ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଲାଗି ରହିଛି। ପ୍ରାୟ ୧୫ ଦିନର ବ୍ୟବଧାନ ପରେ ପୁଣି ଥରେ ୩ ଦିନରେ ୬ଟି ବିମାନ ବାତିଲ୍‌ ହୋଇଛି। ଗତ ୨୦ ତାରିଖରେ ଝାରସୁଗୁଡ଼ାରୁ ଦିଲ୍ଲୀ ଓ ହାଇଦ୍ରାବାଦକୁ ଯାତ୍ରା କରୁଥିବା ସ୍ପାଇସ୍‌ଜେଟ୍‌ର ଉଭୟ ବିମାନ ବାତିଲ୍‌ ରହିଥିବା ବେଳେ ଗତକାଲି ପୁଣିଥରେ ହାଇଦ୍ରାବାଦ ବିମାନ ଉଭୟ ଦିଗରୁ ବାତିଲ୍‌ ହୋଇଛି। ଏ ସଂକ୍ରାନ୍ତରେ ସ୍ପାଇସ୍‌ଜେଟ୍‌ର ଷ୍ଟେସନ ମ୍ୟାନେଜରଙ୍କୁ ପଚାରିବାରେ, ୨୦ ତାରିଖର ବିମାନ ବାତିଲ୍‌ ହୋଇନି ବରଂ କିଛି କାରଣ ଯୋଗୁ ତାହା ସିଡ୍ୟୁଲ୍‌ରେ ସ୍ଥାନ ପାଇପାରି ନଥିଲା ବୋଲି କହିଛନ୍ତି।

Advertisment

ଜୁନ୍‌ ୩୦ ତାରିଖରେ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷ ଟ୍ବିଟ୍‌ କରି ଜୁଲାଇ ୧୦ ତାରିଖରୁ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନବନ୍ଦରରୁ କୋଲକାତା ଓ ବିଶାଖାପାଟଣାକୁ ସ୍ପାଇସଜେଟ୍‌ର ନୂଆ ବିମାନ ଉଡ଼ିବ ବୋଲି ଘୋଷଣା କରିଥିଲେ। ମାତ୍ର ଜୁଲାଇ ୧୦ ଯାଇ ଏବେ ସେପ୍ଟେମ୍ବର ୧୦ ସରିଥିବା ବେଳେ ଏହି ରୁଟ୍‌ରେ ସ୍ପାଇସ୍‌ଜେଟ୍‌ର ବିମାନ ଉଡ଼ାଣ କରିପାରି ନାହିଁ। ଗତବର୍ଷରୁ ବନ୍ଦ ହୋଇଥିବା ଚେନ୍ନାଇ ଓ ବେଙ୍ଗାଲୁରୁ ରୁଟ୍‌ରେ ମଧ୍ୟ ବିମାନ ସେବା ଆରମ୍ଭ ହେବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଗତ ଜୁନ୍‌ରେ ଘୋଷଣା କରିଥିଲେ। ପ୍ରତି ସପ୍ତାହରେ ଚେନ୍ନାଇକୁ ୩ ଦିନ ଓ ବେଙ୍ଗାଲୁରୁକୁ ୪ ଦିନ ବିମାନ ଉଡ଼ିବାକୁ ଥିବା ବେଳେ ଜୁଲାଇ ୧୯ ସୁଦ୍ଧା ଏଥି ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ ବୋଲି କୁହାଯାଇଥିଲା। ମାତ୍ର ଅଦ୍ୟାବଧି ସ୍ଲଟ୍‌ ବୁକିଂ ଆରମ୍ଭ ନ ହେବାରୁ ଏହି ୨ ରୁଟ୍‌ରେ ବିମାନ ପୁଣି ଥରେ ଉଡ଼ିବ ନା ନାହିଁ ସେ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ବିମାନବନ୍ଦର ପକ୍ଷରୁ ଏୟାରଲାଇନ୍ସଗୁଡ଼ିକୁ ସ୍ଲଟ୍‌ ଦିଆଯାଇଥିବା ବେଳେ ବୁକିଂ କରିବା ଏୟାରଲାଇନ୍ସର କାମ କହି କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛନ୍ତି।

ଗୋଟିଏ ପଟେ ଏହି ରୁଟ୍‌ଗୁଡ଼ିକ ୱିଣ୍ଟର ସିଡ୍ୟୁଲ୍‌ରେ ସାମିଲ୍‌ ହେବା ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ତାହା ମଞ୍ଜୁରି ମିଳିବା ପରେ ଯାଇ ସ୍ପଷ୍ଟ ହେବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଉତ୍ତର ରଖୁଛନ୍ତି। ନୂଆ ରୁଟ୍‌ ପାଇଁ ଝାରସୁଗୁଡ଼ା ବିମାନବନ୍ଦରରୁ ଇଣ୍ଡିଗୋ ଏୟାରଲାଇନ୍ସର କିଛି ବିମାନ ବି ଉଡ଼ାଣ କରିବା ନେଇ ପୂର୍ବରୁ ସୂଚନା ଦିଆଯାଇଥିବା ବେଳେ ‌ତାହା ବି ଆଜିଯାଏ ସ୍ପଷ୍ଟ ହୋଇପାରିନି। ସେପଟେ, ଝାରସୁଗୁଡ଼ାରୁ ଭୁବନେଶ୍ବରକୁ ଯାତ୍ରା କରୁଥିବା ଏଲାଏନ୍ସ ଏୟାରର ବିମାନକୁ ୱିଣ୍ଟର ସିଡ୍ୟୁଲ୍‌ରେ ସ୍ଥାନ ମିଳିପାରି ନଥିବା ଜଣାପଡ଼ିଛି। ଫଳସ୍ବରୂପ ଝାରସୁଗୁଡ଼ା ବିମାନବନ୍ଦରରୁ ଭୁବନେଶ୍ବର ଯାତ୍ରା କରୁଥିବା ଯାତ୍ରୀ ନିରାଶ ହେବେ। ଗତ ୨୨ ତାରିଖରେ ଝାରସୁଗୁଡ଼ା ବିମାନବନ୍ଦର ଦେଇ ମୋଟ ୪୬୨ ଜଣ, ୨୧ ତାରିଖରେ ୬୪୮ ଜଣ, ୨୦ ତାରିଖରେ ୨୨୫ ଜଣ, ୧୯ ତାରିଖରେ ୫୩୧ ଜଣ, ୧୮ ତାରିଖରେ ୫୦୧ ଜଣ ଓ ୧୭ ତାରିଖରେ ୫୪୦ ଜଣ ଯାତ୍ରୀ ଯାତାୟତ କରିଥିଲେ।