ଭୁବନେଶ୍ୱର : ଶେଷ ଥର ଲାଗି ଆନ୍ଧ୍ରପ୍ରଦେଶ ବିଭାଜନ ବେଳେ କେବଳ ତେଲେଙ୍ଗାନାକୁ ସ୍ୱତନ୍ତ୍ର ପାହ୍ୟା ଦିଆଯାଇଥିଲା। ତା'ପରଠାରୁ ଏହି ପ୍ରକ୍ରିୟା ବନ୍ଦ ରହିଛି। ଅର୍ଥ ଆୟୋଗ ସ୍ବତନ୍ତ୍ର ରାଜ୍ୟ ସଂଖ୍ୟା ନ ବଢ଼ାଇବା ଲାଗି ସ୍ପଷ୍ଟ ଭାବେ କହିଛନ୍ତି। ଅତଏବ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଆଉ ମିଳିବ ନାହିଁ। ଭବିଷ୍ୟତରେ ମଧ୍ୟ କୌଣସି ରାଜ୍ୟକୁ ଆଉ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବାର ପ୍ରଶ୍ନ ଉଠୁନାହିଁ।

Advertisment

ବଜେଟ୍ ପରବର୍ତ୍ତୀ ଆଲୋଚନାରେ ଅଂଶଗ୍ରହଣ କରିବା ପରେ ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଜି ଏଭଳି ରୋକ୍‌ଠୋକ୍ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ ରାଜ୍ୟ ସରକାର ଓ ଶାସକ ବିଜେଡି ପକ୍ଷରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିକୁ ଶକ୍ତ ଧକ୍‌କା ଲାଗିଛି। ଓଡ଼ିଶାର ସିଂହଭାଗ ଲୋକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହୋଇଥିବା ବେଳେ ରାଜ୍ୟ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରିବା ଓଏହା ରାଜ୍ୟର ଅର୍ଥନୀତିକୁ ସଙ୍କୁଚିତ କରିଦେଉଥିବା ପରିପ୍ରେକ୍ଷୀରେ ଏଭଳି ଦାବି ବାରମ୍ବାର ଉଠିଆସୁଥିଲା। ତେବେ ପୂର୍ବରୁ କେନ୍ଦ୍ର ସରକାର ସଂସଦ ଠାରୁ ଆରମ୍ଭ କରି ଅନ୍ୟ କାର୍ଯ୍ୟକ୍ରମରେ ଏହାକୁ ଟାଳି ଆସୁଥିଲେ। ଆଜି ନିଜେ ଅର୍ଥମନ୍ତ୍ରୀ ଏ ସଂକ୍ରାନ୍ତରେ ଆଭିମୁଖ୍ୟ ସ୍ପଷ୍ଟ କରିବା ଓଡ଼ିଶାକୁ ଏକ ଶକ୍ତ ଧକ୍‌କା ବୋଲି କୁହାଯାଉଛି। ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗଟି ଉପରେ ରାଜ୍ୟ ସରକାର, ସର୍ବୋପରି ଶାସକ ଦଳ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଉପରେ ଏବେ ଅର୍ଥନୈତିକ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମହଲ ନଜର ରଖିଛନ୍ତି।

ଟାଳିଦେଲେ ଆଦାନି ସମ୍ପର୍କିତ ପ୍ରଶ୍ନ, ମୁହଁରେ ବିରକ୍ତି ଭାବ
ମନରେଗା ଓ ଖାଦ୍ୟଶସ୍ୟ ଅର୍ଥ କାଟ୍ ପ୍ରସଙ୍ଗକୁ ଅସ୍ବୀକାର
ପେଟ୍ରୋଲରେ ଜିଏସ୍‌ଟି ନିଷ୍ପତ୍ତି କେନ୍ଦ୍ର ନୁହେଁ, ପରିଷଦ ନେବ
ନାଲ୍‌କୋରୁ ପୁଞ୍ଜିପ୍ରତ୍ୟାହାର ହେବନି କହିଲେ ତୁହିନ୍‌କାନ୍ତ

