ବିଦ୍ୟୁତ କର୍ମଚାରୀଙ୍କ ମଜୁରି ବୃଦ୍ଧି ହେବା ସହ ଖାଦ୍ୟ ପାଇଁ ସ୍ବତନ୍ତ୍ର ଅର୍ଥ

ଭୁବନେଶ୍ବର : ବାତ୍ୟା ‘ୟାସ୍‌’ରେ ବିଦ୍ୟୁତ ଭିତ୍ତିଭୂମି ବିପର୍ଯ୍ୟୟକୁ ଆଶଙ୍କା କରି ଶକ୍ତି ବିଭାଗ ବାତ୍ୟା ପରବତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ମଜୁରି ଘୋଷଣା କରିଛି। ଏହାସହିତ ବିଦ୍ୟୁତ ସରବରାହ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ଖାଦ୍ୟ ବାବଦରେ ଦିନକୁ ମୁଣ୍ଡ ପିଛା ୧୭୫ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି। ଏ ନେଇ ଶକ୍ତି ବିଭାଗ ଉପଶାସନ ସଚିବ ଓପିଟିସିଏଲ୍‌ ପରିଚାଳନା ନିର୍ଦ୍ଦେଶକ, ଟିପିସିଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଡବ୍ଲୁଓଡିଏଲ୍‌, ଟିପିଏସ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖି ଜଣାଇଛନ୍ତି।

ସ୍ବତନ୍ତ୍ର ମଜୁରି ବାବଦରେ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ଅଣକୁଶଳୀ ଶ୍ରମିକଙ୍କୁ ଦୈନିକ ୪୬୨ ଟଙ୍କା, ଅର୍ଦ୍ଧକୁଶଳୀଙ୍କୁ ୫୨୨ ଟଙ୍କା ଓ କୁଶଳୀ ଶ୍ରମିକଙ୍କୁ ମଜୁରି ମିଳିବ ୫୯୭ ଟଙ୍କା। କିନ୍ତୁ ପ୍ରଚଳିତ ଚୁକ୍ତି ଆଧାରରେ ବିଦ୍ୟୁତ ସଂରଞ୍ଜାମ ଓ ସାମଗ୍ରୀ କ୍ଷୟକ୍ଷତି ଅଞ୍ଚଳରେ ପହଞ୍ଚାଇବା ପାଇଁ ବର୍ଦ୍ଧିତ ମଜୁରି ମିଳିବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ସେହିପରି ଅନ୍ୟ ଏକ ନିର୍ଦ୍ଦେଶନାମାରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ବିଦ୍ୟୁତ କର୍ମଚାରୀଙ୍କ ପାଇଁ ମୁଣ୍ଡ ପିଛା ୧୭୫ ଟଙ୍କା ଲେଖାଏଁ ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଅତିରିକ୍ତ ଅର୍ଥ ଦିଆଯିବ। ଏହି ଅର୍ଥରୁ ପ୍ରତ୍ୟେକ ଦିନ ପ୍ରତି କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ ତ୍ରିସ୍ତରୀୟ ମାସ୍କ୍‌ କୋଭିଡ ସଂକ୍ରମଣ ପ୍ରତିହତ ପାଇଁ ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର