ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର : ଅକ୍ଟୋବର ୪ରେ ସିଭିଲ୍‌ ସର୍ଭିସ ପରୀକ୍ଷା(ପ୍ରିଲିମ) ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର। କୋଭିଡ୍‌-୧୯ ସଂକ୍ରମଣ ସମୟରେ ଗମନାଗମନ ବ୍ୟବସ୍ଥା ପ୍ରଭାବିତ ହୋଇଛି। ତାହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ଅକ୍ଟୋବର ୩ରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ପୂର୍ବତଟ ରେଳପଥ ମଧ୍ୟରେ ସିଭିଲ ସର୍ଭିସ ପରୀକ୍ଷା କେନ୍ଦ୍ର ହୋଇଥିବା ସହରଗୁଡ଼ିକୁ ୯ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ବ୍ରହ୍ମପୁର, କେନ୍ଦୁଝରଗଡ଼, ଖରିଆର ରୋଡ୍‌ ଓ ଇଚ୍ଛାପୁରମ୍‌ରୁ ଟ୍ରେନ୍‌ଗୁଡ଼ିକ ଅପରାହ୍‌ଣ ୪ଟାରେ ଛାଡ଼ିବାକୁ ଥିବା ବେଳେ କୋରାପୁଟରୁ ସକାଳ ୫ଟା ଓ ଅପରାହ୍‌ଣ ୧ଟାରେ ଗୋଟିଏ ଲେଖାଏଁ ଟ୍ରେନ୍‌ ଛାଡ଼ିବ। ସେହିଦିନ ସନ୍ଧ୍ୟା ସୁଦ୍ଧା ଟ୍ରେନ୍‌ଗୁଡ଼ିକ ପରୀକ୍ଷା କେନ୍ଦ୍ର ହୋଇଥିବା ସହରରେ ପହଞ୍ଚିବ। ରାଉରକେଲା, ବାରିପଦା ଓ ବିଜୟୱାଡ଼ାରୁ ଛାଡ଼ିବାକୁ ଥିବା ଟ୍ରେନ୍‌ଗୁଡ଼ିକ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏନେଇ ଖୁବ୍‌ଶୀଘ୍ର ସୂଚନା ଦିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ହେଲା ବ୍ରହ୍ମପୁର-କଟକ ମେମୁ ସ୍ବତନ୍ତ୍ର ଟ୍ରେନ୍‌, କେନ୍ଦୁଝରଗଡ଼-କଟକ ସ୍ବତନ୍ତ୍ର ଟ୍ରେନ୍‌, ଇଚ୍ଛାପୁରମ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌, ଖରିଆର ରୋଡ଼-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌, କୋରାପୁଟ-କଟକ ପାସେଞ୍ଜର ସ୍ବତନ୍ତ୍ର ଟ୍ରେନ୍‌, କୋରାପୁଟ-ବିଶାଖାପାଟଣା ପାସେଞ୍ଜର ସ୍ବତନ୍ତ୍ର ଟ୍ରେନ୍‌, ରାଉରକେଲା-କଟକ ଭାୟା ଝାରସୁଗୁଡ଼ା ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, ବାରିପଦା-କଟକ ସ୍ବତନ୍ତ୍ର ଟ୍ରେନ୍‌ ଓ ବିଜୟଓ୍ଵାଡା-ବିଶାଖାପାଟଣା ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌। ଅକ୍ଟୋବର ୪ରେ ପରୀକ୍ଷା ସରିବା ପରେ ଏହି ଟ୍ରେନ୍‌ଗୁଡ଼ିକ ପ୍ରତ୍ୟାବର୍ତନ କରିବ। କଟକ-ବ୍ରହ୍ମପୁର ମେମୁ ରାତି ୭ଟାରେ ଛାଡ଼ିବାକୁ ଥିବା ବେଳେ କଟକ-କେନ୍ଦୁଝରଗଡ଼ ରାତି ୮ଟା, ସମ୍ବଲପୁର-ଖରିଆର ରୋଡ ରାତି ୧୧ଟା, ବିଶାଖାପାଟଣା-ଇଚ୍ଛାପୁରମ୍‌ ରାତି ୭ଟା ୩୦, କଟକ-କୋରାପୁଟ ଭୟା ସମ୍ବଲପୁର ରାତି ୮ଟା ୧୫ ଓ ବିଶାଖାପାଟଣା-କୋରାପୁଟ ରାତି ୯ଟା ୪୦ରେ ଛାଡ଼ିବ। ବାକି ୩ଟି ଟ୍ରେନ୍‌ର ସମୟ ଧାର୍ଯ୍ୟ ହୋଇପାରିନାହିଁ।

ସମ୍ବନ୍ଧିତ ଖବର