ସ୍ପାଇସ୍‌ ଜେଟ୍‌ ସେବାକୁ ମାସେ ପୂରିଲା : ୪୬୯୨ ଯାଇଛନ୍ତି, ୫୧୬୦ ଆସିଛନ୍ତି, ଜୁନ୍‌ରେ ଉଡ଼ିବ ଆଲାଏନ୍ସ ଏୟାର ବିମାନ

ଝାରସୁଗୁଡା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନସେବାକୁ ଇତିମଧ୍ୟରେ ଏକ ମାସ ପୂରିଛି। ମାସେ ମଧ୍ୟରେ ଏଠା‌ରୁ ଯାତ୍ରୀ ସେବା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବେଳେ ଆଗାମୀ ଦିନରେ ଏହା ଦେଶର ଏକ ପ୍ରମୁଖ ବିମାନ ବନ୍ଦର ହେବାକୁ ଯାଉଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ଆଶାପ୍ରକାଶ କରିଛନ୍ତି।

ଗତ ମାର୍ଚ୍ଚ ୩୧ ତାରିଖ ଦିନ ସ୍ପାଇସ୍‌ ଜେଟ୍‌ ଏଠାରୁ ବିମାନ ସେବା ଆରମ୍ଭ କରିଥିଲା। ଏହି ବିମାନ ସେବାକାରୀ ସଂସ୍ଥା ଉଡ଼ାନ-୩ ଯୋଜନାରେ ଝାରସୁଗୁଡ଼ା-ନୂଆଦିଲ୍ଲୀ, ନୂଆଦିଲ୍ଲୀ- ଝାରସୁଗୁଡ଼ା, ଝାରସୁଗୁଡ଼ା- ହାଇଦ୍ରାବାଦ, ହାଇଦ୍ରାବାଦ- ଝାରସୁଗୁଡ଼ା, ‌ଝାରସୁଗୁଡ଼ା-କୋଲକାତା ଓ କୋଲକାତା-ଝାରସୁଗୁଡ଼ା ମଧ୍ୟରେ ବିମାନ ସେବା ପ୍ରଦାନ କରୁଛି। ଗତ ମାସକ ମଧ୍ୟରେ ଏହି ସେବା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ରବିବାର ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ ଚୌହାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ବିମାନ ବନ୍ଦରରୁ ଗତ ୪ ସପ୍ତାହ ମଧ୍ୟରେ ୯ ହଜାର ୮୫୦ ଜଣ ଯାତ୍ରୀ ବିମାନ ଯାତ୍ର‌ା କରିଥିବା ବେଳେ ଝାରସୁଗୁଡ଼ା- ନୂଆଦିଲ୍ଲୀ ବିମାନ ସେବା ୯୫ ପ୍ରତିଶତ ଓ ନୂଆଦିଲ୍ଲୀ- ଝାରସୁଗୁଡ଼ା ମଧ୍ୟରେ ୯୩ ପ୍ରତିଶତ ହାରରେ ବିମାନ ଯାତ୍ରୀ ଯାତ୍ରା କରିଛନ୍ତି। କୋଲକାତା- ଝାରସୁଗୁଡ଼ା ଓ ଝାରସୁଗୁଡ଼ା-କୋଲକାତା ମଧ୍ୟରେ ୬୦ ପ୍ରତିଶତ ଯାତ୍ରୀ ଯାତ୍ରା କରିଥିବା ବେଳେ ହାଇଦ୍ରାବାଦ- ଝାରସୁଗୁଡ଼ା ଓ ଝାରସୁଗୁଡ଼ା-ହାଇଦ୍ରାବାଦ ରୁଟ୍‌ରେ ୭୦ ପ୍ରତିଶତ ଯାତ୍ରୀ ଯାତ୍ରା କରିଥିବା ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ଉପରୋକ୍ତ ତିନୋଟି ରୁଟ୍‌ର ସାମଗ୍ରିକ ହାରକୁ ହିସାବ କଲେ ୭୫ ପ୍ରତିଶତ ଯାତ୍ରୀ ଯାତ୍ରା କରିଥିବା ଜଣାଯାଇଛି। ଗତ ଏକ ମାସ ମଧ୍ୟରେ ବିମାନ ଯାତ୍ରା କରିଥିବା ମୋଟ ଯାତ୍ରୀଙ୍କ ହିସାବକୁ ଆକଳନ କଲେ ଦୈନିକ ୩୫୦ ଜଣ ଯାତ୍ରୀ ଏହି ବିମାନ ବନ୍ଦର ବ୍ୟବହାର କରୁଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ ଏଠାରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ୪୬୯୨ ଅର୍ଥାତ ଦୈନିକ ୧୭୦ ହୋଇଥିବା ବେଳେ ଏଠାକୁ ଆଗମନ କରିଥିବା ଯାତ୍ରୀ ସଂଖ୍ୟା ୫୧୬୦ ଅର୍ଥାତ ଦୈନିକ ୧୮୫ ଜଣ। ଆଗାମୀ ଜୁନ୍‌ ମାସ ପ୍ରଥମ ସପ୍ତାହ ସୁଦ୍ଧା ଏଲାଏନ୍‌ସ ଏୟାର ତାର ସେବା ଆରମ୍ଭ କରିବାକୁ ଥିବା ବେଳେ ଲାଇସେନ୍‌ସ ପାଇଥିବା ସମସ୍ତ ବିମାନ ସେବା କମ୍ପାନି ସଂପୂର୍ଣ୍ଣ ବିମାନ ସେବା ଆରମ୍ଭ ହେଲେ ଏଠାରୁ ଦୈନିକ ୨୦ ଗୋଟି ବିମାନ ଯାତାୟତ କରିବ ଓ ଯାତ୍ରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ଚୌହାନ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଡିଜିଏମ୍ (ସିଏନ୍‌ଏସ୍‌) ପି. କରୁଣାକରନ ଓ ଏଜିଏମ୍‌( ସିଭିଲ) ୟୁ. କେ.ତିୱାରୀ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର