ସ୍ବତନ୍ତ୍ର ଉତ୍କଳର ଅନ୍ୟତମ ବିନ୍ଧାଣି ବ୍ରଜସୁନ୍ଦର

ଆଜି ପବିତ୍ର ଉତ୍କଳ ଦିବସ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ଲାଗି ଗର୍ବ ଓ ଗୌରବର ଦିନ। ଓଡ଼ିଆ ଭାଷାକୁ ସରକାରୀ ଭାଷାର ମର୍ଯ୍ୟାଦା ଦେବା ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ସ୍ବତନ୍ତ୍ର ପ୍ରଦେଶ ଗଠନ କରିବାରେ ଯେଉଁ କେତେଜଣ ନେତୃତ୍ବ ନେଇଥିଲେ ସେମାନଙ୍କ ଭିତରୁ ବ୍ରଜସୁନ୍ଦର ଦାସ ଥିଲେ ଅନନ୍ୟ। ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ପାଇଁ ବ୍ରଜସୁନ୍ଦର ଆପ୍ରାଣ ଉଦ୍ୟମ କରିଥିଲେ। ବ୍ରଜସ୍ନୁନ୍ଦର ଦାସ ଥିଲେ ଓଡ଼ିଶାର ତୃତୀୟ ଗ୍ରାଜୁଏଟ୍‌। ଛାତ୍ର ଅବସ୍ଥାରୁ ସେ ଦେଶସେବାରେ ବ୍ରତୀ ହୋଇଥିଲେ। ଉତ୍କଳ ଗୌରବ ମଧୁସୂଦନ ଥିଲେ ତାଙ୍କର ଗୁରୁ। ତେଣୁ ସେ ଗୋପବନ୍ଧୁ ଓ ଲୋକନାଥ ପଟ୍ଟନାୟକଙ୍କ ସହ ମିଶି ‘କର୍ତ୍ତବ୍ୟ ବୋଧିନୀ ସଭା’ ଗଠନ କରିଥିଲେ ଏବଂ ସେହି ଅନୁଷ୍ଠାନ ମାଧ୍ୟମରେ ଓଡ଼ିଆ ଭାଷାର ସ୍ବତନ୍ତ୍ରତା ପାଇଁ ଚେଷ୍ଟା କରିଥିଲେ। ଫଳରେ ବଙ୍ଗଳାର ତତ୍କାଳୀନ ଛୋଟଲାଟ୍‌ ସାର୍‌ ଜନ୍‌ ଉଡବର୍ଣ୍ଣ ସାହେବଙ୍କ ଆଦେଶରେ ୧୯୦୨ ମସିହାରେ କଲିକତା ବିଶ୍ବବିଦ୍ୟାଳୟ ପକ୍ଷରୁ ଓଡ଼ିଆ ଭାଷାକୁ ଏକ ସ୍ବତନ୍ତ୍ର ଭାଷାର ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା।

