ଫୁଲବାଣୀ : ହଳଦୀ ଚାଷର ସଫଳତାକୁ ଲକ୍ଷ୍ୟ କରି କନ୍ଧମାଳରେ ନୂତନ କରି ଲାଗୁ ହେବାକୁ ଯାଉଛି ‘ସ୍ପାଇସ୍ ମିସନ୍’। ଏହା ମାଧ୍ୟମରେ ଜିଲ୍ଲାର ଚାଷୀ ଭଳିକି ଭଳି ମସଲା ଜାତୀୟ ଫସଲ ଉତ୍ପାଦନ କରିବେ। ଏଥିପାଇଁ ସରକାର କନ୍ଧମାଳକୁ ପାଇଲଟ୍ ଜିଲ୍ଲା ଭାବେ ଚୟନ କରିଛନ୍ତି। ଚଳିତ ୨୦୨୩-୨୪ କୃଷିବର୍ଷରୁ କନ୍ଧମାଳ ଜିଲ୍ଲାରେ ‘ସ୍ପାଇସ୍ ମିସନ୍’ଆ ରମ୍ଭ ହେବାକୁ ଯାଉଛି। ଏହି ମିସନ୍ ମାଧ୍ୟମରେ କନ୍ଧମାଳରେ ହଳଦୀ ସମେତ ଅଦା, ଧନିଆ, ଗୋଲମରିଚ, ଲଙ୍କା ଓ ଡାଲଚିନି ଆଦି ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କନ୍ଧମାଳ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ମିହିର ସାମନ୍ତରାୟ ସୂଚନା ଦେଇଛନ୍ତି। କନ୍ଧମାଳର ଉଚ୍ଚ ପାହାଡ଼ିଆ ଜମିକୁ ଦୃଷ୍ଟିରେ ରଖି ଏଠାରେ ମସଲା ଜାତୀୟ ଫସଲ ଭଲ ଅମଳ ହୋଇପାରିବ ବିଚାର କରି ସରକାର ଏଠାରେ ଏହି ମିସନ୍ ଲାଗୁ କରିବାକୁ ଯାଉଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2023/06/turmic-750x430.jpg)
ଚଳିତ ୨୦୨୩-୨୪ କୃଷି ବର୍ଷରେ କନ୍ଧମାଳ ଜିଲ୍ଲାରେ ୨୭୦୦ ହେକ୍ଟର୍ ଜମିରେ ହଳଦୀ ଚାଷ କରାଯିବା ସହିତ ୨୩୦ ହେକ୍ଟର୍ ଜମିରେ ଲଙ୍କା, ୧୫୨ ହେକ୍ଟର୍ ଜମିରେ ଧନିଆ, ୧୫୦ ହେକ୍ଟର୍ ଜମିରେ ଗୋଲମରିଚ, ୩୫୦ ହେକ୍ଟର୍ ଜମିରେ ଅଦା ଏବଂ ୫୦ ହେକ୍ଟର୍ ଜମିରେ ଡାଲଚିନି ଚାଷ କରାଯିବାର କୃଷି ଖସଡ଼ା ପ୍ରସ୍ତୁତ କରାଯାଇଛି। ଏହି ମିସନ୍ ଜରିଆରେ ଚାଷୀଙ୍କୁ ରିହାତି ଦରରେ ବିହନ ଓ ସାର ଯୋଗାଇ ଦିଆଯିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ପରୀକ୍ଷାମୂଳକ ଭାବେ ଲାଗୁ କରାଯାଉଥିବା ସ୍ପାଇସ୍ ମିସନ୍ ସଫଳତା ହାସଲ କଲେ ଜିଲ୍ଲାରେ ମସଲା ଚାଷର ପରିମାଣକୁ ବୃଦ୍ଧି କରାଯିବ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ମସଲା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଏବଂ ଚାଷୀର ଆୟ ଦୁଇ ଗୁଣ କରିବା ଏହି ମିସନ୍ର ଉଦ୍ଦେଶ୍ୟ। ବିଶେଷକରି କନ୍ଧମାଳର ମାଳଭୂମିରେ ଭଲ ମସଲା ଚାଷ ହୋଇ ପାରିବ ବୋଲି ଜଣାପଡ଼ିବା ପରେ କନ୍ଧମାଳକୁ ପାଇଲଟ୍ ଜିଲ୍ଲା ଭାବେ ବଛାଯାଇଛି।
/sambad/media/post_attachments/wp-content/uploads/2023/05/ginger-f-750x430.jpg)
ଏହି ମିସନ୍ କାର୍ଯ୍ୟକାରୀ ହେଲେ କନ୍ଧମାଳର ଆଦିବାସୀ ଚାଷୀ ଉପକୃତ ହୋଇପାରିବେ। ଅନ୍ୟପଟେ ପୂର୍ବରୁ ହଳଦୀ ଚାଷରେ କନ୍ଧମାଳର ସୁନାମ ରହିଛି। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ଅଦାର ଚାହିଦା ମେଣ୍ଟାଇବାକୁ ହେଲେ କନ୍ଧମାଳରେ ଅଦାଚାଷକୁ ଗୁରୁତ୍ବାରୋପ କରାଯାଉଛି। ସେହିଭଳି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଜରିଆରେ ମଧ୍ୟ ଚାଷୀଙ୍କୁ ଅଦା ବିହନ ଯୋଗାଇ ଦିଆଯାଉଛି। କସମ ଜରିଆରେ ଚାଷୀଙ୍କଠାରୁ ଅଦା ଓ ହଳଦୀ କିଣାଯାଉଛି। ମିସନ୍ ଶକ୍ତି, ଓଡ଼ିଶା ଜୀବିକା ମିସନ୍, ଓର୍ମାସ ଓ କସମ ଜରିଆରେ ଏସବୁ ମସଲାର ବିକ୍ରିବଟା କରାଯିବାର ଲକ୍ଷ୍ୟ ରଖାଯାଇଛି। ଦାରିଙ୍ଗିବାଡ଼ି, କ.ନୂଆଗାଁ, ବାଲିଗୁଡ଼ା, ଘୁ.ଉଦୟଗିରି, ରାଇକିଆ, କୋଟଗଡ଼ଓ ତୁମୁଡ଼ିବନ୍ଧ ଆଦି ବ୍ଲକ୍ରେ ଅଧିକ ପରିମାଣରେ ମସଲା ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷକରି ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମସଲା ଚାଷ କରାଯିବା ସହିତ କିଣାବିକା କରାଯିବ। ଏହାଦ୍ବାରା କନ୍ଧମାଳର ଚାଷୀ ଉପକୃତ ହୋଇପାରିବେ।