ଭୁବନେଶ୍ୱର/ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ନୂଆବର୍ଷ ଅବସରରେ ମାତ୍ରାଧିକ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବୁଧବାର ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ୍ ଆଜି ସନ୍ଧ୍ୟାରେ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଚଳାଚଳ କରବ।
ପୂର୍ବତଟ ରେଳ ପକ୍ଷରୁ କୁହାଯାଇଛି ଯେ, ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ପୁରୀ ଠାରୁ ଆଜି ସନ୍ଧ୍ୟା ୬ ଘଟିକାରେ ଛାଡି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବ। ପୁରୀ-ବ୍ରହ୍ମପୁର ମଧ୍ୟରେ ଏହି ସ୍ୱତନ୍ତ୍ର ଟ୍ରେନ ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲଟମାନଙ୍କରେ ରହଣି କରିବ।
ନୂଆବର୍ଷ ଅବସରରେ ଆଜି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ଭିଡ଼ ହୋଇଥିଲା। ପୁରୀ ବାଟମଙ୍ଗଳା ଠାରୁ ଏହି ଭିଡ଼ ଆରମ୍ଭ ହୋଇଥିବା ବେଳେ ମେଡିକାଲ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଲୋକାରଣ୍ୟ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିରରେ ସାଧାରଣ ଦର୍ଶକଙ୍କୁ ଆଜି ରାତି ୧ଟା ପରେ ପ୍ରବେଶ ଦିଆଯାଇଥିଲା। ରାତି ପାହିଲା ବେଳକୁ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଛିଡ଼ା ହୋଇଥିଲେ। ଏହି ଭିଡ଼ ଅପରାହ୍ନରେ ମଧ୍ୟ କମ୍ ହୋଇ ନ ଥିଲା।
ସେପଟେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୁରୀ ସହର ଏବଂ ସହର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୂଆବର୍ଷ ଦିନ ସୁରକ୍ଷା ପାଇଁ ୬୫ ପ୍ଲାଟୁନ୍ ଫୋର୍ସ ପୁରୀ ସହରରେ ମୁତୟନ କରାଯାଇଛି। ଆଜି ରାତି ୯ଟା ଯାଏଁ ଶ୍ରୀକ୍ଷେତ୍ର ପୁରୀରେ ଭିଡ଼ ରହିବ ବୋଲି ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Train-784x441.jpg)