ମାଲକାନଗିରି: ଆମ ଜନତା ଅଧିକାର ଫୋରମ ତରଫରୁ ଆଜି ପୋଲାଭରମ କ୍ଷଥିଗ୍ରସ୍ତ ଅଂଚଳ ଗସ୍ତ କରି ଏକ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ଗସ୍ତରେ ପୂର୍ବତନ ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଜନତା ଅଧିକାରର ଆବାହକ ମନୋଜ ଦାସ, ସହ ଆବାହକ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ପୂର୍ବତନ ବିଧାୟକ ନିମାଇଁ ସରକାର, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ଜିଲ୍ଲା ଆବାହକ ରୂପକ ତୁରୁକ, ସମାଜସେବୀ ଶ୍ରୀନିବାସ ରାଓ ପ୍ରମୁଖ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିବା ସହ ମୋଟୁ ଅଂଚଳର ବିଭିନ୍ନ ଗାଁ ସହ ସିଲେରୁ ଓ ସାବେରୀ ନଦୀ ତଟବର୍ତ୍ତୀ ଗାଁଗୁଡିକ ବୁଲିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ। ଏଥିସହ ବିନାୟକପୁର, ଆଲମା, ପେଟା, ବାରିବାଞ୍ଛା, ମୋଟୁ, କୁସୁଗୁଡା ପରିଦର୍ଶନ କରିଥିଲେ।
ମୋଟୁ ଅଂଚଳ ପରିଦର୍ଶନ ପରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ତ୍ରିପାଠୀ କହିଥିଲେ ଯେ ଆନ୍ଧ୍ର ସରକାରଙ୍କ ଦ୍ବାରା ପ୍ରସ୍ତାବିତ ପୋଲାଭରମ ବହୁମୁଖୀ ପ୍ରକଳ୍ପକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ମଞ୍ଜୁରି ଦେଇ ଓ ଏହାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରି ଏକ ଜାତୀୟ ବିପତ୍ତିକୁ ନିମନ୍ତ୍ରଣ କରିଛନ୍ତି। ଏହି ପ୍ରକଳ୍ପ ଯୋଗୁଁ ଆମ ରାଜ୍ୟର ମୋଟୁ ତହସିଲ ଅଂଚଳର ଅନେକ ଗ୍ରାମ ଓ ଜଂଗଲ ପ୍ରଭାବିତ ହେବା ସହ ହଜାର ହଜାର ଆଦିବାସୀ କ୍ଷତିଗ୍ରସ୍ତ ହେବେ।ଓଡିଶାର ଜଳ, ଜମି, ଜଂଗଲ ଓ ଖଣିଜ ସଂପଦ ବିକାଶ ନାମରେ ରାଜ୍ୟ ବାହାର ହାତକୁ ଚାଲିଯାଇଛି। ବହୁ ଗ୍ରାମ ଏବେ ବି ସୀମାନ୍ତରେ ରହିଥିବା ବେଳେ ଏହାକୁ ପଡୋଶୀ ରାଜ୍ୟମାନେ ନିଜ କବଜାକୁ ନେଇଯାଇଛନ୍ତି।
ରାଜ୍ୟର ଭୌଗଳିକ ମାନଚିତ୍ର ସଂପୂର୍ଣ୍ଣ ବଦଳିଯାଇଛି। ପୋଲାଭରମକୁ ବିରୋଧ କରି ଦେଶର ବହୁ ଇଂଜିନିୟର ଓ ପରିବେଶବିତମାନେ ଏହାର ଡିଜାଇନ ଠିକ ନଥିବା ଦର୍ଶାଇଥିଲେ।ଏଥିସହ ଭବିଷ୍ୟତରେ ଏହା ବନ୍ୟା, ବାତ୍ୟା ହେବା ସହ ବନ୍ଧ ଭୁଷୁଡିଲେ ବହୁ କ୍ଷତି ହେବା ନେଇ ମଧ୍ୟ ସତର୍କ କରାଇଛନ୍ତି। ଏହି ପ୍ରକଳ୍ପଦ୍ବାରା ବିଶ୍ବର ସବୁଠାରୁ ବଡ ଦୁର୍ଘଟଣା ଘଟିବା ସହ ୫୦ ଲକ୍ଷ ଲୋକ ପ୍ରଭାବିତ ହେବା ସହ ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଂକା ନଷ୍ଟ ହେବା ନେଇ ସତର୍କ କରାଯାଇଛି। ଏହି ପ୍ରକଳ୍ପ ଦ୍ବାରା ଆନ୍ଧ୍ର ସହ ଓଡ଼ିଶା ଓ ଛତିଶଗଡର ୬୩,୬୯୧ ହେକ୍ଟର ଜମି ଜଳମଗ୍ନ ହେବ। ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକ କ୍ଷତିଗ୍ରସ୍ତ ହେବେ। ମୋଟୁ ଅଂଚଳର ୬୯୫୦ ହେକ୍ଟର ଜମି ଜଳମଗ୍ନ ସହ ୪୮୨୭ ଜଣ ଆଦିବାସୀ ବିସ୍ଥାପିତ ହେବେ।
ପୋଲାଭରମକୁ ନେଇ ସୁପ୍ରିମକୋର୍ଟ ରାଜ୍ୟମାନଙ୍କ ସହ ଆଲୋଚନା କରି କେନ୍ଦ୍ର ନିଷ୍ପତ୍ତି ନେବାକୁ ନିର୍ଦେଶ ଥିଲେ ମଧ୍ୟ କେନ୍ଦ୍ର ଏହି ପ୍ରକଳ୍ପକୁ ଆର୍ଥିକ ସହଯୋଗ କରି ବିନାଶ ଆଡକୁ ନେଉଛି। ଜଂଗଲ ଓ ପରିବେଶ ପାଇଁ କେନ୍ଦ୍ର ସରକାର ୨୦୧୦ରେ ମୋଟୁ ଅଂଚଳରେ କେହି ବିସ୍ଥାପିତ ହେବେ ନାହିଁ କି କାହାର ଗୃହ ଓ ଜମି ଅଧିଗ୍ରହଣ କରାଯିବ ନାହିଁ ବୋଲି ସର୍ଭେ କରାଯାଇଛି। ବନ୍ଧର ଉଚ୍ଚତା ବୃଦ୍ଧି ଯୋଗୁଁ ଏହା ଅବାସ୍ତବରେ ପରିଣତ ହୋଇଥିବା କୁହାଯାଇଛି। କେନ୍ଦ୍ର ସରକାର ପୂର୍ବରୁ ଟଂକା ଦେଇଆସୁଥିବା ବେଳେ ଏବେ ପୁଣି ୧୫ ହଜାର କୋଟି ଟଂକା ମଂଜୁର କରିଛନ୍ତି।ଫୋରମ ତରଫରୁ ୫ଟି ଦାବି ଉପସ୍ଥାପନ କରାଯାଇଛି।ଏହାକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଲା ମାଢି, କାଶୀନାଥ ସର୍ଦାର, ନରସିଂହ ନାୟକ,କର୍ଣ୍ଣ ଧୁରିଆ, ନକୁଳ ରାଉତ, ସୁଶାନ୍ତ ନୀଳକମଳ, ରାଧା ମାଧବ ଖରା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Mkg-polavaram-press-meet-3.jpg)