publive-image

ତେବେ ସଂପ୍ରତି ଭାରତ ରାଜନୀତିରେ ଯେଉଁ ପ୍ରସଙ୍ଗଟି ଏବେ ବେଶି ଚର୍ଚ୍ଚାର ବିଷୟ ହୋଇଛି, ସେ କ୍ଷେତ୍ରରେ ନିର୍ମଳା ମପାଚୁପା ମନ୍ତବ୍ୟ ଦେଇଥିଲେ, କିଛି କ୍ଷେତ୍ରରେ ପ୍ରଶ୍ନକୁ ବାଏଁ ବାଏଁ ଉଡ଼ାଇ ଦେଇଥିଲେ। ଆହୁରି ସରଳ ଭାଷାରେ କହିଲେ, ଆଦାନି-ହିଣ୍ଡେନ୍‌ବର୍ଗ ଘଟଣା ସମ୍ପର୍କରେ ପଚରାଯାଇଥିବା କୌଣସି ପ୍ରଶ୍ନର ସିଧାସଳଖ ଉତ୍ତର ଦେଇନଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମେ ଏ ସଂକ୍ରାନ୍ତ ପ୍ରଶ୍ନକୁ ସେ ସମ୍ପୂର୍ଣ୍ଣ ଏଡ଼ାଇଯାଇଥିଲେ। ଦ୍ୱିତୀୟ ଥର ପୁଣି ସମାନ ପ୍ରଶ୍ନ ପଚରାଯିବାରେ ଅର୍ଥମନ୍ତ୍ରୀ କହିଥିଲେ ଯେ ଏ ସଂକ୍ରାନ୍ତରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ତେଣୁ କୌଣସି ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ। ଆଦାନି ମାମଲାରେ ସେବି କ'ଣ କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି ପ୍ରଶ୍ନର ହେବାରୁ ସେ କହିଥିଲେ ଯେ ସେବି ହେଉଛି ସ୍ୱତନ୍ତ୍ର ନିୟାମକ ସଂସ୍ଥା। ସେହି ଉତ୍ତର ସେବି ଦେଇପାରିବ। ଏହି ଘଟଣାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଟଙ୍କା ଫସିଥିବା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ସୀତାରମଣ କହିଥିଲେ ଯେ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ସବୁ କିଛି କହିସାରିଛନ୍ତି। ୟୁ ହାର୍ଡ ଫ୍ରମ୍ ହର୍ସେସ୍ ମାଉଥ୍ (ଆପଣମାନେ ତାଙ୍କଠାରୁ ସବୁ ଶୁଣିସାରିଛନ୍ତି ବୋଲି ସେ କହିଥିଲେ)। ଏଲ୍‌ପିଜି ଗ୍ୟାସ୍ ଓ ଅନ୍ୟ କିଛି ପ୍ରଶ୍ନର ଉତ୍ତର ଦେବା ବେଳେ ଅର୍ଥମନ୍ତ୍ରୀ ବିରକ୍ତି ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ସାଧାରଣ ବଜେଟ୍‌ ପରେ ମନରେଗା ଅନୁଦାନ କମାଯିବା ଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା ଅନୁଦାନ କଟାଯିବା ପର୍ଯ୍ୟନ୍ତ ଯେତେ ପ୍ରସଙ୍ଗ ରାଜ୍ୟ ସରକାର ଓ ଶାସକ ବିଜୁ ଜନତା ଦଳ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରି ଆସୁଥିଲେ, ସେସବୁକୁ ଅର୍ଥମନ୍ତ୍ରୀ କାଟି ଉଡ଼ାଇ ଦେଇଛନ୍ତି। ସାଧାରଣ ବଜେଟ୍‌ ପରେ ନିଜେ ମୁଖ୍ୟମନ୍ତ୍ରୀ ମନରେଗା ବ୍ୟୟ ବରାଦ ସଂପର୍କରେ ଆପତ୍ତି ଉଠାଇଥିଲେ। କଥା ଏତିକିରେ ଅଟକିନଥିଲା। ଖାଦ୍ୟ ଶସ୍ୟ ସଂଗ୍ରହ ଅର୍ଥ କାଟ୍ ପ୍ରସଙ୍ଗବି ଗତ କିଛି ଦିନ ଧରି ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛି। ଶାସକ ଦଳ ଏ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆଜି ଉଭୟ ପ୍ରସଙ୍ଗ ଉପରେ ନିର୍ମଳା ସ୍ପଷ୍ଟୀକରଣ ରଖିବାକୁ ଭୁଲିନାହାନ୍ତି।

ସାମ୍ବାଦିକମାନଙ୍କୁ ସମ୍ବୋଧନ କରିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ ଯେ ମନରେଗା ବ୍ୟୟବରାଦ ହ୍ରାସ ପାଇନାହିଁ । ଏହା ହେଉଛି ଏକ ଚାହିଦା ଭିତ୍ତିକ ଯୋଜନା। ଲୋକମାନେ କାମ ମାଗିଲେ ସେମାନଙ୍କୁ କାମ ଦିଆଯାଏ। ଏହି ଯୋଜନାରେ ବ୍ୟୟବରାଦ ବଢ଼ାଇବା ଲାଗି ଆମ ପାଖରେ ବ୍ୟବସ୍ଥା ରହିଛି। ଯଦି ଅଧିକ ବ୍ୟୟବରାଦ ଆବଶ୍ୟକ ଅନୁଭବ ହୁଏ, ତେବେ ଅତିରିକ୍ତ ଖର୍ଚ୍ଚଦାବି ଜରିଆରେ ଏଥିଲାଗି ଅର୍ଥବ୍ୟବସ୍ଥା କରିପାରିବେ। କୋଭିଡ୍ ମହାମାରୀ ସମୟରେ ଏହି ଯୋଜନାର ବ୍ୟୟବରାଦକୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ କରାଯାଇଥିଲା।

