ସିକନ୍ଦରାବାଦ-ଭୁବନେଶ୍ୱର ମଧ୍ୟରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍
ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ଅଧିକ ବର୍ଥ ସୃଷ୍ଟି ହୋଇଛି
ଭୁବନେଶ୍ବର : ଗ୍ରୀଷ୍ମ ସମୟରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଜୁନ୍ ପହିଲାରୁ ୩୦ ତାରିଖ ମଧ୍ୟରେ ଏକ ଦ୍ବି-ସାପ୍ତାହିକ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ଯାତ୍ରୀମାନଙ୍କ ପାଇଁ ଅଧିକ ବର୍ଥ ସୃଷ୍ଟି କରାଯାଇପାରିବ। ସିକନ୍ଦରାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍(୦୨୭୮୪) ଜୁନ ପହିଲାରୁ ୨୯ ତାରିଖ ମଧ୍ୟରେ ସିକନ୍ଦରାବାଦରୁ ପ୍ରତି ବୁଧବାର ଓ ଶନିବାର ମଧ୍ୟାହ୍ନ ୧୨ଟା ୩୦ରେ ଛାଡ଼ି ତା’ପରଦିନ ପୂର୍ବାହ୍ନ ୯ଟା ୩୦ରେ ଭୁବନେଶ୍ୱର ଠାରେ ପହଞ୍ଚିବ। ଫେରିବା ପଥରେ ଭୁବନେଶ୍ୱର-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ୍(୦୨୭୮୩) ଜୁନ୍ ୨ରୁ ୩୦ ତାରିଖ ମଧ୍ୟରେ ଭୁବନେଶ୍ୱରରୁ ପ୍ରତି ରବିବାର ଓ ଗୁରୁବାର ସନ୍ଧ୍ୟା ୬ଟାରେ ଛାଡ଼ି ସିକନ୍ଦରାବାଦଠାରେ ତା’ପରଦିନ ଅପରାହ୍ଣ ୨ଟାରେ ପହଞ୍ଚିବ।
ଏହି ଟ୍ରେନ୍ରେ ଦୁଇଟି ଏସି-୨ ଟାୟାର, ୬ଟି ଏସି-୩ ଟାୟାର, ୧୦ଟି ସ୍ଲିପର୍ କ୍ଲାସ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ରହିଛି। ଏହା ଭୁବନେଶ୍ୱର ଓ ସିକନ୍ଦରାବାଦ ଷ୍ଟେସନ୍ ମଧ୍ୟରେ ଉଭୟ ଦିଗରୁ କାଜିପେଟ, ଖମାମ, ରାୟଣାପଡୁ, ଏଲୁରୁ, ତାଡେ଼ପଲ୍ଲୀଗୁଡେମ, ରାଜମହେନ୍ଦ୍ରୀ, ସମାଲକୋଟ, ଦୁଭାଡ଼ା, କୋଟଭଲସା, ବିଜୟନଗରମ, ଶ୍ରୀକାକୁଲମ, ପଲାସା, ବ୍ରହ୍ମପୁର ଓ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ଗୁଡ଼ିକରେ ରହଣି କରିବ। ଏହାବ୍ୟତୀତ ଆସନ୍ତା ୨୬ ତାରିଖରେ ମାଙ୍ଗାଲୋରଠାରୁ ଆପରାହ୍ଣ ୩ଟାରେ ଏକ ସ୍ୱତନ୍ତ୍ର ଟ୍ରେନ୍ ବାହାରି ବିଜୟନଗରମ୍, ରାୟଗଡ଼ା, ସମ୍ବଲପୁର ଓ ରାଉରକେଲା ମାର୍ଗ ଦେଇ ଧାନବାଦ ଯାତ୍ରା କରିବ। ଧାନବାଦଠାରେ ୨୮ ତାରିଖ ରାତି ୧୧ଟା ୩୦ରେ ପହଞ୍ଚିବ। ସହିପରି ଆଉ ଏକ ସ୍ୱତନ୍ତ୍ର (ଜନ ସାଧାରଣ) ଟ୍ରେନ୍ କୃଷ୍ଣରାଜପୁରମ (ବାଙ୍ଗାଲୋର)ଠାରୁ ୨୬ ତାରିଖ ଅପରାହ୍ଣ ୨ଟା ଛାଡି ବିଜୟନଗରମ, ବ୍ରହ୍ମପୁର, ଭୁବନେଶ୍ୱର ଓ ଭଦ୍ରକ ମାର୍ଗ ଦେଇ ବିହାରର ଭଗଲପୁରକୁ ଯାତ୍ରା କରିବ। ସେଠାରେ ୨୮ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ପହଞ୍ଚିବ। ଚଳିତ ଗ୍ରୀଷ୍ମ ଋତୁରେ ପୂର୍ବତଟ ରେଳପଥ ମଧ୍ୟରୁ ଓ ଏହାର ପରିସୀମା ମଧ୍ୟ ଦେଇ ପ୍ରାୟ ୧୭ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଦେଶର ବିଭିନ୍ନ ସ୍ଥାନକୁ ଚଳାଚଳ କରୁଛି।