ଝାରସୁଗୁଡା : ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ ଶନିବାର ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିଦର୍ଶନ କରିଛନ୍ତି। ସଂସ୍ଥାର ଏକ ଆଠଜଣିଆ ପ୍ରତିନିଧ ଦଳ ଝାରସୁଗୁଡ଼ାରେ ପହଞ୍ଚି ବିମାନ ବନ୍ଦରର ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ସହ ଯାତ୍ରୀଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ। ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍.କେ. ଚୌହାନ ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ବିମାନ ବନ୍ଦରର ସମସ୍ତ ବ୍ୟବସ୍ଥା ସଂପର୍କରେ ଅବଗତ କରିଥିଲେ। ପରିଦର୍ଶନ ପରେ ଟିମ୍ର ପଦାଧିକାରୀମାନେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏଠାରୁ ବିମାନ ସେବା ପ୍ରଦାନ କରିବେ ବୋଲି ପ୍ରକାଶ କରିଥିବା ନିର୍ଦ୍ଦେଶକ ଶ୍ରୀ ଚୌହାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିକଟରେ ସ୍ପାଇସ୍ ଜେଟ୍ ଝାରସୁଗୁଡ଼ାରୁ ଦେଶର ୩ଟି ବଡ଼ ସହର ଯଥା ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କଲକୋତା ମଧ୍ୟରେ ବିମାନ ଚଳାଚଳ ପାଇଁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ଠାରୁ ଅନୁମତି ପାଇଥିଲା। ଝାରସୁଗୁଡ଼ାରେ ଗତ ସେପ୍ଟମ୍ବର ୨୨ ତାରିଖ ଦିନ ଓଡ଼ିଶାର ଦ୍ବିତୀୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିଲେ ଓ ଉଡ଼ାନ ଯୋଜନା ମାଧ୍ୟମରେ ଏୟାର ଓଡ଼ିଶାର ବିମାନ ସେବାର ଶୁଭାରମ୍ଭ କରିଥିଲେ। ମାତ୍ର ଏୟାର ଓଡ଼ିଶା ଏଠାରୁ ମାତ୍ର ୫ ଦିନ ଉଡ଼ାନ ସେବା ପ୍ରଦାନ କରିବା ପରେ ବନ୍ଦ ହୋଇ ଯାଇଥିଲା। ପରେ କେନ୍ଦ୍ର ସରକାର ଏୟାର ଓଡ଼ିଶାର ଲାଇସେନ୍ସ ବାତିଲ କରିଥିଲା। ପରେ ନୂତନ ଭାବେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥିରେ ସ୍ପାଇସ୍ ଜେଟ୍ ଉପରୋକ୍ତ ୩ଟି ସ୍ଥାନକୁ ଉଡ଼ାଣ ପାଇଁ ଅନୁମତି ପାଇଥିଲା। ଏଥି ସହିତ ଟର୍ବୋ ଏଲାଏନ୍ସକୁ ଝାରସୁଗୁଡ଼ା – ଭୁବନେଶ୍ବର ଓ ଝାରସୁଗୁଡ଼ା-ରାୟପୁର ମଧ୍ୟରେ ଚଳାଚଳ ପାଇଁ ଓ ଜେଟ୍ ଏୟାରୱେଜ୍କୁ ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ଚଳାଚଳ ପାଇଁ ଅନୁମତି ମିଳିଛି। ଟର୍ବୋ ଏଲାଏନ୍ସ ଓ ଜେଟ୍ ଏୟାରୱେଜ୍ ଏ ପର୍ଯ୍ୟନ୍ତ କୌଣସି ଅଭିମୁଖ୍ୟ ଗ୍ରହଣ କରି ନଥିବା ବେଳେ ସ୍ପାଇସ୍ ଜେଟ୍ ପ୍ରତିନିଧି ଆସି ଭିତ୍ତିଭୂମି ଯାଞ୍ଚ କରିବା ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ବୃଦ୍ଧି କରିଛି। ଆଗାମୀ ଦିନରେ ଅନୁମତି ପାଇଥିବା ଅନ୍ୟ ଦୁଇଟି ସଂସ୍ଥା ବି ଆସିବେ ବୋଲି ନିର୍ଦ୍ଦେଶକ ଶ୍ରୀ ଚୌହାନ କହିଛନ୍ତି।
ଝାରସୁଗୁଡ଼ାରେ ମାର୍ଚ୍ଚରୁ ଉଡ଼ିବ ବିମାନ
ସ୍ପାଇସ୍ ଜେଟ୍ ପ୍ରତିନିଧିଙ୍କ ପରିଦର୍ଶନ
/sambad/media/post_attachments/wp-content/uploads/2019/02/SBPHO9-JSG_AIRPORT_3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)