ଦୁର୍ଘଟଣା ପ୍ରବଣ ଲଙ୍ଗଳପାଖନା ଘାଟି; ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଧକ୍କାଦେଲା ଦ୍ରୁତଗାମୀ ଗାଡ଼ି

୬ ମାସରେ ୮ ଦୁର୍ଘଟଣା

ବୈପାରିଗୁଡା: କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡା ବ୍ଲକର ୩୨୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳପାଖନା ଘାଟି ଏକ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଛି। ଏହି ଘାଟିରେ ନିୟମିତ ବ୍ୟବଧାନରେ ଯାନବାହାନ ଦୁର୍ଘଟଣା ଘଟିବାରେ ଚାଲିଛି। ଅନେକ ମୃତାହତ ମଧ୍ୟ ହେଲେଣି। ତଥାପି ଜାତୀୟ ରାଜପଥର ଉଚ୍ଚ କର୍ତ୍ତୃପକ୍ଷଙ୍କର ବିକଳ୍ପ ପଦକ୍ଷେପ ନ ନେବା ସାଧାରଣରେ ବିସ୍ମୟ ସୃଷ୍ଟି କରିବା ସହ ଅସନ୍ତୋଷ ସୃଷ୍ଟି ହେଉଛି। ଗତକାଲି ଏକ ଚାରା ବୋଝେଇ ଟ୍ରକ ବରଗଡ଼ ଠାରୁ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଯାଉଥିବା ବେଳେ ଲଙ୍ଗଳପାଖନା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିର ବ୍ରେକ ଫେଲ ହେବାରୁ ଦୁର୍ଘଟଣା ଘଟିଥିବା ଡ଼୍ରାଇଭର ପ୍ରକାଶ କରିଥିଲେ।

ଆଜି ଅପରାହ୍ନ ତିନିଟା ସମୟରେ ଲୁହା ଫ୍ରେମ ବୋଝେଇ ଟ୍ରକ (କେଏ ୦୧ ଏବି ୫୬୨୮) ସମ୍ବଲପୁର ଠାରୁ ବାହାରି ଏଣ୍ଡାକୁଲମ ଯାଉଥିବା ବେଳେ ଗତକାଲି ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ପଛରୁ ଧକ୍କା ଦେଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସୁଦାଲାଇ ମଣିଙ୍କର ଡାହାଣ ହାତରେ ଆଘାତ ଲାଗିଥିବା ବେଳେ ଅନ୍ୟ ଡ୍ରାଇଭର ଏନ୍. ପାଣ୍ଡିଙ୍କର ଡାହାଣ ଗୋଡ଼ରେ ଆଘାତ ଲାଗିଛି। ଦୁଇ ଦିନରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଦୁଇଟି ଦୁର୍ଘଟଣା ଘଟିବା ଘଟଣାରେ କେବଳ ଗାଡ଼ି ଚାଲକମାନଙ୍କୁ ଦାୟୀ କରାଯାଇ ପାରିବ ନାହିଁ। କାରଣ ୩୨୬ ନମ୍ବର ଜାତୀୟ ରାଜପଥ ତରଫରୁ ଘାଟି ଗୁଡ଼ିକରେ କୈାଣସି ସୂଚନା ଫଳକ ନାହିଁ କିମ୍ବା ବିପଦ ସଂକୁଳ ଘାଟି ରାସ୍ତା କେଉଁ ଭଳି ଭାବେ ନିର୍ମାଣ କରାଯିବା ଦରକାର, ସେହି ବ୍ୟବସ୍ଥାକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ଆଦୈ ଦୃଷ୍ଟି ଦେଇ ନାହାନ୍ତି। ଯାହାଫଳରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ କ୍ରମାଗତ ଭାବେ ଦୁର୍ଘଟଣା ଘଟି ଚାଲିଛି।

ଗତ ଜାନୁଆରି ମାସଠାରୁ ଆଜି ଯାଏ ଆଠଟି ଦୁର୍ଘଟଣା କେବଳ ଲଙ୍ଗଳପାଖନା ଘାଟିରେ ହିଁ ଘଟିଛି। ଯଦି ପଛକୁ ଫେରିବା, ତେବେ ଜାନୁଆରି ମାସ ଚାରି ତାରିଖ ଦିନ ବାଇକ୍ ଦୁର୍ଘଟଣାରେ ଜନୈକ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସେହି ମାସ ୧୯ ତାରିଖ ଦିନ ଟ୍ରାନସଫର୍ମର ବୋଝେଇ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିଲେ। ସେହିପରି ଗତ ମେ ମାସରେ ୯ ତାରିଖ ଦିନ ଏକ ଟାଟା ସବାରୀ ଦୁର୍ଘଟଣା ଘଟି ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ। ମେ ମାସ ୧୯ ୧୯ ତାରିଖ ଦିନ ଏକ ଯାତ୍ରୀବାହୀ ବସ୍ ଏବଂ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ଜୁନ ମାସ ୧୧ ତାରିଖ ଦିନ ଏକ ତେଲ ଟ୍ୟାଙ୍କର ଓଲଟି ପଡିଥିବା ବେଳେ ଏହି ଦୁର୍ଘଟଣାର ଅଳ୍ପ ସମୟ ପରେ ୫୦ ମିଟର ଦୂରରେ ଏକ କାର୍ ଘାଟିରୁ ତଳକୁ ଖସି ପଡ଼ିବାରୁ ଗୋଟିଏ ପରିବାରର ୪ ଜଣ ଆହତ ହୋଇଥିଲେ। ଏସବୁକୁ ବାଦ୍ ଦେଲେ ଲଙ୍ଗଳପାଖନା ଘାଟି ଉପରେ ପୂର୍ବରୁ ବହୁ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୁର୍ଘଟଣା ସଂପର୍କରେ ଖବର ଜାଣୁଥିଲେ ମଧ୍ୟ କୌଣସି ବ୍ୟବସ୍ଥା ନକରି କାହିଁକି ଚୁପ୍ ହୋଇ ରହୁଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଉ କେତେ ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେବାପରେ ବିଭାଗୀୟ ଅଧିକାରୀଙ୍କ ଚେତା ଫେରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର