୧୭,୬୫୫ ସରକାରୀ ସ୍କୁଲ ପିଲାଙ୍କ ଆଖିରେ ଚଷମା

୨୦୧୮-୧୯ରେ ସର୍ବାଧିକ ୭,୪୮୩, ପ୍ରଥମରୁ ଅଷ୍ଟମ ପିଲା ସର୍ବାଧିକ

ରାଉରକେଲା: ଅତ୍ୟଧିକ ସମୟ ଟିଭି, ମୋବାଇଲ ଦେଖିବା ହେଉ ଅବା ଅନ୍ୟକାରଣରୁ ସ୍କୁଲ ପିଲାଙ୍କ ଆଖି ଉପରେ ଏହାର କୁ ପ୍ରଭାବ ପଡୁଛି। ବିଶେଷ କରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅର୍ଥାତ୍‌ ୫ ବର୍ଷରୁ ୧୩ ବର୍ଷ ମଧ୍ୟରେ ଅଧିକ ପିଲାଙ୍କୁ ଦେଖିବାରେ ସମସ୍ୟା ଉପୁଜୁଛି। ସୁନ୍ଦରଗଡ଼ ଜିଲ୍ଲା ସମଗ୍ରୀ ଶିକ୍ଷା ଅଭିଯାନ ଓ ଅନ୍ୟ ବିଭାଗ ପକ୍ଷରୁ ଆଖି ଯାଞ୍ଚ ପରୀକ୍ଷାରୁ ସ୍ପଷ୍ଟ ହୋଇଛି। କେବଳ ସରକାରୀ ସ୍କୁଲ ନୁହେଁ ଘରୋଇ ସ୍କୁଲ ପାଠ ପଢ଼ୁଥିବା ପିଲାଙ୍କ ଆଖି  ସମସ୍ୟା କିଛି କମ୍‌ ନୁର୍ହେ। ସରକାରୀ ସ୍କୁଲରେ ଅଧ୍ୟୟନ ରଥ ୫ ବର୍ଷରୁ ୧୩ ବର୍ଷ ପର୍ଯ୍ୟନ୍ତ ଏବଂ ୧୩ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଆଖି ଦୋଷ ଦୂର କରିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।

ବ୍ଲକ ଅନୁଯାୟୀ ଆଖି ଯାଞ୍ଚ ଶିବିରମାନ ଆୟୋଜନ କରାଯାଇ ପିଲାଙ୍କ ଆଖି ଯାଞ୍ଚ କରାଯାଉଛି। ଆବଶ୍ୟକସ୍ଥଳେ ସେମାନଙ୍କୁ ମାଗଣାରେ  ଚଷମା ଯୋଗାଇ ଦିଆଯାଉଛି। କେବଳ ଏତିକି ନୁହେଁ ଅଧିକ ଚିକିତ୍ସା ମଧ୍ୟ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଗତ ୫ ବର୍ଷ (୨୦୧୭ରୁ ୨୦୨୧ ) ମଧ୍ୟରେ ୧୭, ୬୫୫ରୁ ଅଧିକ ପିଲାଙ୍କ ଆଖି ସମସ୍ୟା ପାଇଁ ଚଷମା ବ୍ୟବହାର କରୁଛନ୍ତି। ୨୦୧୭ରେ ମୋଟ ୩, ୫୧୦ ପିଲାଙ୍କ ଦୃଷ୍ଟି ସମସ୍ୟା ଦୃଷ୍ଟିରୁ ସେମାନଙ୍କୁ ଚଷମା ଯୋଗାଇ ଦିଆଯାଇଥିଲା। ଏମାନଙ୍କ ମଧ୍ୟରେ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ହେଲେ ୨, ୬୧୧, ନବମ ଓ ଦଶମ ଶ୍ରେଣୀରେ ମୋଟ୮୯୮ ପିଲା ରହିଥିଲେ। ଜିଲ୍ଲାର ମୋଟ ୩ ଲକ୍ଷ ୪୩ ହଜାର୫୯୫ ପିଲାଙ୍କ ଆଖି ପରୀକ୍ଷା କରାଯାଇଥିଲା।

