ଏକାଧିକ ପ୍ରସ୍ତାବ ଦେଲାଣି ସ୍ବତନ୍ତ୍ର ଟାସ୍କଫୋର୍ସ,ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ବର : ରାଜ୍ୟରେ କରୋନାର ଦ୍ବିତୀୟ ଲହର ସଂପୂର୍ଣ୍ଣ ଥମି ନ ଥିବା ବେଳେ ରାଜ୍ୟ ସରକାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତୃତୀୟ ଲହରରେ ଅଧିକ ସଂଖ୍ୟାରେ ଶିଶୁ ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଏହାକୁ ନଜରରେ ରଖି ରାଜ୍ୟ ସରକାର କୋଭିଡ୍‌ ଚିକିତ୍ସା ବ୍ୟବସ୍ଥାରେ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ଉପରେ ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଭାବେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। କିଛି ଦିନ ଭିତ‌ରେ ଏହି ଟାସ୍କଫୋର୍ସ ଏକାଧିକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇଥିବା ଜଣାପଡ଼ିଛି। ସମ୍ଭାବ୍ୟ ତୃତୀୟ ଲହର ନିର୍ଦ୍ଦିଷ୍ଟ ଭାବେ କେବେ ଆସିବ ତାହା ସ୍ପଷ୍ଟ ହୋଇନାହିଁ। ମହାରାଷ୍ଟ୍ରରେ ଆସନ୍ତା ୩-୪ ସପ୍ତାହରେ ତୃତୀୟ ଲହର ଆସିବ ବୋଲି ପୂର୍ବାନୁମାନ କରାଯାଉଛି। ଯାହାକୁ ନେଇ ଅନ୍ୟ ରାଜ୍ୟ ସରକାରମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ରାଜ୍ୟରେ କୋଭିଡ ଚିକିତ୍ସା ବ୍ୟବସ୍ଥାରେ ଥିବା ୧୬୧୦ ସାଧାରଣ ଶଯ୍ୟା ଓ ୬୧୦ ଆଇସିୟୁକୁ ଶିଶୁମାନଙ୍କ ପାଇଁ ସଂରକ୍ଷିତ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏପରିକି ଅଧିକ ସଂକ୍ରମଣ ଆଶଙ୍କା ଥିବା ଅଞ୍ଚଳରେ ଶିଶୁମାନଙ୍କ ପାଇଁ କୋଭିଡ୍‌ କେୟାର ବ୍ୟବସ୍ଥା ନେଇ ମଧ୍ୟ ବିଚାର କରାଯାଉଛି। ଗତକାଲି ରାଜ୍ୟ ସରକାର ତୃତୀୟ ଲହରରେ ଶିଶୁମାନଙ୍କ ଚିକିତ୍ସା ନେଇ ଏକ ଏସ୍‌ଓପି ମଧ୍ୟ ଜାରି କରିଛନ୍ତି। ସବୁ ଜିଲ୍ଲାମାନଙ୍କୁ ଏ ସଂପର୍କରେ ସୂଚନା ଦିଆଯାଇଛି।

