ପଖାଳ ଖାଉ ଖାଉ ତଣ୍ଟିରେ ଫସିଲା ଆମ୍ବ ଟାକୁଆ, ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ବଞ୍ଚିଗଲା ଜୀବନ

କଟକ: ଗୁଳୁଗୁଳି ସାଙ୍ଗକୁ ଭୋକିଲା ପେଟ | ଆଉ ଏଥିପାଇଁ ହାଉଁ ହାଉଁ ହେଇ ପଖାଳ ସହ ଆମ୍ବ ଖାଉଥିଲେ ଶଙ୍କର୍ଷଣ | ତେବେ ଜଲଦି ଜଲଦିରେ ତଣ୍ଟିରେ ଅଟକି ଗଲା ଆମ୍ବ ଟାକୁଆ | ଟାକୁଆ ଫସିଯିବା ପରେ ନା ଆଉ ଖାଇ ହେଲା ନା ପାଣି ଟୋପେ ପିଇହେଲା | ଶେଷରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଏହା ପରେ ଏକ୍ସରେ କରାଯିବାରୁ ତଣ୍ଟିରେ ଟାକୁଆ ଫସି ରହିଥିବା ଜଣାପଡିଥିଲା | ଏହା ପରେ ତାଙ୍କୁ କଟକର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ଡାକ୍ତରଙ୍କ ଉଦ୍ୟମ ପରେ ଏବେ ତାଙ୍କ ଜୀବନ ବଂଚିଯାଇଛି |

ମିଳିଥିବା ସୂଚନା ମୁତାବକ ଢେଙ୍କାନାଳର ଶଙ୍କର୍ଷଣ ସାହୁ(୫୦) ଗତକାଲି ପଖାଳ ଖାଉ ଖାଉ ଭୁଲବଶତଃ ଆମ୍ବ ଟାକୁଆ ଖାଇଦେଇଥିଲେ | ଆଉ ଏହି ଟାକୁଆ ତାଙ୍କ ଖାଦ୍ୟନଳୀରେ ଫସିଯାଇଥିଲା | ଏହା ପରେ ସେ ଆଉ କିଛି ଖାଇପାରିନଥିଲେ | ଏହାପରେ ତାଙ୍କର ଏକ୍ସରେ କରାଯାଇଥିଲା |

କ’ଣ କୁହନ୍ତି ଡାକ୍ତର?
ଡାକ୍ତର ଦୀପ୍ତିମାନ ବଳିୟାର ସିଂଙ୍କ କହିବା ମୁତାବକ ୪ରୁ ୫ ସେଣ୍ଟିମିଟର ଟାକୁଆ ଖାଦ୍ୟନଳୀରେ ଅଟକି ଯାଇଥିଲା | ଯେତେବେଳେ ଏନ୍ଡୋସ୍କୋପିରେ ଏହା ସମ୍ଭବ ହୋଇପାରିନଥିଲା, ହାଇଫୋଫରିଙ୍ଗ ସ୍କୋପ ଓ ଫରେନ୍ ବଡି ରୀମୁଭାଲ ଫୋରସେପ ପ୍ରକ୍ରିୟାରେ ଟାକୁଆକୁ କଢ଼ାଯାଇଥିଲା |

ଏକ୍ସରେ ରିପୋର୍ଟରେ ଜଣାପଡ଼ିଲା ଟାକୁଆଟି ବେକ ତଳ ଯାଏଁ ଚାଲିଯାଇଛି | ଏହାପରେ କଟକର ଶାନ୍ତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଯେହେତୁ ରୋଗୀ ଜଣକ କଷ୍ଟ ଅନୁଭବ କରୁଥିଲେ ଓ କିଛି ଖାଇପାରୁନଥିଲେ ତେଣୁ ଏହାକୁ ତଣ୍ଟିରୁ କାଢ଼ିବା ପାଇଁ ଡାକ୍ତରଙ୍କ ଟିମ ଯୋଜନା କରିଥିଲେ | ଇଏନଟି ସ୍ପେସାଲିଷ୍ଟ ଡାକ୍ତର ଦୀପ୍ତିମାନ ବଳିୟାର ସିଂଙ୍କ ନେତୃତ୍ୱରେ ଫରେନ୍ ବଡି ରୀମୁଭାଲ ଫୋରସେପରେ ଏହି ଟାକୁଆକୁ କଢାଯାଇଥିଲା | ତେବେ ବର୍ତ୍ତମାନ ରୋଗୀଙ୍କ ଅବସ୍ଥା ସୁସ୍ଥ ଥିବାବେଳେ ସେ ଖାଦ୍ୟ ଖାଇପାରୁଛନ୍ତି ବୋଲି ଡାକ୍ତର କହିଛନ୍ତି |

ସମ୍ବନ୍ଧିତ ଖବର