ଭୁବନେଶ୍ବର: ଏଣିକି ରାଜଧାନୀ ରାଜରାସ୍ତାରେ ବିଭିନ୍ନ ଟ୍ରାଫିକ୍‌ ଛକରେ ଲାଗିବ ସ୍ପାଇକ୍‌ ବ୍ୟାରିଅର୍‌। ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଚଳକୁ ରୋକିବା ସହ ଅମାନିଆଙ୍କ ଗାଡ଼ିକୁ ଅଟକାଇବା ଲାଗି କମିସନରେଟ୍‌ ପୁଲିସ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ବ୍ଲକିଂ ଚେକିଂ ବେଳେ ପୁଲିସ ଆଗରୁ ଚମ୍ପଟ ମାରୁଥିବା ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ସହଜରେ ଧରି ସାବାଡ଼ କରିବାକୁ ପୁଲିସ ଏହି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରୁଛି ବୋଲି ପୁଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି।

Advertisment

ରାଜଧାନୀରେ ସଡ଼କ ଦୁର୍ଘଟଣା ଏବେ ଚିନ୍ତାଜନକ ସ୍ଥିତିରେ। କମିସନରେଟ୍‌ ପୁଲିସର ବହୁ ଯୋଜନା ପରେ ବି ଅମାନିଆ ଗାଡ଼ିଚାଳକଙ୍କ ଦୌରାତ୍ମ୍ୟ ଥମିବା ନାଁ ଧରୁନାହିଁ। ମଦ୍ୟପାନ କରି ଗାଡ଼ି ଚଳାଇବା, ମୋବାଇଲ୍‌ରେ ଗପିଗପି ଗାଡ଼ି ଚଳାଇବା ଓ ରଙ୍ଗ୍‌ ରୁଟ୍‌ରେ ବେପରୁଆ ଗାଡ଼ି ଚାଳନା ବନ୍ଦ ହୋଇପାରୁନାହିଁ। ନିୟମିତ ରାତିରେ ବିଭିନ୍ନ ଥାନା ପୁଲିସ ପକ୍ଷରୁ ବ୍ଲକିଂ ଚେକିଂ ଚାଲିଥିଲେ ବି ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିହେଉନାହିଁ। ଗତ ଦୁଇ ଦିନ ତଳେ ଓମ୍‌ଫେଡ୍‌ ଛକରେ ବ୍ଲକିଂ ଚାଲିଥିବା ବେଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ବ୍ୟାରିକେଡ୍‌କୁ ଧକ୍କା ଦେବା ସହ ପୁଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରି ଖସିଯାଇଥିଲା। ସୌଭାଗ୍ୟକୁ ୨ ପୁଲିସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ ସହଯୋଗରେ ବଡ଼ଗଡ଼ ଥାନା ପିସିଆର୍‌ ଉକ୍ତ ଗାଡ଼ିକୁ ସାମନ୍ତରାପୁର ଛକରେ ଅଟକାଇଥିଲା। ସେହିଭଳି ବହୁ ସମୟରେ ମଦ୍ୟପାନ କରି ଦ୍ରୁତବେଗରେ ଥିବା ବାଇକ୍‌ ବା ଅନ୍ୟ ଗାଡ଼ିକୁ ଅଟକାଇବା ପୂର୍ବରୁ ଚାଳକମାନେ ଗାଡ଼ି ବୁଲାଇ ରଙ୍ଗ୍‌ ରୁଟ୍‌ରେ ପଛକୁ ପଳାଉଛନ୍ତି। ଏହାଦ୍ବାରା ବେଳେବେଳେ ସେମାନେ ଅନ୍ୟକୁ ଧକ୍କା ଦେଉଛନ୍ତି ଏବଂ ବେଳେବେଳେ ନିଜେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଏଭଳି ଅଘଟଣକୁ ରୋକିବାକୁ ସ୍ପାଇକ୍‌ ବ୍ୟାରିଅର୍‌ ଉପଯୁକ୍ତ ହେବ।

ସ୍ପାଇକ୍‌ ବ୍ୟାରିଅର୍‌ ହାଇକ୍ବାଲିଟି ଷ୍ଟିଲ୍‌ରେ ଗଠିତ। ଏହାର ଡିଜାଇନ୍‌ ଏମିତି ହୋଇଥାଏ ଯେ ବାଇକ୍‌ ହେଉ କି ଭାରୀଯାନ କେହି ବି ତାହାକୁ ଅତିକ୍ରମ କରି ଆଗକୁ ଯାଇପାରିବ ନାହିଁ। ଏହାକୁ ଉଭୟ ସ୍ଥାୟୀ ଓ ଅସ୍ଥାୟୀ ଭାବେ ରାସ୍ତାରେ ଫିଟ୍‌ କରାଯାଇପାରିବ। କେବଳ ବ୍ଲକିଂ ଚେକିଂ ନୁହେଁ, ଟ୍ରାଫିକ୍‌ ନିୟମ ସହିତ ସମସ୍ତଙ୍କୁ ଅଭ୍ୟସ୍ତ କରାଇବାକୁ ଏହି ବ୍ୟବସ୍ଥା ବେଶ୍ ସଫଳ ହେବ ବୋଲି କମିସନରେଟ୍‌ ପୁଲିସ ଆଶାବାଦୀ ରହିଛି।