ନିର୍ମଳା ଆଉ ପାଦେ ଆଗକୁ ଯାଇ କହିଥିଲେ, ଉପା ସରକାରଙ୍କ ଅମଳରେ ମନରେଗା ଯୋଜନାର ବ୍ୟୟବରାଦ ଠିକ୍ ଭାବେ ଖର୍ଚ୍ଚ ହୋଇପାରୁନଥିଲା । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଆସିବା ପରଠାରୁ ମନରେଗା ଲାଗି ପ୍ରତିବର୍ଷ କରାଯାଉଥିବା ବ୍ୟୟବରାଦ ସମ୍ପୂର୍ଣ୍ଣ ବିନିଯୋଗ ହେଉଛି। ହେଲେ ଦେଶରେ ଏଭଳି କିଛି ରାଜ୍ୟ ରହିଛନ୍ତି; ଯେଉଁମାନଙ୍କୁ ଆର୍ଥିକ ବର୍ଷ ଆରମ୍ଭରୁ ମନରେଗା ଟଙ୍କା ଦିଆଯାଉଥିଲେ ମଧ୍ୟ ସେମାନେ ତାହାକୁ ଖର୍ଚ୍ଚ କରିପାରୁନାହାନ୍ତି। ସେହିଭଳି ଖାଦ୍ୟଶସ୍ୟ ସଂଗ୍ରହ କ୍ଷେତ୍ରରେ ଅର୍ଥ ହ୍ରାସ କରାଯାଇଥିବା ନେଇ ହେଉଥିବା ଅଭିଯୋଗ ଆଦୌ ସତ ନୁହେଁ ବୋଲି କହିଥିଲେ ନିର୍ମଳା। ସେ ସ୍ପଷ୍ଟ କରିଥିଲେ ଯେ ଆମେ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ କରୁଛୁ। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ କରି ଯଥାସମ୍ଭବ ଚାଷୀଙ୍କ ଠାରୁ ଆଗୁଆ ଖାଦ୍ୟଶସ୍ୟ ସଂଗ୍ରହ କରାଯାଉଛି।

publive-image

ଅନ୍ୟପକ୍ଷରେ ପେଟ୍ରୋଲ୍‌ରେ ଜିଏସ୍‌ଟି ଲଗାଇବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ପଚାରିଯାଇଥିବା ପ୍ରଶ୍ନରେ ଅର୍ଥମନ୍ତ୍ରୀ କହିଥିଲେ ଯେ ୨୦୧୭ ଜୁଲାଇରେ ଜିଏସ୍‌ଟି ଲାଗୁ ହେବା ଦିନରୁ ପେଟ୍ରୋଲିୟମ୍ ଉତ୍ପାଦରେ ଜିଏସ୍‌ଟି ଲଗାଇବା ଲାଗି ପ୍ରସ୍ତାବରେ ହିଁ ରହିଛି। ତେବେ କେଉଁ ସ୍ଲାବ୍ ଲାଗିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରୁନାହିଁ। ଏ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ନୁହେଁ, ବରଂ ନିଷ୍ପତ୍ତି ନେବାର ଦାୟିତ୍ବଟି ଜିଏସ୍‌ଟି ପରିଷଦର। ସେଥିରେ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀମାନେ ମଧ୍ୟ ସଦସ୍ୟ ଅଛନ୍ତି। ଏଣୁ ପେଟ୍ରୋଲିୟମ୍ ସାମଗ୍ରୀ ଉପରେ କେଉଁ ହାରରେ ଜିଏସ୍‌ଟି ଲାଗିବ ସେହି ନିଷ୍ପତ୍ତି ପରିଷଦ କେବେ ନେବେ ତାହାକୁ କେନ୍ଦ୍ର ସରକାର ଅପେକ୍ଷା କରିଛନ୍ତି ବୋଲି ଶ୍ରୀମତୀ ସୀତାରମଣ କହିଥିଲେ।