କରୋନା ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ସନ୍ଦିଗ୍ଧଙ୍କ ପାଇଁ ଅତି କମ୍‌ରେ ୧୦ଟି ଶଯ୍ୟା ସଂରକ୍ଷିତ ରଖିବା ଲାଗି କୁହାଯାଇଛି। ରୋଗୀଙ୍କ ସ୍ଥିତି ଅନୁସା‌ରେ ଜଣେ ଆଟେଣ୍ଡାଣ୍ଟଙ୍କୁ ପାଖରେ ରହିବା ଲାଗି ଅନୁମତି ଦିଆଯାଇଛି। ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରା ବା ସିଏଚ୍‌ସିସ୍ତରରେ ଅତି କମ୍‌ରେ ୨-୪ଟି ଶଯ୍ୟା ସନ୍ଦିଗ୍ଧଙ୍କ ପାଇଁ ସଂରକ୍ଷିତ ରହିବ। ୱାର୍ଡଗୁଡ଼ିକୁ ଆବଶ୍ୟକ ସାଇନଏଜ୍ ଜରିଆରେ ଚିହ୍ନିତ କରିବାକୁ କୁହାଯାଇଛି। ରାଜ୍ୟର ୭ଟି ମେଡିକାଲ କଲେଜରେ ୬୪ ଏନ୍‌ଆଇସିୟୁ, ପିଆଇସିୟୁ/ଏସଏନ୍‌ସିୟୁ ୯୪, ୪୪ ଏଚ୍‌ଡିୟୁ ଓ ୧୫୫ ଆଇସୋଲେସନ୍‌ ଶଯ୍ୟା ପ୍ରସ୍ତୁତ କରାଯାଇଛି। ଆଇସିୟୁ ସୁବିଧା ଥିବା କୋଭିଡ୍‌ କେୟାର ସେଣ୍ଟରଗୁଡ଼ିକରେ ଏନ୍‌ଆଇସିୟୁ ଓ ପିଆଇସିୟୁକୁ ମିଶାଇ ୧୫ ପ୍ରତିଶତ ଶଯ୍ୟା ସଂରକ୍ଷିତ ରହିବ। ସମସ୍ତ ସିଡିଏମ୍‌ଓ ଓ ଜିଲ୍ଲାପାଳ ଏହାକୁ ସୁନିଶ୍ଚିତ କରିବା ଲାଗି କୁହାଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ଟାସ୍କଫୋର୍ସ ପକ୍ଷରୁ କିଛି ଦିନ ଭିତରେ ଏକାଧିକ ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ଶିଶୁରୋଗ ବିଶେଷଜ୍ଞଙ୍କ ଅଭାବକୁ ନଜରରେ ରଖି ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ଶିଶୁଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ତାଲିମ ପ୍ରଦାନ ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହ ଷ୍ଟାଫନର୍ସ ଓ ପାରାମେଡିକଙ୍କୁ ମଧ୍ୟ ତାଲିମ ଯୋଜନା କରାଯାଉଛି। ହସ୍ପିଟାଲକୁ ଆସୁଥିବା ଶିଶୁ କରୋନାରେ ସଂକ୍ରମିତ କି ନୁହେଁ, ସେଥିପାଇଁ ଟ୍ରାଏଜିଂ ବ୍ୟବସ୍ଥା ଗ୍ରହଣ କରାଯିବ। ହସ୍ପିଟାଲଗୁଡ଼ିକରେ ରହିଥିବା ଆଇସିୟୁ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରିବାକୁ ହେବ। ବୟସ୍କମାନଙ୍କୁ ଦିଆଯାଉଥିବା ମାସ୍କ ଶିଶୁଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରିବ ନାହିଁ। ତେବେ ଟିକାକରଣ ଦ୍ବାରା ସଂକ୍ରମଣକୁ ପ୍ରତିହତ କରାଯାଇପାରିବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

କିଏ କ’ଣ କହନ୍ତି
ତୃତୀୟ ଲହର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସ୍‌ଓପି ଜାରି କରି ଜିଲାପାଳ ଓ ସିଡିଏମ୍‌ଓଙ୍କ ପାଖକୁ ପଠାଇଛି ଏବଂ କିଭଳି ପ୍ରସ୍ତୁତ ରହିବାକୁ ହେବ ସେ ବିଷୟରେ ଜଣେଇ ଦିଆଯାଇଛି। ଏଥିରେ ଆସନ୍ତା ଲହରରେ ଶିଶୁଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ଶିଶୁଙ୍କ ପାଇଁ ୨୩୯୦ ବେଡ୍‌ ପ୍ରସ୍ତୁତ ରଖାଯାଇଛି ଏବଂ ୬୧୦ଟି ଆଇସିୟୁ ମଧ୍ୟ ରଖାଯାଇଛି। ଅକ୍ସିଜେନ ଓ ମେଡିସିନ ମହଜୁଦ ଅଛି। ଶିଶୁଙ୍କୁ ଚିକିତ୍ସା ପାଇଁ ଟ୍ରେନିଂ କାମ ସରିଛି। ଜୁନ୍‌ ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରହିଛି। ଆସନ୍ତା ସପ୍ତାହରେ ଆହୁରି ଟିକା ରାଜ୍ୟକୁ ଆସିବ।
ନବ ଦାସ, ସ୍ୱାସ୍ଥ୍ୟମନ୍ତ୍ରୀ, ଓଡ଼ିଶା

