ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ

ଭୁବନେଶ୍ବର : ଏବେ ବି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରି ନାହାନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ବିଭିନ୍ନ କ୍ଷେତ୍ରରେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଦିବ୍ୟାଙ୍ଗଙ୍କ ଲାଗି ଏକାଧିକ ଯୋଜନା ହୋଇଥିଲେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ବାସସ୍ଥାନ ଓ ନ୍ୟାୟିକ କ୍ଷେତ୍ରରେ ନ୍ୟାୟ ପାଇବାରୁ ସେମାନେ ବଞ୍ଚିତ ହେଉଛନ୍ତି। ଏନେଇ ବିଭିନ୍ନ ସଙ୍ଗଠନ, ବ୍ୟକ୍ତିବିଶେଷ ସ୍ବର ଉଠାଇବା ପରେ ଏବେ ଶିକ୍ଷା କ୍ଷେତ୍ରରେ କିଛିଟା ସଂସ୍କାର ଆଣିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସ୍ଥିର ହୋଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଗାଇଡ୍‌ଲାଇନ୍‌କୁ କିଭଳି ପାଳନ କରାଯିବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ କୁହାଯାଇଛି।

ଗତ ଜୁନ୍‌ ମାସରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ନେବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଗଣଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖାଯାଇଥିଲା। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ଦିଗରେ ୩୦ ଦିନ ମଧ୍ୟରେ ପଦକ୍ଷେପ ନେବାକୁ କୁହାଯାଇଥିଲା। ଏଥିସହ ଗତ ଜୁଲାଇ ମାସରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍‌ସିଇଆର୍‌ଟି ନିର୍ଦେଶକ ଓ ଓପେପା ପ୍ରକଳ୍ପ ସଂଯୋଜକଙ୍କୁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ନିର୍ଦେଶ ଦିଆଯାଇଥିଲା। ବାରମ୍ବାର ଚିଠି ପରେ ଏବେ ଗଣଶିକ୍ଷା ବିଭାଗର ନିଦ ଭାଙ୍ଗିଛି। ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର