ରାଉରକେଲା: କୁନି ହକି ଖେଳାଳିଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଦେବାକୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସ୍ବତନ୍ତ୍ର ତାଲିମ ଶିବିର ଆରମ୍ଭ ହୋଇଯାଇଛି। ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ଶିବିର ୧୧ ଦିନ ଧରି ଚାଲିବ। ସୋମବାର ଉଦ୍‌ଘାଟନୀ ଉତ୍ସବରେ ସ୍ବତନ୍ତ୍ର ଅତିଥିଭାବେ ବରିଷ୍ଠ ହକି ପ୍ରଶିକ୍ଷକ କାଳୁ ଚରଣ ବେହେରା, ପିଟର ତିର୍କୀ, ଅତିରିକ୍ତ ଏସ୍‌ପି ସଂଗ୍ରାମ କେଶରୀ ବେହେରା ଯୋଗଦେଇ ସୁନ୍ଦରଗଡ଼ ମାଟିର ହକି ସଂପର୍କୀତ ଗୌରବମୟ ଇତିହାସ ସଂପର୍କରେ ଆଲୋକପାତ କରିଥିଲେ।

Advertisment

ନିଷ୍ଠାପର ପରିଶ୍ରମ, ଶୃଙ୍ଖଳିତ ମନୋଭାବ ନେଇ ହକିର କଳାକୌଶଳ ଶିଖି ବିଶ୍ବ ହକି ଜଗତରେ ନିଜର ନାଁକୁ ଲିପିବଦ୍ଧ କରିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଶିବିରରେ ୧୨ ବର୍ଷରୁ କମ୍‌ ବର୍ଗର ୪୬୨ ଜଣ କୁନି ହକି ଖେଳାଳି ସାମିଲ ହୋଇଛନ୍ତି। ସମସ୍ତେ ରାଉରକେଲା ତଥା ଆଖପାଖ ଅଞ୍ଚଳର। ଏହି ଖେଳାଳିମାନଙ୍କୁ ୧୦ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିବାବେଳେ ପ୍ରତ୍ୟେକ ଗ୍ରୁପ୍‌ରେ ୪୬ ଜଣ ଲେଖାଏ ଅଛନ୍ତି। ଦୈନିକ ୪୫ ମିନିଟ୍‌ ପାଇଁ ପ୍ରଶିକ୍ଷଣ ଦିଆଯିବ। ସକାଳ ୬ଟାରୁ ୯ଟା ଓ ଅପରାହ୍ନ ୪ଟାରୁ ସଂନ୍ଧ୍ୟା ୬.୩୦ ଯାଏ ଏମାନେ ତାଲିମ ନେବେ।

publive-image

ଏତଦ୍‌ବ୍ୟତୀତ ଏମାନଙ୍କର ଡ୍ରିଲ୍‌, ବ୍ୟାୟାମ, ପୌଷ୍ଟିକ ଆହାର, କଣ୍ଡିସନିଂ ଆଦି ବିଷୟରେ ସ୍ବତନ୍ତ୍ର ଶିକ୍ଷା ଦିଆଯିବ। ପାନପୋଷ କ୍ରୀଡ଼ା ଛାତ୍ରାବାସର କୋଚ୍‌ ରାଜେନ ଏକ୍କା, ପ୍ରଫୁଲ୍ଲ ତିର୍କୀଙ୍କ ସମେତ ଛାତ୍ରାବାସର ୧୧ ଜଣ ବରିଷ୍ଠ ପୁରୁଷ ଓ ମହିଳା ଖେଳାଳି ତାଲିମ ଦେବେ। ହକି ପ୍ରମୋଶନ କାଉନସିଲ ପକ୍ଷରୁ ରାଜ୍ୟ କ୍ରୀଡ଼ା ବିଭାଗ ସହଯାଗରେ ଅନୁଷ୍ଠିତ ତାଲିମ ଶିବିରର ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ବିଭାଗର ମ୍ୟାନେଜର ନୀଲେଶ ସେଠୀ, ପ୍ରମେୟ ମୁଖାର୍ଜୀ, ଆଦିତ୍ୟ ମାଥୁର, ୟଶ ଯୋଶୀ, ରିତିକ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।