ରାଉରକେଲା: ସ୍ମାର୍ଟସିଟି ପ୍ରକଳ୍ପ ନାଁରେ ପାଣି ବୋହିଲା ପରି ଟଙ୍କା ଖର୍ଚ୍ଚ କରିଦିଆଗଲା। ରାଉରକେଲା ସହର କିନ୍ତୁ ସ୍ମାର୍ଟ ହେଲାନି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ସିସି କ୍ୟାମେରା ଏହାର ଜ୍ବଳନ୍ତ ଉଦାହରଣ। ୧୦୬ କୋଟିର ପ୍ରକଳ୍ପ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନି। ଠିକାସଂସ୍ଥାକୁ କିନ୍ତୁ ବିଲ୍‌ ଦିଆସରିଲାଣି। ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍‌ ସେଣ୍ଟର କାମ ସରିବା ପରେ କାର୍ଯ୍ୟକ୍ଷମ ହେବ ବୋଲି ସଫେଇ ଦିଆଯାଉଛି। ହେଲେ କେବେ ସେଣ୍ଟର ନିର୍ମାଣ କାମ ସରିବ, ସହରରେ ସିସି କ୍ୟାମେରା ଚାଲିବ, କାହାରି ପାଖରେ ସେ ଉତ୍ତର ନାହିଁ। ଏବେ ସରକାର ବଦଳିଛି। ସମୀକ୍ଷା ବୈଠକରେ ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ତତ୍ପରତା ନ ଦେଖାଇଲେ ୧୦୬ କୋଟିର ପ୍ରକଳ୍ପ ଯେ ପାଣିରେ ପଡ଼ିବ, ଏଥିରେ ଦ୍ବିମତ ନାହିଁ।  

Advertisment

‘ଭାରତ ଇଲେକ୍‌ଟ୍ରୋନିକ୍ସ ଲିମିଟେଡ୍‌ (ଭେଲ୍‌)’ ଦ୍ବାରା ରାଉରକେଲା ସହରର ପ୍ରମୁଖ ଛକ ସମେତ ମୋଟ ୧୧୦ଟି ସ୍ଥାନରେ ୬୭୫ଟି ସିସି କ୍ୟାମେରା ଲଗାଯାଇଛି। ୧୧୦ଟି ସ୍ଥାନରେ ଲାଗିଥିବା ସିସିଟିଭି ନିୟନ୍ତ୍ରଣ ପାଇଁ ସହରର ୧୩ଟି ମୁଖ୍ୟ ସ୍ଥାନରେ ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ଆଇଟିଏମ୍‌ଏସ୍‌) ସ୍ଥାପନ କରାଯାଇଛି। ଏଥିମଧ୍ୟରୁ ୧୧ଟି ସ୍ଥାନରେ ଆଇଟିଏମ୍‌ଏସ୍‌ କାର୍ଯ୍ୟ ‌ଶେଷ ହୋଇଛି। ସହରର ପାଖାପାଖି ୧୩୦ କିମି ପରିଧି ମଧ୍ୟରେ କେବୁଲ୍‌ ବିଛା କାମ ମଧ୍ୟ ସରିଛି। ଛେଣ୍ଡ କଲୋନି କନକମଞ୍ଜରୀ ଛକ, ହକି ଷ୍ଟାଡିୟମ ଛକ, ପ୍ରଧାନପାଲି ଛକ, ବିଏସ୍‌ଏନ୍‌ଏଲ୍‌ ଛକ, ବିଜୁ ପଟ୍ଟନାୟକ ଛକ, ରିଂ ରୋଡ୍‌ ସ୍ପେସ୍ ଛକ, ରାଉରକେଲା ବିମାନବନ୍ଦର ନିକଟସ୍ଥ ପୋଲ, ବିର୍ସା ମୁଣ୍ଡା ଛକ, ପାନପୋଷ ଗାନ୍ଧୀଛକ, ହକି ଛକ, ଉଦିତନଗର, ଏସ୍‌ଟିଆଇ, ଆଇଟିଆଇ, ଡେଲି ମାର୍କେଟ୍‌, ବାସନ୍ତୀ କଲୋନି, ବନ୍ଧମୁଣ୍ଡା ରୋଡ୍‌, ସାରନଗରୀ, ରେଲୱେ କଲୋନି ଆଦି ସ୍ଥାନରେ ସିସି କ୍ୟାମେରା ଲଗାଯାଇଛି। ଇସ୍ପାତ ସହରରେ ଟ୍ରାଫିକ୍ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା, ଆପରାଧିକ କାର୍ଯ୍ୟକଳାପ ରୋକିବାରେ ସିସି କ୍ୟାମେରା ସହାୟକ ହୋଇଥାନ୍ତା।

ଏହାଛଡ଼ା ରେଡ୍‌ ଲାଇଟ୍‌ ଭାଇଓଲେସନ୍‌ ଡିଟେକ୍ସନ୍‌ (ଆର୍‌ଏଲ୍‌ଭିଡି), ସ୍ପିଡ୍‌ ଭାଓଲେସନ୍‌ ଡିଟେକ୍ସନ୍‌ ସିଷ୍ଟମ୍‌ (ଏସ୍‌ଭିଡିଏସ୍‌),  ଅଟୋମେଟିକ୍‌ ନମ୍ବର ପ୍ଲେଟ୍‌ ରେକଗ୍‌ନାଇଜେସନ୍‌ ସିଷ୍ଟମ (ଏଏନ୍‌ପିଆର୍‌), ଫେସ୍‌ ରେକଗ୍‌ନାଇଜେସନ୍‌ ସିଷ୍ଟମ (ଏଫ୍‌ଆର୍‌ଏସ୍‌) ଓ ନିୟମଭଙ୍ଗକାରୀଙ୍କ ପାଇଁ ଇ-ଚାଲାଣ ସିଷ୍ଟମ୍‌ କାର୍ଯ୍ୟ କରିବାରେ ସିସି କ୍ୟାମେରା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଅଥଚ ଏହି ପ୍ରକଳ୍ପ ଏଯାବତ କାର୍ଯ୍ୟକ୍ଷମ ହେଉନଥିବାରୁ ଏହାର ସୁଫଳ ମିଳିପାରୁନାହିଁ।  ସୂଚନାଥାଉକି, ୨୦୧୮ ମସିହାରେ ସହରର ୧୧୦ଟି ସ୍ଥାନରେ ସିସି କ୍ୟାମେରା ଲଗାଇବାକୁ ସ୍ମାର୍ଟସିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ୨୦୧୯ ଜାନୁଆରି ମାସରେ ଆମେରିକୀୟ କମ୍ପାନି ‘ହନି ୱେଲ୍‌’ ସମେତ ଅନ୍ୟ ଦୁଇଟି ଠିକା ସଂସ୍ଥାକୁ ପରୀକ୍ଷାମୂଳକ ଭାବେ ସିସି କ୍ୟାମେରା ଲଗାଇବା କାମ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତିନିଟି ସଂସ୍ଥାର କାମ ସନ୍ତୋଷଜନକ ନଥିବାରୁ ସିସି କ୍ୟାମେରା ପ୍ରକଳ୍ପ ବାତିଲ ହୋଇଥିଲା।