ବିପର୍ଯ୍ୟୟ ପରିଚାଳନା ଲାଗି ଓଡ଼ିଶା ସରକାର ଅଧିକ ପାଣ୍ଠି ମାଗିଥିବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଥିଲେ ଯେ ଏହା ଅର୍ଥ ବିଭାଗର ଦାୟିତ୍ବ ନୁହେଁ। ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଥାନ୍ତି। ତେବେ ସ୍ୱଚ୍ଛ ଶକ୍ତି ସେସ୍ ସମ୍ପର୍କରେ ଯାହା କୁହାଯାଉଛି, ତାହା ସରକାର ଅତ୍ୟନ୍ତ ସ୍ପଷ୍ଟ ଭାବେ କହିସାରିଛନ୍ତି। ଉଁ ଉଦ୍ଦେଶ୍ୟ ରଖି ତାହା ସଂଗ୍ରହ କରାଯାଉଛି ସେଥିପାଇଁ ହିଁ ଖର୍ଚ୍ଚ ହୋଇଥାଏ ଓ ହେଉଛି ମଧ୍ୟ। ଯଦି ସେଥିରୁ କିଛି ଅର୍ଥ ପାଇବା ଲାଗି ରାଜ୍ୟ ସରକାର ଦାବି କରିଛନ୍ତି, ତେବେ ଏ ସଂପର୍କରେ ଅର୍ଥ ମନ୍ତ୍ରାଳୟ ନୁହେଁ, ବରଂ ସେହି ଦାୟିତ୍ୱରେ ଥିବା ବିଭାଗ ହିଁ ବିଚାର କରିବେ। ଏହାବ୍ୟତୀତ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ନିର୍ମଳା କହିଥିଲେ, କୋଭିଡ୍ ମହାମାରୀ ସମୟରେ ଋଣ ଆଣି ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦିଆଯାଇଥିଲା। ସେହି ଋଣ ଓ ତାହାର ସୁଧ ଶୁଝିବା ନିମନ୍ତେ ପାଣ୍ଠି ଯୋଗାଡ଼ କରିବାର ସମୟ ସୀମାକୁ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହି ଅବସରରରେ ଦିପମ୍‌ ବିଭାଗର ସଚିବ ତଥା ଓଡ଼ିଶା କ୍ୟାଡ଼ର ଆଇଏଏସ୍ ତୁହିନ୍‌କାନ୍ତ ପାଣ୍ଡେ କେନ୍ଦ୍ର ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ସଂପର୍କରେ ଅବଗତ କରାଇଥିଲେ। ସେ କହିଥିଲେ ଯେ ବଜାର ସ୍ଥିତିକୁ ନଜରରେ ରଖି ସରକାର ପୁଞ୍ଜିପ୍ରତ୍ୟାହାର ଯୋଜନା ଆଗକୁ ବଢ଼ାଉଛନ୍ତି। କିନ୍ତୁ ଏକଥା ଅତ୍ୟନ୍ତ ସ୍ପଷ୍ଟ ଯେ ନାଲ୍‌କୋରୁ କୌଣସି ପୁଞ୍ଜିପ୍ରତ୍ୟାହାର ହେବନାହିଁ। ଏହି ଅବସରରେ ଦୁଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ଼, ପଙ୍କଜ ଚୌଧୁରୀ, ଅର୍ଥ ସଚିବ ଟିଭି ସୋମନାଥନ୍ ଓ ଅର୍ଥ ସେବା ସଚିବ ବିବେକ ଯୋଶୀ ଉପସ୍ଥିତ ଥିଲେ।

ସମ୍ବଲପୁରୀ ଶାଢ଼ି ମୋତେ ବହୁତ ଭଲ ଭାଗେ: ନିର୍ମଳା
ଭୁବନେଶ୍ୱର : ସମ୍ବଲପୁରୀ ଶାଢ଼ି ପିନ୍ଧିବାକୁ ମୋତେ ବହୁତ ଭଲ ଲାଗେ । ମୋ ୱାଡ୍‌ରୋବ୍‌ରେ ଥିବା ଅଧିକାଂଶ ଶାଢ଼ି ହେଉଛି ସମ୍ବଲପୁରୀ । ମୁଁ ଏବେବି ନୂଆ ନୂଆ ଶାଢ଼ି କିଣୁଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଥିଲେ। ନିର୍ମଳା କହିଥିଲେ- ମୁଁ ଓଡ଼ିଶାର ବମକାଇ, କଟକି ଶାଢ଼ି ମଧ୍ୟ କିଣେ।ଏହି ଅବସରରେ ସେ ସୂଚନା ଦେଇଥିଲେ ଯେ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ନିୟୋଜିତ ଥିବା ଲୋକମାନଙ୍କ ବିକାଶ ଲାଗି କେନ୍ଦ୍ର ସରକାର ପିଏମ୍ ବିଶ୍ୱକର୍ମା ବିକାଶ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଦ୍ୱାରା ଓଡ଼ିଶାର ପଟ୍ଟଚିତ୍ର, ପଥର କାରିଗର ଓ ବୁଣାକାରମାନେ ଉପକୃତ ହେବେ।