ଭୁବନେଶ୍ବର: ଭୁବନେଶ୍ବର ମୁଖ୍ୟ ରେଳଷ୍ଟେସନରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୧ ନମ୍ବର ପ୍ଲାଟଫର୍ମ ଭିତରକୁ ଏକ ଦ୍ରୁତଗାମୀ କାର ପଶି ଆସିଛି। ତେବେ ଏହି ଅପ୍ରୀତିକର ଘଟଣା କୌଣସି ଧନଜୀବନକୁ କ୍ଷତି ପହଞ୍ଚାଇନାହିଁ। ଆରପିଏଫ୍ କାର ଚାଳକ ଯୁବକଙ୍କ ସହିତ ଜଣେ ଯୁବତୀଙ୍କୁ ଅଟକ ରଖିଛି।
ସୂଚନା ଅନୁସାରେ ମାଷ୍ଟରକ୍ୟାଣ୍ଟିନ୍ସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳଷ୍ଟେସନର ୧ ନମ୍ବର ପ୍ଲାଟଫର୍ମକୁ ଯିବାକୁ ଟିକେଟ କାଉଣ୍ଟର ପାଖରେ ଏକ ରାସ୍ତା ରହିଛି। ସେହି ରାସ୍ତାରେ ଏକ ଦ୍ରୁତଗାମୀ କାର ମାଡ଼ିଯାଇଥିଲା। କାରର ଗତି ଏତେ ତୀବ୍ର ଥିଲା ଯେ, ପ୍ଲାଟଫର୍ମର ଅଗ୍ରଭାଗରେ ଝୁଲି ରହିଥିଲା। କାର୍ ଭିତରେ ଜଣେ ଯୁବକଙ୍କ ସହିତ ଯୁବତୀଙ୍କୁ ଦେଖି ଲୋକେ ବିରୋଧ କରିଥିଲେ। ଫଳରେ ଯୁବତୀ ଜଣକ ଉତକ୍ଷିପ୍ତ ହୋଇ ଇଂରାଜୀ ଭାଷାରେ ଗାଳି ଗୁଲଜ କରିଥିଲେ।
ପୁଲିସ କହିଛି କାର ଭିତରେ ମଦ ବୋତଲ ସହ ଚାଖେଣା ପଡିଥିଲା। ତେବେ ଲୋକଙ୍କ ସମ୍ମୁଖରେ ଏହି ଅଘଟଣ ଘଟିଥିଲେ ବି କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ଆରପିଏଫ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।