ଭୁବନେଶ୍ବର : ଗୋପବନ୍ଧୁ ପ୍ରଶାସନିକ ଏକାଡେମି ଓ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମିର ସହଯୋଗରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ବିପର୍ଯ୍ୟୟ ତାଲିମ ସଂପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ମଧ୍ୟରେ ଆଇଆର୍‌ଟିଏସ୍‌, ଆଇପିଟିଏଏଫ୍‌ଏସ୍‌ କ୍ୟାଡର ଅଧିକାରୀ ରହିଛନ୍ତି। ଏହାସହ କେନ୍ଦ୍ରୀୟ ସଚିବାଳୟ ସେବା ଓ ଛତିଶଗଡ଼ ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ଏକ ପ୍ରଶାସନିକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Advertisment

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସ୍ବତନ୍ତ୍ର ତାଲିମ ପାଠ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ ବିଗତ ୨୦ବର୍ଷ ଭିତରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା, କୃଷକ ସଶକ୍ତିକରଣ ଓ ଆଇଟି ଆପ୍ଲିକ୍ସେନ୍ କ୍ଷେତ୍ରରେ ନୂତନ ମାନଦଣ୍ଡ ପ୍ରତିଷ୍ଠା କରିପାରିଛି। ରାଜ୍ୟରେ ଏବେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ମହିଳା ସଶକ୍ତିକରଣ ଓ କ୍ରୀଡ଼ା କ୍ଷେତ୍ରରେ ପୁଞ୍ଜି ନିବେଶ ଜାରି ରହିଛି। ରାଜ୍ୟର ୪୦ ପ୍ରତିଶତ ଅଞ୍ଚଳ ଜୈବ ବିବିଧତାରେ ପରିପୂର୍ଣ୍ଣ। ତେଣୁ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅଧିକାରୀମାନେ ଅତି ନିକଟରୁ ରାଜ୍ୟର ଘଞ୍ଚ ଜଙ୍ଗଲ, ଉଦ୍ଭିଦ ଓ ଜୀବଜନ୍ତୁମାନଙ୍କର ଅଭିଜ୍ଞତା ନେଇପାରିବେ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଗୋପବନ୍ଧୁ ପ୍ରଶାସନିକ ଏକାଡେମିର ମହାନିର୍ଦେଶକ ରଂଜନା ଚୋପ୍ରା କହିଲେ, ଏକାଡେମି ଏବେ ବିଭିନ୍ନ କ୍ୟାଡରର ଅଧିକାରୀମାନଙ୍କୁ ଜାତୀୟସ୍ତରୀୟ ତାଲିମ ପ୍ରଦାନ କରିବାକୁ ପ୍ରସ୍ତୁତ। ବିଶ୍ବସ୍ତରରୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ଏକାଡେମିକୁ ବେଶ୍ ସହଯୋଗ ମିଳୁଛି।

ଏହି ତାଲିମ କାର୍ଯ୍ୟକ୍ରମରେ ୨୯ଜଣ ଅଧିକାରୀ ଯୋଗ ଦେଇଛନ୍ତି। ୧୫ ସପ୍ତାହ ବିଶିଷ୍ଟ ଏହି କାର୍ଯ୍ୟକ୍ରମରେ ଉଭୟ ଇନ୍‌ଡୋର ଓ ଆଉଟଡୋର ଅଧିବେଶନ ରହିଛି। ପାଠ୍ୟକ୍ରମରେ ଆଇନ, ରାଜନୈତିକ ବ୍ୟବସ୍ଥା, ଭାରତୀୟ ସମ୍ବିଧାନ, ଅର୍ଥନୀତି, ସାଧାରଣ ପ୍ରଶାସନ, ପରିଚାଳନା, ଇତିହାସ ଓ ସଂସ୍କୃତି, ଆଇଟି ଆପ୍ଲିକେସନ୍ ଇତ୍ୟାଦି ସାମିଲ ରହିଛି। ଏହାସହ ଗାଁ ପରିଦର୍ଶନ ସହିତ, ଜଙ୍ଗଲ, ଶିଳ୍ପ କ୍ଲଷ୍ଟର ପରିଦର୍ଶନ, ମେକ୍ ଇନ ଓଡ଼ିଶା କନକ୍ଲେଭ୍, ଐତିହାସିକ ଓ ପ୍ରତ୍ନତତ୍ତ୍ବ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ, ପାଠ୍ୟକ୍ରମ ସଂଯୋଜକ ମନିଷ ଅଗ୍ରୱାଲ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଡିନ୍ ପ୍ରଫେସର ଆର.ପି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ କମିସନର ହିମାଂଶୁ ଭୂଷଣ ପଣ୍ଡା ଧନ୍ୟବାଦ ଦେଇଥିଲେ।