ଜୁଲାଇ ୩୧ ଯାଏ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌

ଯାତ୍ରୀ ନ ହେବାରୁ ୩ ଟ୍ରେନ୍ ସପ୍ତାହକୁ ୩ ଥର ଚାଲିବ

ଭୁବନେଶ୍ବର : ପୂର୍ବତଟ ରେଳପଥ ପକ୍ଷରୁ ଓଡ଼ିଶା ଭିତରେ ଚାଲୁଥିବା ଟ୍ରେନ୍‌ଗୁଡ଼ିକ ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବ। ତେବେ ପୂର୍ବ ନିଷ୍ପତ୍ତିରେ କେତେକ‌ ପରିବର୍ତନ କରାଯାଇଛି। ଯାତ୍ରୀ ହେଉ ନ ଥିବାରୁ ୩ଟି ଟ୍ରେନ୍‌ ସପ୍ତାହକୁ ୫ ଦିନ ବଦଳରେ ୩ ଦିନ ଚଲାଇବାକୁ ସ୍ଥିର ହୋଇଛି। ବାକି ଦୁଇଟି ଟ୍ରେନ୍‌ ପୂର୍ବଭଳି ଚାଲିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ଏଣିକି ୫ ଦିନ ବଦଳରେ ସୋମବାର, ବୁଧବାର ଓ ଶୁକ୍ରବାର ଚଳାଚଳ କରିବ। ଉକ୍ତ ତିନି ଦିନ ସକଳ ୬ଟାରେ ସମ୍ବଲପୁରରୁ ଓ ଅପରାହ୍ନ ୪ଟା ୫୫‌ରେ ଖୋର୍ଧାରୋଡରୁ ଛାଡ଼ିବ। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ପୂର୍ବଭଳି ୫ ଦିନ ଚାଲିବ। ତେବେ ଶନିବାର ଓ ରବିବାର ଚାଲିବ ନାହିଁ। ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ସପ୍ତାହକୁ ୫ ଦିନ ବଦଳରେ ୩ ଦିନ ଚାଲିବ। ଜୁଲାଇ ୩୦ ପର୍ଯ୍ୟନ୍ତ ସୋମବାର, ବୁଧବାର ଓ ଗୁରୁବାର ସନ୍ଧ୍ୟା ୬ଟାରେ ଭୁବନେଶ୍ବରରୁ ଛାଡ଼ିବ। ଜୁଲାଇ ୩୧ ପର୍ଯ୍ୟନ୍ତ ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଅପରାହ୍ନ ୫ଟା ୩୦ରେ ଭଦ୍ରକରୁ ଛାଡ଼ିବ। ଜୁଲାଇ ୧ରେ ଭଦ୍ରକରୁ ଏହି ଟ୍ରେନ୍‌ ଚାଲିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ସପ୍ତାହକୁ ୩ ଥର ଚାଲିବ। ଜୁଲାଇ ୩୦ ଯାଏ ପ୍ରତି ସୋମବାର, ବୁଧବାର ଓ ଗୁରୁବାର ‌ଅପରାହ୍ନ ୫ଟା ୩୦ରେ ଏହି ଟ୍ରେନ୍‌ ଭୁବନେଶ୍ବରରୁ ଛାଡ଼ିବାକୁ ଥିବା ବେଳେ ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ସକାଳ ୭ଟାରେ ବ୍ରହ୍ମପୁରରୁ ଛାଡ଼ିବ। ଜୁଲାଇ ୧ରେ ବ୍ରହ୍ମପୁରରୁ କୌଣସି ଟ୍ରେନ୍‌ ଛାଡ଼ିବ ନାହିଁ। ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍(ଭାୟା କଟକ-ଅନୁଗୁଳ, ସମ୍ବଲପୁର-ଟିଟିଲାଗଡ଼-ରାୟଗଡ଼ା) ସପ୍ତାହକୁ ୩ ଥର ଚାଲିବ। ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ଅପରାହ୍ନ ୬ଟା ୩୦ରେ ଭୁବନେଶ୍ବରରୁ ଛାଡ଼ିବ ଏବଂ ମଙ୍ଗଳବାର, ଗୁରୁବାର ଓ ରବିବାର ଅପରାହ୍ନ ୫ଟା ୩୦ରେ କୋରାପୁଟରୁ ଭୁବନେଶ୍ବର ଅଭିମୁଖେ ଛାଡ଼ିବ।

ସମ୍ବନ୍ଧିତ ଖବର