ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ପ୍ରଥମଥର ବାଦାମପାହାଡ଼ରୁ ପୁରୀ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମୟୂରଭଂଜ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହେଉଛି। ୨୦୨୩ ନଭେମ୍ବରରେ ମହାମହିମଙ୍କ ମୟୂରଭଂଜ ଗସ୍ତ ସମୟରେ ୩ଟି ନୂତନ ଟ୍ରେନ୍ ଉଦଘାଟନ କରିଥିଲେ। ତେବେ ଚଳିତ ଥର ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ବାମନଘାଟୀ ଉପଖଣ୍ଡରୁ ପୁରୀକୁ ଟ୍ରେନ ଚଳାଚଳ କରିବ। ବାଦାମପାହାଡ-ପୂରୀ ସତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଚକ୍ରଧରପୁର ରେଳ ଡିଭିଜନର ସିନିୟର୍ ଡିଭିଜନାଲ୍ ବାଣିଜ୍ୟିକ ପରିଚାଳକ ସୂଚନା ପ୍ରଦାନ କରିଛନ୍ତି।

ଉକ୍ତ ଟ୍ରେନଟି ଦିନେ ଛାଡି ଦିନେ ଯିବାର ବ୍ୟବସ୍ଥା ରହିଛି ବୋଲି ଚିଠିରେ ଉଲ୍ଲେଖ ଅଛି। ଟ୍ରେନଟି ଆସନ୍ତା ୨ ଜୁଲାଇରୁ ୧୯ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ବାଦାମପାହାଡ-ପୁରୀ ରେଳ ରୁଟର ଭାୟା ରାଇରଙ୍ଗପୁର, ଟାଟା ନଗର, ଘାଟସିଲା, ଭଦ୍ରକ ଷ୍ଟେସନ ଦେଇ ପୁରୀ ଷ୍ଟେସନରେ ପହଂଚିବ। ପ୍ରଥମେ ବାଦାମପାହାଡ ରେଳ ଷ୍ଟେସନରୁ ଛାଡିବା ପରେ ରାଇରଙ୍ଗପୁର ଷ୍ଟେସନ, ବହଳଦା ଓ ଟାଟା ନଗର ଷ୍ଟେସନରେ ଟ୍ରେନଟି ରହିବ ବୋଲି ଉଲ୍ଲେଖ ଥିବା ବେଳେ ସମୟ ସାରଣୀ ପରବର୍ତ୍ତୀ ଚିଠିରେ ଦିଆଯିବ ବୋଲି ସୂଚନା ମିଳିଛି।

ଉକ୍ତ ଟ୍ରେନ ଚାଲିବା ଖବର ପ୍ରଚାର ହେବା ପରେ ବାମନଘାଟୀ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ମୟୂରଭଞ ଜିଲ୍ଲାରେ ବିଜେପି ଦଳର ବିପୁଳ ବିଜୟ ଓ ରାଜ୍ୟରେ ବିଜେପି ସରକାର ଗଠନ କରିଥିବାରୁ ଉପଖଣ୍ଡ ବାସୀଙ୍କୁ ପ୍ରଥମ ଉପହାର ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି। ସେଥିପାଇଁ ବିଜେପି ସରକାରଙ୍କୁ ଅଂଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର