କେରଳ ଫେରିବାକୁ ଭୟ ଲାଗୁଛି: ସ୍ୱତନ୍ତ୍ର ଟ୍ରେନ୍‌ରେ ଫେରିଲେ ଦୁର୍ଗତ

ବ୍ରହ୍ମପୁର: ୧୪ ତାରିଖ। ସନ୍ଧ୍ୟା ୫ଟା କି ୬ଟା ହେବ। ବର୍ଷା ହେଉଥିଲା। ଆମେ ମିସ୍ତ୍ରି କାମ ସାରି ଘରକୁ ଫେରିଲୁ। ଅଧଘଣ୍ଟା ଯାଇଛି କି ନାହିଁ ଘର ଭିତରେ ପାଣି ପଶିଗଲା। ଅଣ୍ଟେ ହେବ ପାଣି। ରାତିସାରା କିଛି ଖାଇନୁ। ସକାଳୁ ଉଦ୍ଧାରକାରୀ ଦଳ ଆସି ଖାଇବାକୁ ଦେଲେ ଓ ଆମକୁ ସୁରକ୍ଷିତ ସ୍ଥାନକୁ ନେଲେ…ଆଜି ଷ୍ଟେସନ୍‌ରେ ଆସି ଚେନ୍ନାଇ ଯାଏଁ ଟିକଟ କାଟିଲୁ। ପରେ ଜାଣିଲୁ, ଟ୍ରେନ୍‌ରେ ମାଗଣାରେ ନିଆଯାଉଛି। ଏର୍ନାକୁଲମ୍‌ ଷ୍ଟେସନ୍‌ରେ ଯାହା କିଛି ଖାଇବାକୁ ମିଳିଥିଲା। ଆଉ ଟ୍ରେନ୍‌ରେ କିଛି ଖାଇନୁ। ପିଲାକୁ ଜ୍ୱର। ତାକୁ ଔଷଧ କ’ଣ ଦେବି, ଏଯାଏଁ ରୁଟି ଖଣ୍ଡଟେ ମଧ୍ୟ ପାଟିରେ ଦେଇନାହିଁ, ଏ ଥିଲା ଜି ଉଦୟଗିରିର ରୀନା ବେହେରା(୨୮)ଙ୍କ କଥା। ଆଜି ସାଢ଼େ ଗୋଟାଏ ବେଳେ ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିଛନ୍ତି ରୀନାଙ୍କ ଭଳି ପାଖାପାଖି ୨ଶହ ଦୁର୍ଗତ। ସମସ୍ତଙ୍କ ଆଖିରେ ଅଜଣା ଭୟ, ଛାତିରେ ଦୁଃଖ ହୋଇଥିବା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାରୁ କେରଳକୁ ପ୍ରାୟ ତିନିଟି ପ୍ରମୁଖ କାମ- ମାଛ ଧରିବା, ମିସ୍ତ୍ରି ଓ ହୋଟେଲ୍‌ରେ ମଜୁରିଆ ଭାବେ ଖଟିବାକୁ ପ୍ରତିବର୍ଷ ଗାଁ ଗହଳିର ଶତାଧିକ ଗରିବ ଲୋକ ଯାଇଥା’ନ୍ତି। ଓଡ଼ିଶାର କେତେ ଲୋକ ସେଠାରେ ଫସିଛନ୍ତି, ତା’ର କୌଣସି ସଠିକ୍‌ ହିସାବ ନାହିଁ। ତେବେ ଆଜି ସ୍ୱତନ୍ତ୍ର ଟ୍ରେନ୍‌ରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୨ଶହ ଲୋକ ଫେରିଛନ୍ତି।

କେରଳର ବନ୍ୟା ପୂର୍ବରୁ ଗୋପାଳପୁର, ଆର୍ଯ୍ୟପଲ୍ଲୀ ଇଲାକାରୁ ୪ଶହ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ। ଚଳିତ ମାସ ୧ ତାରିଖରେ ସେଠାରେ ପହଞ୍ଚିଥିଲେ। ୧୪ ତାରିଖରେ ବନ୍ୟା ମାଡ଼ି ଆସିଲା। ବନ୍ୟା ଜଳ ଏତେ ଭୟଙ୍କର ଭାବେ ମାଡ଼ିଆସିଥିଲା ଯେ ଡଙ୍ଗା, ଜାଲ ସବୁ ଭସାଇ ନେଇଗଲା। ବର୍ତ୍ତମାନ ୪ଶହ ଜଣଙ୍କ ମଧ୍ୟରୁ ପ୍ରଥମ ଟ୍ରେନ୍‌ରେ କେତେ ଜଣ ଫେରିଛନ୍ତି ଜଣାନାହିଁ। କିନ୍ତୁ ବର୍ତ୍ତମାନ ୬୦ଜଣ ଫେରିଛନ୍ତି ବୋଲି ଗୋପାଳପୁରର ମତ୍ସ୍ୟଜୀବୀ ତାତା ରାଓ (୩୨) କହିଛନ୍ତି। ତାତାଙ୍କ ସାଥିରେ ଯାଇଥିବା ମୋହନ ରାଓ(୩୭) କହିଛନ୍ତି ଯେ ସେମାନେ କୂଳରେ ଥିଲେ। ୪୦ ଘଣ୍ଟା କିଭଳି ପାଣି ଘେରରେ ବଞ୍ଚି ରହିଲେ, ସେଠାରୁ ମୁକୁଳିବା ପରେ ଚିନ୍ତା କରି ଆଶ୍ଚର୍ଯ୍ୟ ହେଉଛନ୍ତି। ସମୁଦ୍ରରେ ବର୍ଷା ପବନରେ ଅନେକ ଥର ମାଛ ମାରିଛନ୍ତି, କିନ୍ତୁ ସେ ଏଭଳି ବନ୍ୟାର ବିଭୀଷିକା କେବେ ଦେଖିନଥିଲେ। ସେଠାରେ ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରିନଥିଲେ ପାଣି ଭିତରେ ଅଖିଆଅପିଆ ମୃତ୍ୟୁବରଣ କରିଥାନ୍ତେ ବୋଲି ଆର୍ଯ୍ୟପଲ୍ଲୀର କେ କାଳିଆ କହିଛନ୍ତି।

ସମ୍ବନ୍ଧିତ ଖବର