ତୃତୀୟ ଲହର ତ ନିଶ୍ଚିତ ହେବ। ଦ୍ବିତୀୟଠାରୁ ଅଧିକ ଉଗ୍ର ହୋଇପାରେ। ଡେ଼ଲ୍ଟା+ ଭାରିଆଣ୍ଟ ଅଧିକ ଉଗ୍ର ହୋଇପାରେ। ମ୍ୟୁଟେସନ୍‌ ଚାଲିଛି। ଆମେ ଟିକା ନେବା ସହ ବ୍ୟବହାରରେ ପରିବର୍ତ୍ତନ ଆଣିଲେ ସଂକ୍ରମଣକୁ ଅଟକାଇ ହେବ। ଅନ୍ୟ କୌଣସି ରୋଗ ନ ଥାଇ ବି ଅନେକ ଯୁବକ କୋଭିଡ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଥିବା ଆମେ ଦେଖୁଛୁ। ସାଇଟୋକାଇନ୍ ଷ୍ଟର୍ମ ଯୋଗୁଁ ସେମାନେ ଖୁବ୍‌ ଶୀଘ୍ର ମୃତ୍ୟୁମୁଖରେ ପଡୁଛନ୍ତି।
ଡା. ବାନାମ୍ବର ରାୟ, କ୍ରିଟିକାଲ୍‌ କେୟାର୍‌ ବିଶେଷଜ୍ଞ

ମହାରାଷ୍ଟ୍ରରେ ୨-୩ ସପ୍ତାହ ପରେ ତୃତୀୟ ଲହର ଆସିବ ବୋଲି ସେଠାରେ ପୂର୍ବାନୁମାନ କରାଯାଇଛି। ଆମେ ବି ପ୍ରସ୍ତୁତ। ମାତ୍ର ସବୁ ପୂର୍ବାନୁମାନ ଯେ ସତ ହୋଇଛି ତା’ ନୁହେଁ। ବିଶେଷଜ୍ଞମାନେ ଭିନ୍ନ ମତ ବି ଦେଉଛନ୍ତି। ଜୁନ୍‌ ୭ ପର୍ଯ୍ୟନ୍ତ ପୃଥିବୀରେ ମାତ୍ର ୬୩ ଡେ଼ଲ୍ଟା+ ଭାରିଆଣ୍ଟ ଚିହ୍ନଟ ହୋଇଥିଲା, ତା’ ଭିତରେ ଭାରତର ୬ଟି ରହିଛି। ଆମେ ପ୍ରସ୍ତୁତ ଅଛୁ, ଡରିବାର ନାହିଁ। ତେବେ ପୂର୍ବାନୁମାନ ସବୁବେଳେ ପୂର୍ବାନୁମାନ।
ପ୍ରଫେସର ଡା. ସିବିକେ ମହାନ୍ତି, ଡିଏମ୍‌ଇଟି

ମହାରାଷ୍ଟ୍ରରେ ତୃତୀୟ ଲହର ଆସିଲେ ବି ବଡ଼ ହେବ ବୋଲି ମୋତେ ଲାଗୁନି। ୧୦୦ ବର୍ଷ ତଳେ ଯେଉଁ ମହାମାରୀ ଆସିଥିଲା ଦ୍ଵିତୀୟ ତୁଳନାରେ ତୃତୀୟ ଓ ଚତୁର୍ଥ ଲହର ସଂକ୍ରମଣ କମ୍‌ ଥିଲା। ପିଲାଙ୍କୁ ଅଧିକ ସଂକ୍ରମିତ କରିବ ବୋଲି ଭାବୁନି। କୌଣସି ଟିକା ୧୦୦% କାମ ଦିଏନି। ତେବେ ଦୁଇଟି ଟିକା ନେଇଥିବା ଲୋକଙ୍କୁ ସଂକ୍ରମଣ ୮୮% କମ୍‌ ହେଉଥିବା ଅନୁଧ୍ୟାନରୁ ଦେଖାଯାଇଛି। ଟିକା ନେଲା ପରେ ବି ଆମକୁ କରୋନା ନିୟମ ଓ କଟକଣା ମାନିବାକୁ ପଡିବ। ଟିକା ନେବା ପରେ ଆଣ୍ଟିବଡି ୪ରୁ ୧୧ ମାସ ରହୁଛି। ଟିକା ନେବା ପରେ ପ୍ରତିକ୍ରିୟା ଯୋଗୁଁ କେବଳ ଗୋଟିଏ ମୃତ୍ୟୁ ହୋଇଛି ବୋଲି ସରକାର କହିଛନ୍ତି।
ଡା. ନିରୋଜ ମିଶ୍ର, ଭେଷଜ ବିଶେଷଜ୍ଞ

ସମ୍ବନ୍ଧିତ ଖବର