୧୮ ପିଲାଙ୍କୁ ଆଖି ଅସ୍ତ୍ରୋପଚାର ପାଇଁ କୁହାଯାଇଥିଲା। ୨୦୧୮-୧୯ରେ ଏହି ସଂଖ୍ୟା ଦୁଇଗୁଣୁ ଅଧିକ ରହିଥିଲା। ଅର୍ଥାତ୍‌ ୭, ୪୮୩ ପିଲାଙ୍କ ଆଖି ସମସ୍ୟା ଉପୁଜିଥିଲା। ଜିଲ୍ଲା‌ରେ ମୋଟ ୭, ୩୦୧ ଯାଞ୍ଚ ଶିବିରରେ ମୋଟ ୨ ଲକ୍ଷ ୯୮ ହଜାର ୧୬୨ ପିଲାଙ୍କ ଆଖି ପରୀକ୍ଷା କରାଯାଇଥିଲା। ରାଉରକେଲା ମହାନଗର ନିଗମ ଅଧୀନରେ ରହିଥିବା ସରକାରୀ ସ୍କୁଲଗୁଡ଼ିକରେ ସର୍ବାଧିକ ୯୫୨ ପିଲାଙ୍କ ଆଖି ସମସ୍ୟା ଥିବାରୁ ସେମାନଙ୍କୁ ଚଷମା ଯୋଗାଇ ଦିଆଯାଇଥିଲା। ୨୦୧୯-୨୦ରେ ଏହି ସଂଖ୍ୟା ହ୍ରାସ ପାଇଥିଲା। ଜିଲ୍ଲାରେ ମୋଟ ୨, ୭୪୮ ପିଲାଙ୍କ ଆଖି ଦୋଷ ରହିଥିବା ଜଣାପଡିଥିଲା। ଏଥିସହ ୨୫୫ ପିଲାଙ୍କ ଆଖି ଅଧିକ ସମସ୍ୟା ରହିଥିବାରୁ ସେମାନଙ୍କୁ  ଅଧିକ ଚିକିତ୍ସା ପାଇଁ ରାଜ୍ୟର ପ୍ରମୁଖ ଚକ୍ଷୁ ଡାକ୍ତରଖାନାକୁ ପଠାଯାଇଥିଲା।

ଏହି ବର୍ଷ ମୋଟ ୨ ଲକ୍ଷ ୯୮ ହଜାର ୧୬୨ପିଲାଙ୍କ ଆଖି ପରୀକ୍ଷା କରାଯାଇଥିଲା। ଜିଲ୍ଲାର ସବ୍‌ଡେଗା, ଟାଙ୍ଗରପାଲି, ସୁନ୍ଦରଗଡ଼ ପୌରାଞ୍ଚଳ, କେ. ବଲାଙ୍ଗ, ବାଲିଶଙ୍କରା, ବଡଗାଁ, ରାଜଗାଙ୍ଗପୁର, ନୂଆଗାଁ, ଲାଠିକଟା, ଲହୁଣିପଡା, କୁତ୍ରା, କୁଆରମୁଣ୍ଡା, ହେମଗିରି, କୋଇଡା, ଗୁରୁଣ୍ଡିଆ, ଲେଫ୍ରିପଡା, ବିଶ୍ରା ଓ ରାଉରକେଲା ପୌରପାଳିକା ଅଧୀନରେ ମୋଟ ୩ ହଜାର ୧୧୨ ସ୍କୁଲର ମଧ୍ୟରୁ ୩ ହଜାର ୬୯ ସ୍କୁଲରେ ଏହି ଯାଞ୍ଚ କରାଯାଇଥିଲା।

କରୋନା ମହାମାରୀରେ ଯାଞ୍ଚ ପ୍ରକ୍ରିୟା ବାଧା ଉପୁଜିଥିବାରୁ ଜିଲ୍ଲାରେ ଏକ ତୃତୀୟାଂଶ ସ୍କୁଲରେ ପାଠପଢ଼ୁଥିବା ପିଲାଙ୍କ ଆଖି ପରୀକ୍ଷା କରାଯାଇ ପାରି ନଥିଲା। ତଥାପି ୨୦୨୦-୨୧ରେ ମୋଟ ୧ ହଜାର ୨୨ ପିଲାଙ୍କ  ଆଖି ଦୋଷ ରହିଥିବା ଜଣାପଡିବାରୁ ସେମାନଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ୨୦୨୧-୨୨ରେ ଏହି ସଂଖ୍ୟା ଦ୍ବିଗୁଣିତ ହୋଇଥିଲା। ଅର୍ଥାତ୍‌ ୨ ହଜାର ୮୯୨ ପିଲାଙ୍କ ଆଖି ଦୋଷ ରହିଥିବା ଯାଞ୍ଚରୁ ଜଣାପଡିଥିଲା। ୨୦୨୨-୨୩ ଯାଞ୍ଚ ପରେ ଜିଲ୍ଳାରେ ଆଖି ଦୋଷ ସମସ୍ୟା ଅଧିକ ରହିଥିବା ସମ୍ଭାବନା ରହିଛି। କାରଣ କରୋନା ସମୟରେ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ପିଲାମାନେ ଅନ୍‌ଲାଇନ୍‌ରେ କ୍ଲାସ କରୁଥିଲେ। ଘରେ ଅଧିକ ସମୟ ଟିଭି ଓ ମୋବାଇଲ୍‌ ଦେଖୁଥିଲେ।

ସମ୍ବନ୍ଧିତ ଖବର