୍ବତନ୍ତ୍ର ଏସ୍‌ଏଲ୍‌ବିସିରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। ଇତି ମଧ୍ୟରେ ଅର୍ଥ ବିଭାଗ ବ୍ୟାଙ୍କ କର୍ତୃପକ୍ଷମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ପରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ସେବା ଲୋକଙ୍କୁ କିପରି ଉପଲବ୍ଧ ହୋଇପାରିବ ସେ ନେଇ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ବ୍ୟାଙ୍କ କର୍ତୃପକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ବୀମା କମ୍ପାନି କର୍ତୃପକ୍ଷମାନଙ୍କ ସହିତ ସେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର