ବାହୁଡ଼ା ଓ ସୁନାବେଶ ପାଇଁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ରଥଯାତ୍ରା ସମୟରେ ପୁରୀକୁ ଓ ପୁରୀରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ଲାଗି ରେଳ ମନ୍ତ୍ରଣାଳୟ ଘୋଷଣା କରିଥିଲା। ସେହି ଅନୁଯାୟୀ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା ଓ ସୁନା ବେଶ ଦିନ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। ସୁନାବେଶ ପରଦିନ ସ୍ୱତନ୍ତ୍ର ଟ୍ରେନ୍ ସହ ଆଉ ୨୦ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଏବେ ସ୍ଥିର ହୋଇଛି। ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷିତ ଶ୍ରେଣୀ ଯାତ୍ରା ଉପଲବ୍ଧ କରାଇବା ଦିଗରେ ପଦକ୍ଷେପ ନେଇଛି।

ବାହୁଡା ଯାତ୍ରା ଅର୍ଥାତ ୯ ତାରିଖରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧାରୋଡ୍, କେନ୍ଦୁଝରଗଡ଼ରୁ ୧୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଅଭିମୁଖେ ଯାତ୍ରା କରିବ। ଏହାବ୍ୟତୀତ ଆଉ ୫ଟି ସ୍ପେସାଲ୍ ଟ୍ରେନ୍ ଭଦ୍ରକ, କଟକ, ଖୋର୍ଦ୍ଧାରୋଡ୍, ପାରାଦୀପ ଓ ବ୍ରହ୍ମପୁରରୁ ପୁରୀକୁ ଯାତ୍ରା କରିବ। ଫେରିବା ବାଟରେ ପୁରୀରୁ କେନ୍ଦୁଝରଗଡ଼, ବ୍ରହ୍ମପୁର, କଟକ, ଭଦ୍ରକ, ପାରାଦୀପ ଓ ଖୋର୍ଦ୍ଧା ରୋଡ୍‌ ଅଭିମୁଖେ ୮ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ସୁନାବେଶ ଅର୍ଥାତ୍ ୧୦ ତାରିଖରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧାରୋଡ୍, କେନ୍ଦୁଝରଗଡରୁ ୧୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରିବ। ଏହାବ୍ୟତୀତ କଟକ, ଭଦ୍ରକ, ବ୍ରହ୍ମପୁର, ପାରାଦୀପ, କେନ୍ଦୁଝରଗଡ଼ ଓ ଖୋର୍ଦ୍ଧା ରୋଡ୍‌ରୁ ପୁରୀକୁ ଆହୁରି ୮ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚଳାଇବା ଯୋଜନା ହୋଇଛି। ଫେରିବା ବାଟରେ ପୁରୀରୁ କଟକ, ଭଦ୍ରକ, ବ୍ରହ୍ମପୁର ଓ ଖୋର୍ଦ୍ଧା ରୋଡ୍ ଅଭିମୁଖେ ଆଉ ୮ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସୁନାବେଶ ପରଦିନ ୬ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରଗଡ଼ ଓ ମହିପୁର ଅଭିମୁଖେ ଯାତ୍ରା କରିବ। ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡ଼ରୁ ପୁରୀ ପର୍ଯ୍ୟନ୍ତ ଚାଲିବ। ପୁରୀ-ସମ୍ବଲପୁର ସ୍ପେସାଲ(୦୮୯୮୩) ପୁରୀରୁ ମଧ୍ୟାହ୍ନ ୧୨ଟାରେ ସମ୍ବଲପୁର ଅଭିମୁ‌ଖେ ଯାତ୍ରା କରିବ।

ସମ୍ବନ୍ଧିତ ଖବର