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ଆନ୍ଦୋଳନ କରିବା ପାଇଁ ମଧୁବାବୁଙ୍କ ନେତୃତ୍ବରେ ୧୯୦୩ ମସିହାରେ ଗଠିତ ହୋଇଥିଲା ‘ଉତ୍କଳ ସମ୍ମିଳନୀ’ ଯାହାର ମୂଳଦୁଆ ପଡ଼ିଥିଲା ବ୍ରଜସୁନ୍ଦର ଦାସଙ୍କର ବାସଭବନରେ। ବ୍ରଜସୁନ୍ଦର ‘ଉତ୍କଳ ସମ୍ମିଳନୀ’ର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ ଓ ୧୯୧୮ ମସିହାରୁ ଶେଷ ନିଃଶ୍ବାସ ତ୍ୟାଗ କରିବା ଯାଏ ତାହାର ସମ୍ପାଦକ ଦାୟିତ୍ବ ତୁଲାଇଥିଲେ। ଗୋପବନ୍ଧୁ ଦାସ ଥିଲେ ବ୍ରଜସୁନ୍ଦରଙ୍କର ସହପାଠୀ ଓ ଘନିଷ୍ଠ ବନ୍ଧୁ।
୧୯୨୭ରେ ଭାରତରେ ଶାସନ ସଂସ୍କାର ପାଇଁ ସାଇମନ କମିଶନ ବସିଲା, କିନ୍ତୁ ଭାରତୀୟ ଜାତୀୟ କଂଗ୍ରେସ ଏହାକୁ ସଂପୂର୍ଣ୍ଣ ବର୍ଜନ କରିଥିଲା। ଏହା ସତ୍ତ୍ବେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ କମିଶନଙ୍କ ଠାରେ ଦୃଢ଼ ଦାବି ଉପସ୍ଥାପନ କରିବା ପାଇଁ ବ୍ରଜସୁନ୍ଦର ଦାସ ଥିଲେ ବଦ୍ଧପରିକର। ଏଥିପାଇଁ ସେ ମଧୁବାବୁଙ୍କ ପରାମର୍ଶରେ ଏକ ମେମୋରାଣ୍ଡମ ପ୍ରସ୍ତୁତ କରି ମଧୁବାବୁଙ୍କ ସହିତ ପାଟନା ଯାଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ଏହାଛଡ଼ା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଫିଲିପ୍‌ ଡଫ୍‌ କମିଟି ଆଗରେ ମଧ୍ୟ ସାକ୍ଷ୍ୟ ପ୍ରଦାନ କରିଥିଲେ। ୧୯୩୨ରେ ଉତ୍କଳର ସୀମା ନିର୍ଦ୍ଧାରଣ ପାଇଁ ଓଡନେଲ କମିଟି ଆଗରେ ସାକ୍ଷ୍ୟ ଦେଇ ସେ କମିଟିକୁ ଏକ ନକ୍ସା ପ୍ରଦାନ କରିଥିଲେ।

ବ୍ରଜସୁନ୍ଦର ଦାସ ଏକାଧାରରେ ଥିଲେ ଜଣେ ଭାଷାବିତ୍‌, ଦେଶପ୍ରେମୀ, ସଙ୍ଗଠକ ତଥା ସଙ୍ଗୀତ ଓ କ୍ରୀଡ଼ାର ପ୍ରୋତ୍ସାହକ। ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଗଠିତ ଓଡ଼ିଶା ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସେ ଥିଲେ ପ୍ରତିଷ୍ଠାତା ସଭାପତି। ସଙ୍ଗୀତର ଅଗ୍ରଗତି ପାଇଁ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ସଙ୍ଗୀତ ସମାଜ, ଜଣେ ଦକ୍ଷ ବ୍ୟବସ୍ଥାପକ ଭାବେ ୧୯୧୭ରୁ ୧୯୨୦ ବିହାର-ଓଡ଼ିଶା କାଉନ୍‌ସିଲ ସଭ୍ୟ, ୧୯୨୧ରୁ ୧୯୨୫ ଯାଏ ବଡ଼ଲାଟ୍‌ ସଭାର ସଭ୍ୟ ଓ ୧୯୩୬ରୁ ୧୯୪୪ ଓଡ଼ିଶା ବିଧାନସଭାର ସଭ୍ୟ ଥିଲେ ଏବଂ କଟକ ମ୍ୟୁନିସିପାଲଟିର ଅଧ୍ୟକ୍ଷ ମଧ୍ୟ ଥିଲେ। ଆଜିର ପବିତ୍ର ଦିନରେ, ଉକ୍ରଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳପ୍ରାଣ ବ୍ରଜସୁନ୍ଦର ଦାସ, ବିଚିତ୍ରନନ୍ଦ ଦାସ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କର ଅକୁଣ୍ଠ ବଳିଦାନକୁ ଶତ ପ୍ରମାଣ।
ବନ୍ଦେ ଉତ୍କଳ ଜନନୀ।ନିତ୍ୟସୁନ୍ଦର ଦାସ (ସଭାପତି, ମୋ ଦଳ)

ସମ୍ବନ୍ଧିତ ଖବର